ବିଭିନ୍ନ ସ୍ଥାନରେ ମା’ ଦୁର୍ଗାଙ୍କ ପୂଜା ଅନୁଷ୍ଠିତ
ଧାମନଗର (ଓ୍ବାଇଏନଏସ): ଅସତ୍ୟ ଉପରେ ସତ୍ୟର, ଅଧର୍ମ ଉପରେ ଧର୍ମର ଏବଂ ଅନ୍ୟାୟ ଉପରେ ନ୍ୟାୟର ବିଜୟର ପ୍ରତୀକ ହେଉଛି ମା’ ଦୁର୍ଗାଙ୍କ ପୂଜା। ଶକ୍ତି, ସାହସ ଓ ନାରୀଶକ୍ତିର ଆରାଧନା ଭାବେ ପାଳିତ ହେଉଥିବା ଏହି ଶାରଦୀୟ ଦୁର୍ଗାପୂଜା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ବରଂ ଭାରତୀୟ ସଂସ୍କୃତି, ପରମ୍ପରା ଓ ସାମାଜିକ ଏକତାର ଏକ ଅନନ୍ୟ ପର୍ବ। ମା’ଙ୍କ ଆଗମନରେ ଧାମନଗର ଅଞ୍ଚଳ ଏବେ ଉତ୍ସବମୁଖର ହୋଇଉଠିଛି। ଧାମନଗର ମେଡିକାଲ ବଜାର ଓ ଶ୍ୟାମପୁର ଗ୍ରାମରେ ମଧ୍ୟ ପୂଜାର ଆସର ଜମିଛି। ଶ୍ୟାମପୁରର ପୁରାତନ ଦୁର୍ଗାପୂଜା ପରମ୍ପରା ଅଞ୍ଚଳରେ ସ୍ୱତନ୍ତ୍ର ପରିଚୟ ବହନ କରୁଥିବା ବେଳେ କଲ୍ୟାଣୀ ପଞ୍ଚାୟତର ମାଙ୍କଡ଼ିଆ ଗ୍ରାମରେ ପ୍ରାୟ ୩୦୦ ବର୍ଷରୁ ଊର୍ଦ୍ଧ୍ୱ ଧରି ପୂଜା ପରମ୍ପରା ଚାଲିଆସୁଛି। ଏହା ଅଞ୍ଚଳର ପ୍ରାଚୀନ ଧାର୍ମିକ ଓ ସାଂସ୍କୃତିକ ଐତିହ୍ୟକୁ ପ୍ରତିଫଳିତ କରୁଛି। ଧାମନଗର ବ୍ଲକର ଦୋବଲ ବଜାର,କରଦା ପଞ୍ଚାୟତ ଖରାଖାଇ ଓ ଅଲ୍ଲୀନଗର, ରାମେଶ୍ୱରପୁର ଓ ଆନନ୍ଦପୁର,ଗୋବିନ୍ଦପୁର ଗ୍ରାମରେ ନୀଳ ସରସ୍ୱତୀଙ୍କ ପୂଜା କରାଯାଉଥିବା ବେଳେ ଭଗବାନପୁର ପଞ୍ଚାୟତ ବ୍ରହ୍ମପୁରରେ ଦୁଇଟି ଆଦି ସ୍ଥାନରେ ମା’ ଦୁର୍ଗାଙ୍କ ପୂଜା ଆୟୋଜିତ ହୋଇଥିବା ବେଳେ ପୂଜାମଣ୍ଡପରେ ମା’ ଦୁର୍ଗା ପୂଜା ପାଉଛନ୍ତି।ଏହି ସବୁ ସ୍ଥାନରେ ଭକ୍ତିମୟ ପରିବେଶ ମଧ୍ୟରେ ପୂଜାନୀତି ଚାଲିଛି।ପୌରାଣିକ କଥା ଅନୁସାରେ, ମହିଷାସୁର ନାମକ ଅସୁରର ଅତ୍ୟାଚାରରେ ଦେବତାମାନେ ଅତିଷ୍ଠ ହୋଇପଡ଼ିଥିଲେ। ତା’ର ବିନାଶ ପାଇଁ ଦେବତାମାନଙ୍କ ଶକ୍ତିରୁ ଦେବୀ ଦୁର୍ଗାଙ୍କ ଆବିର୍ଭାବ ହୋଇଥିଲା। ଦୀର୍ଘ ସଂଗ୍ରାମ ପରେ ମା’ ଦୁର୍ଗା ମହିଷାସୁରକୁ ବଧ କରି ଦେବତା ଓ ଜଗତକୁ ତା’ର ଅତ୍ୟାଚାରରୁ ମୁକ୍ତ କରିଥିଲେ ବୋଲି ପୁରାଣରେ ବର୍ଣ୍ଣିତ ରହିଛି। ଏହି ପୌରାଣିକ ଘଟଣାକୁ ସ୍ମରଣ କରି ଶାରଦୀୟ ଦୁର୍ଗାପୂଜା ପାଳନ କରାଯାଏ। ଏହା ମଣିଷକୁ ଅନ୍ୟାୟ ବିରୋଧରେ ଠିଆ ହେବା ସହ ସତ୍ୟ ଓ ନ୍ୟାୟର ପଥ ଅନୁସରଣ କରିବାର ବାର୍ତ୍ତା ଦିଏ।ଧାମନଗର ଅଞ୍ଚଳରେ ମଧ୍ୟ ଏହି ପର୍ବର ରହିଛି ସ୍ୱତନ୍ତ୍ର ମହତ୍ତ୍ୱ। ଦୋବଲ ବଜାର, କରଦା ପଞ୍ଚାୟତର ଖରାଖାଇ ଓ ଅଲ୍ଲୀନଗର, ରାମେଶ୍ୱରପୁର, ଆନନ୍ଦପୁର ଆଦି ସ୍ଥାନରେ ମା’ଙ୍କ ପୂଜା ଆୟୋଜିତ ହୋଇଛି। ଦୁର୍ଗାପୂଜାର ଅନ୍ୟତମ ଉଦ୍ଦେଶ୍ୟ ହେଉଛି ସମାଜରେ ଭାଇଚାରା ଓ ସଦ୍ଭାବନାକୁ ସୁଦୃଢ଼ କରିବା। ପୂଜା ମଣ୍ଡପରେ ଜାତି, ଧର୍ମ ଓ ବର୍ଗର ଭେଦଭାବ ଭୁଲି ଲୋକେ ଏକାଠି ହେବା ସହ ମା’ଙ୍କ ଆଶୀର୍ବାଦ ଲାଭ କରିଥାନ୍ତି। ନୂତନ ପିଢ଼ି ମଧ୍ୟ ଏହି ପର୍ବ ମାଧ୍ୟମରେ ନିଜ ଅଞ୍ଚଳର ପରମ୍ପରା ଓ ସଂସ୍କୃତି ସହ ଯୋଡ଼ି ହେବାର ସୁଯୋଗ ପାଉଛନ୍ତି। ଚାରିଦିନ ଧରି ବିଭିନ୍ନ ମଣ୍ଡପରେ ପୂଜାର୍ଚ୍ଚନା ଚାଲିବାକୁ ଥିବାବେଳେ ଦଶମୀରେ ରାବଣପୋଡ଼ି ଓ ଦଶରା ବଳଦ ନାଚ ଉତ୍ସବର ଆକର୍ଷଣ ବଢ଼ାଇବ। ଆକର୍ଷଣୀୟ ତୋରଣ, ରଙ୍ଗିନ ଆଲୋକସଜ୍ଜା ଓ ଭକ୍ତିମୟ ପରିବେଶ ମଧ୍ୟରେ ଧାମନଗରରେ ମା’ଙ୍କ ଆରାଧନା ଜାରି ରହିଛି। ମା’ ଦୁର୍ଗାଙ୍କ ପୂଜା ମାଧ୍ୟମରେ ଶକ୍ତି,ସାହସ,ନ୍ୟାୟ ଓ ମାନବିକତାର ବାର୍ତ୍ତା ସମାଜରେ ପ୍ରସାରିତ ହେଉଛି। ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ପୋଲିସ ପ୍ରଶାସନ ପକ୍ଷରୁ ତଥା ଆଇଆଇସି ଶୁଭ୍ରଜିତ ଦାଶଙ୍କ ତତ୍ତ୍ୱାବଧାନରେ ବ୍ୟାପକ ବ୍ୟବସ୍ଥା କରାଯାଇଛି।


