କେନ୍ଦୁଆପଦା ଓ ମଞ୍ଜୁରୀରୋଡରେ ନିର୍ମାଣ ହେବ ଫ୍ଲାଏ ଓଭରବ୍ରିଜ୍: ସୂଚନା ଦେଲେ ପି.ଏସ୍.ସି ରେଲୱେ ବୋର୍ଡ ସଦସ୍ୟ
ବନ୍ତ,(ଚାନ୍ଦିନୀ ମହାନ୍ତି): ଦୀର୍ଘ ଦିନର ସ୍ୱପ୍ନ ଆଜି ସାକାର ହେବାକୁ ଯାଉଛି । ଭଦ୍ରକ ଜିଲାର ପୂର୍ବତଟ ରେଳବାଇର ୩ଟି ସ୍ଥାନରେ ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ ହେବା ନେଇ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । ପ୍ରକାଶ ଯେ, କେନ୍ଦ୍ର ସରକାର ରାଜ୍ୟର ୬ଟି ସ୍ଥାନରେ ରେଳବାଇର ଫ୍ଲାଏ ଓଭରବ୍ରିଜ୍ ନିର୍ମାଣ କରିବା ନେଇ ୪୩୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ସେଥିମଧ୍ୟରେ ଭଦ୍ରକ ଜିଲାର ଭଦ୍ରକ-ରାଣୀତାଲ ମଧ୍ୟରେ ୧୧୮ ଏଲ.ସି, କେନ୍ଦୁଆପଦା ୧୨୫ ଏଲ.ସି ଓ ମଞ୍ଜୁରୀରୋଡ ୧୨୯ ଏଲ.ସି ଠାରେ ଓଭରବ୍ରିଜ୍ ନିର୍ମାଣ ହେବାକୁ ଯାଉଛି । ପୂର୍ବତଟ ରେଳବାଇର କେନ୍ଦୁଆପଦା ଠାରେ ଲେଭୁଲ୍ କ୍ରସିଂ ଥିବା ଯୋଗୁ ସେଠାରେ ଲୋକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ବନ୍ତ ଞ୍ଚଳର ରୋଗୀଟିଏ ଜରୁରୀସ୍ଥିତିରେ ଯିବା ବେଳେ ଗେଟ୍ ପଡିବା ଯୋଗୁ ଘଣ୍ଟାଏ ପର୍ଯ୍ୟନ୍ତ ଅପେକ୍ଷା କରି ମୃତ୍ୟୁ ସହ ସଂଗ୍ରାମ କରୁଥିଲେ । ଜାତୀୟ ରାଜପଥକୁ ସଂଯୋଗ କରୁଥିବା ଏହି ବନ୍ତ-ବାରିକପୁର ରାସ୍ତା ସଦାସର୍ବଦା ବ୍ୟସ୍ତ ବହୁଳ ରହୁଥିବାରୁ ଲୋକେ ସମସ୍ୟାରେ ପଡୁଥିଲେ । ଏଠାରେ ଏକ ଫ୍ଲାଏ ଓଭରବ୍ରିଜ୍ ନିର୍ମାଣ ସହ ରେଳ ଷ୍ଟେଶନର ଉନ୍ନତିକରଣ ଦାବୀ ନେଇ ବିଜେପି ସମେତ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବି ମାନେ ବହୁବାର ଆନ୍ଦୋଳନ କରିଛନ୍ତି । ଉକ୍ତ ଦାବୀକୁ ଗୁରୁତ୍ୱ ଦେଇ ଗତ ୨୦୧୯ ଜୁଲାଇ ୧୯ ତାରିଖରେ ପି.ଏସ୍.ସି ରେଲୱେ ବୋର୍ଡ ସଦସ୍ୟ ପଞ୍ଚାନନ ରାଉତଙ୍କ ଉଦ୍ୟମ କ୍ରମେ ରେଲୱେ ବୋର୍ଡ ଅଧ୍ୟକ୍ଷଙ୍କ ସମେତ ବରିଷ୍ଠ ଅଧିକାରୀ ମାନେ କେନ୍ଦୁଆପଦା ସମେତ ରାଜ୍ୟର ଅନ୍ୟ ରେଳ ଷ୍ଟେଶନ ପରିଦର୍ଶନରେ ଆସିଥିଲେ । ଫଳସ୍ୱରୂପ କେନ୍ଦ୍ର ସରକାର ରାଜ୍ୟର ୬ଟି ସ୍ଥାନରେ ଫ୍ଲାଏ ଓଭରବ୍ରିଜ୍ ନିର୍ମାଣକୁ ଅନୁମୋଦନ କରିଛନ୍ତି । ସେଥିମଧ୍ୟରେ କେନ୍ଦୁଆପଦା ଓ ମଞ୍ଜୁରୀରୋଡ ଠାରେ ଫ୍ଲାଏ ଓଭରବ୍ରିଜ୍ ନିର୍ମାଣ ହେବା ନେଇ ଆଜି ବନ୍ତ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପି.ଏସ୍.ସି ରେଲୱେ ବୋର୍ଡର ସଦସ୍ୟ ତଥା ବିଜେପି ସର୍ବଭାରତୀୟ ପ୍ରଶିକ୍ଷଣ ସଦସ୍ୟ ପଞ୍ଚାନନ ରାଉତ ସୂଚନା ଦେଇଛନ୍ତି । ଏହି ଫ୍ଲାଏ ଓଭରବ୍ରିଜ୍ ନିର୍ମାଣ ହେବା ଫଳରେ ଭଦ୍ରକ ଜିଲା ସମେତ କେନ୍ଦୁଝର ଜିଲାର ଲୋକେ ଉପକୃତ ହେବେ ଶ୍ରୀ ରାଉତ କହିଛନ୍ତି । କେନ୍ଦୁଆପଦା ଓ ମଞ୍ଜୁରୀରୋଡ ଠାରେ ଫ୍ଲାଏ ଓଭରବ୍ରିଜ୍ ହେବାକୁ ଯାଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଭାଇ ମୋଦୀ ଜୀ, କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ଧର୍ମେନ୍ଦ୍ର ପ୍ରଧାନ, ପି.ଏସ୍.ସି କମିଟିର ଅଧ୍ୟକ୍ଷ ରମେଶ ରତ୍ନ, ଡି.ଆର୍.ଏମ୍. ଭି.ଭୁଷଣ, ଜି.ଆର୍.ଏମ୍ ଶଶୀକାନ୍ତ ସିଂ, ଏଡିଆରଏମ୍ ରାଜ କୁମାରଙ୍କୁ ଶ୍ରୀ ରାଉତଙ୍କ ସମେତ ଅଞ୍ଚଳବାସୀ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ଜିଲା ସାଧାରଣ ସଂପାଦକ ବାମଦେବ ଦାସ, ପୂର୍ବତନ କୃଷକ ମୋର୍ଚ୍ଚା ସଭାପତି ପ୍ରଫୁଲ୍ଲ ସିଂ, ଲକ୍ଷ୍ମୀ ବେହେରା, ଗୟାଧର ପତି, ରମେଶ ଜେନା, ସୂର୍ଯ୍ୟମଣି ପଣ୍ଡାଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ ।