ଚୌଦ୍ୱାର ଜେଲ୍ ବ୍ରେକ୍‌କୁ ପୁରିଲା ବର୍ଷେ : ସୁଧୁରିନି ସୁରକ୍ଷା

କଟକ, (ଓ୍ବାଇଏନଏସ): ଚୌଦ୍ୱାର ସର୍କଲ୍ ଜେଲ୍‌ରୁ ଦୁଇ କୁଖ୍ୟାତ ଅପରାଧୀ ଫେରାର୍ ହେବା ଘଟଣାକୁ ବର୍ଷେ ପୂରିଛି। ଫେରାର୍ ଦୁଇ ଅଭିଯୁକ୍ତ ଗିରଫ ହୋଇ ପୁଣି ଜେଲ୍ ଫେରିଥିଲେ ମଧ୍ୟ ଘଟଣା ପରେ ଜେଲ୍ ବିଭାଗ ପକ୍ଷରୁ ଘୋଷଣା କରାଯାଇଥିବା ଅନେକ ସୁରକ୍ଷାମୂଳକ ପଦକ୍ଷେପ ଏଯାବତ୍ ସମ୍ପୂର୍ଣ୍ଣ ହୋଇନଥିବା ଅଭିଯୋଗ ହୋଇଛି। ବିଶେଷକରି ଜେଲ୍‌ର ଭିତର ଓ ବାହାର ପାଚେରିର ଉଚ୍ଚତା ବୃଦ୍ଧି ସହ ନୂଆ ଫେନ୍ସିଂ ତାର ଲଗାଇବା କାମ ଅଧୁରା ରହିଥିବା ଜଣାପଡ଼ିଛି। ଜେଲ୍ ବ୍ରେକ୍ ପରେ ସୁରକ୍ଷା କଡ଼ାକଡ଼ି ପାଇଁ ନୂଆ ସିସିଟିଭି, ଏଆଇ ଆଧାରିତ ନିରୀକ୍ଷଣ ବ୍ୟବସ୍ଥା, ଅତିରିକ୍ତ ୱାଚ୍ ଟାୱାର, ଅଧିକ ୱାର୍ଡର ନିଯୁକ୍ତି ଏବଂ ରାତ୍ରିକାଳୀନ ପାଟ୍ରୋଲିଂ ବୃଦ୍ଧି ଭଳି ପଦକ୍ଷେପ ନେବାକୁ କୁହାଯାଇଥିଲା। ମାତ୍ର ଏସବୁ ମଧ୍ୟରୁ ସିସିଟିଭି ବ୍ୟବସ୍ଥାରେ କିଛି ସୁଧାର ଛଡ଼ା ଅନ୍ୟ ପଦକ୍ଷେପରେ ଆଶାନୁରୂପ ଅଗ୍ରଗତି ହୋଇନଥିବା ଅଭିଯୋଗ ରହିଛି। ଏଆଇ ସିସିଟିଭି ମାଧ୍ୟମରେ ପାଚେରି ନିକଟରେ ସନ୍ଦିଗ୍ଧ ଗତିବିଧି ହେଲେ ଆଲାର୍ମ ଦେବାର ବ୍ୟବସ୍ଥା କରିବା ପ୍ରସ୍ତାବ ମଧ୍ୟ କାର୍ଯ୍ୟକାରୀ ହୋଇନଥିବା କୁହାଯାଉଛି। ସୂଚନାଯୋଗ୍ୟ, ୨୦୨୫ ଜାନୁଆରୀ ୪ରେ ଯାଜପୁର ଜିଲ୍ଲା ପାଣିକୋଇଲିସ୍ଥିତ ପଣ୍ଡା ଜୁଏଲାରୀ ଲୁଟ୍ ମାମଲାରେ ରାଜା ସାହାଣୀ ଓ ମଧୁକାନ୍ତ ରାଣା ଗିରଫ ହୋଇଥିଲେ। ପରେ ଉଭୟଙ୍କୁ ଚୌଦ୍ୱାର ସର୍କଲ୍ ଜେଲ୍‌ରେ ରଖାଯାଇଥିଲା। ୨୦୨୫ ଅକ୍ଟୋବର ୨ ତାରିଖ ରାତିରେ ଜେଲ୍‌ରେ ବିଜୟାଦଶମୀ ଅବସରରେ ଭୋଜି ଚାଲିଥିବା ସମୟରେ ରାତି ପ୍ରାୟ ସାଢ଼େ ୧ଟାରେ ଉଭୟ ନିଜ ନିଜ ସେଲ୍ କାଟି ଫେରାର୍ ହୋଇଥିଲେ। ପୋଷାକ ଓ ବେଡ୍‌ସିଟ୍‌ରେ ଦଉଡ଼ି ପ୍ରସ୍ତୁତ କରି ଦୁଇଟି ପାଚେରି ଡେଇଁ ସେମାନେ ଜେଲ୍ ବାହାରକୁ ଚାଲିଯାଇଥିଲେ। ପରଦିନ ଘଟଣା ଜଣାପଡ଼ିବା ପରେ ପୁଲିସ ତନାଘନା ଆରମ୍ଭ କରିଥିଲା। ଦୀର୍ଘ ଉଦ୍ୟମ ପରେ ୨୦୨୬ ଫେବ୍ରୁଆରୀ ୧୩ରେ ଉତ୍ତରପ୍ରଦେଶରୁ ମଧୁକାନ୍ତ ରାଣା ଗିରଫ ହୋଇଥିଲା। ପରେ ଏପ୍ରିଲ୍‌ରେ ଉତ୍ତରାଖଣ୍ଡର ଋଷିକେଶରୁ ରାଜା ସାହାଣୀ ମଧ୍ୟ ଧରାପଡ଼ିଥିଲା। ସୁରକ୍ଷା ଦୃଷ୍ଟିରୁ ଏବେ ମଧୁକାନ୍ତକୁ ଭୁବନେଶ୍ୱର ଜେଲ୍‌ରେ ଏବଂ ରାଜା ସାହାଣୀକୁ ବ୍ରହ୍ମପୁର ଜେଲ୍‌ରେ ରଖାଯାଇଛି। ଅନ୍ୟପଟେ ଜେଲ୍ ବ୍ରେକ୍ ଘଟଣା ପରେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟିକୁ ନେଇ ଜେଲ୍ ବିଭାଗର ବିଭିନ୍ନ ସ୍ତରରେ ଦୋଷ ଠେଲାଠେଲି ହୋଇଥିବା ଅଭିଯୋଗ ହୋଇଥିଲା। ଘଟଣା ପରେ ଅଧୀକ୍ଷକ ଗିରଫ ହେବା ସହ ଜେଲର୍‌ଙ୍କ ବଦଳି ଓ ନିଲମ୍ବନ ଭଳି ପଦକ୍ଷେପ ନିଆଯାଇଥିଲା। ବର୍ତ୍ତମାନ ପୁରୀ ଜିଲ୍ଲା ଜେଲ୍‌ର ଅଧୀକ୍ଷକଙ୍କୁ ଚୌଦ୍ୱାର ସର୍କଲ୍ ଜେଲ୍‌ର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏତେ ବଡ଼ ଜେଲ୍‌ର ଦାୟିତ୍ୱ ଅନ୍ୟ ଜେଲ୍‌ର ଅଧିକାରୀଙ୍କୁ ଅତିରିକ୍ତ ଭାବେ ଦିଆଯିବାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଜେଲ୍ ବ୍ରେକ୍ ମାମଲାର ତଦନ୍ତକୁ ନେଇ ମଧ୍ୟ ପ୍ରଶ୍ନ ରହିଛି। ଦୁଇ ଫେରାର୍ ଅଭିଯୁକ୍ତ ଗିରଫ ହେବା ପରେ ଚୌଦ୍ୱାର ଥାନା ପୁଲିସ ମେ’ ମାସରେ ପ୍ରାଥମିକ ଚାର୍ଜସିଟ୍ ଦାଖଲ କରିଥିଲା। ମାତ୍ର ରାଜା ସାହାଣୀ ଗିରଫ ହେବାର ପ୍ରାୟ ୬ ମାସ ବିତିଥିଲେ ମଧ୍ୟ ପୂର୍ଣ୍ଣାଙ୍ଗ ଚାର୍ଜସିଟ୍ ଦାଖଲ ହୋଇନଥିବା ସୂଚନା ମିଳିଛି। ଜେଲ୍ ବ୍ରେକ୍ ଘଟଣାକୁ ବର୍ଷେ ପୂରିଥିବା ବେଳେ ଗୋଟିଏ ପଟେ ଜେଲ୍‌ର ସୁରକ୍ଷା ବ୍ୟବସ୍ଥାର ଅନେକ କାମ ଅଧୁରା ରହିଛି, ଅନ୍ୟପଟେ ମାମଲାର ତଦନ୍ତ ମଧ୍ୟ ଶେଷ ହୋଇନଥିବା ଘଟଣା ଚୌଦ୍ୱାର ଜେଲ୍‌ର ସୁରକ୍ଷା ଓ ପ୍ରଶାସନିକ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ