ଅଖିଳ ଭାରତ କୃଷକ ସଭା କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ କୃଷି ସଂଶୋଧନ ଆଇନ -୨୦୨୦ ପ୍ରତ୍ୟାହାର ପାଇଁ ଦାବୀପତ୍ର
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ଅଖିଳ ଭାରତ କୃଷକ ସଭା କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ କୃଷି ସଂଶୋଧନ ଆଇନ-୨୦୨୦ ପ୍ରତ୍ୟାହାର ନିମନ୍ତେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ଦାବୀପତ୍ର ଅତିରିକ୍ତ ଜିଲ୍ଲାପାଳ ବସନ୍ତ ରାଉତଙ୍କୁ ପ୍ରଦାନ କରାଯାଇଛି । ଦାବୀପତ୍ରରେ ଉଲ୍ଲେଖ ରହିଛି ଯେ ବିଜେପି ନେତୃତ୍ୱାଧୀନ କେନ୍ଦ୍ରର ଏନ.ଡି.ଏ. ସରକାରଙ୍କ ଦ୍ୱାରା ଅତ୍ୟନ୍ତ ଅଗଣତାନ୍ତ୍ରିକ ଭାବେ ଗୃହିତ କରାଯାଇଥିବା କର୍ପୋରେଟ ସପକ୍ଷବାଦୀ କୃଷି ସଂଶୋଧନ ଆଇନ-୨୦୨୦ ଦେଶର କୃଷକମାନଙ୍କର ଜୀବନ ଜୀବିକାକୁ ଆହୁରି ବିପନ୍ନ କରିଦେବ । ଏହା କର୍ପୋରେଟ ହାଉସ ପାଖରେ କୃଷକମାନଙ୍କୁ ବଳିବୋଦା ସଜାଇବା ସହିତ ନିଜ ଜମିରେ ସେମାନଙ୍କୁ ଗୋତିଶ୍ରମିକ କରିଦେବ । ସେହିପରି ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ – ୨୦୨୦ ଦେଶରେ କଳାବଜାରୀକୁ ପ୍ରୋତ୍ସାହିତ କରିବା ସହିତ ଦର ବୃଦ୍ଧିକୁ ଲଗାମହୀନ କରି ସାଧାରଣ ଜନତାଙ୍କ କ୍ରୟ ଶକ୍ତିର ମେରୁଦଣ୍ଡ ଦୋହଲାଇ ଦେବ । ଏହି କୃଷକ ବିରୋଧୀ ତଥା ଦେଶ ବିରୋଧୀ କଳା ଆଇନର ସଂପୂର୍ଣ୍ଣ ପ୍ରତ୍ୟାହାର ଦାବୀରେ ଦେଶର ପଞ୍ଜାବ,ହରିୟାନା ସମେତ ବିଭିନ୍ନ ରାଜ୍ୟର କୃଷକମାନଙ୍କ ଦିଲ୍ଲୀ ଅଭିଯାନ ପରିପ୍ରେକ୍ଷୀରେ ଅଖିଳ ଭାରତ କୃଷକ ସଭାର କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ସେମାନଙ୍କର ଏହି ନ୍ୟାୟୋଚିତ ଦାବିକୁ ସମର୍ଥନ କରିବା ସହିତ ସରକାର ସେମାନଙ୍କର ଯଥାର୍ଥ ଦାବି ଗୁଡିକୁ ତୁରନ୍ତ ସମାଧାନ କରି ଆନ୍ଦୋଳନର ପରିସମାପ୍ତି ଘଟଇବା ପାଇଁ ଅଖିଳ ଭାରତ କୃଷକ ସଭାର କେନ୍ଦ୍ରାପଡା ଜିଲ୍ଲା କମିଟି ଦାବୀ କରିଛି । ତେଣୁ ୩ଟି ଯାକ କୃଷି ସଂଶୋଧନ ଆଇନକୁ ଅବିଳମ୍ବେ ପ୍ରତ୍ୟାହାର କରାଯାଇ କୃଷକ ଆନ୍ଦୋଳନର ଯବନିକା ପକାଯାଉ,ସ୍ୱାମୀନାଥନ କମିଟିର ସୁପାରିଶ ଅନୁଯାଇ ଧାନ କ୍ୱିଂଟାଲ ପ୍ରତି ୨୯୫୦ ଟଙ୍କାରେ କ୍ରୟ କରାଯିବା,ସରକାରୀ ମଣ୍ଡି ବ୍ୟବସ୍ଥାକୁ ଅଧିକ କାର୍ଯ୍ୟକ୍ଷମ ଭାବେ କାର୍ଯ୍ୟକାରୀ କରାଯିବା,ଲଗାମହୀନ ଦର ବୃଦ୍ଧିକୁ ନିୟନ୍ତ୍ରଣ କରାଯିବା,ଆନ୍ଦୋଳନରତ କୃଷକମାନଙ୍କ ଉପରୁ ସମସ୍ତ ପ୍ରକାର ଆକ୍ରୋସମୂଳକ ମାମଲା ପ୍ରତ୍ୟାହାର କରାଯିବା ଓ କୃଷକ ଆନ୍ଦୋଳନରେ ସହୀଦ ହୋଇଥିବା କୃଷକମାନଙ୍କୁ କ୍ଷତିପୁରଣ ପ୍ରଦାନ କରାଯିବାକୁ ଅଖିଳ ଭାରତ କୃଷକ ସଭାର କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଦାବୀ କରାଯାଇଛି । ଆଦିକନ୍ଦ ରାଉଳ,ରମଣୀରଞ୍ଜନ ରାଉତରାୟ,ବାବାଜୀ ଧଳ,ସଂଯୁକ୍ତା ରାଉତ,ସୁହାନା ବେଗମ ପ୍ରମୁଖ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ ।


