ଜରିପାଲ ତଳେ ବିତୁଛି ଗୋପାଳଙ୍କ ପରିବାର ଜୀବନ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ବସନ୍ତିଆ ପଞ୍ଚାୟତ ବରମୁଣ୍ଡା ଗ୍ରାମର ଗୋପାଳ ନାୟକଙ୍କ ପରିବାର ଜୀବନ ଜରିପାଲ ତଳେ ବିତୁଥିବା ଜଣାଯାଇଛି । ନା ଅଛି ଘର ନା ତାଙ୍କୁ ମିଳୁଛି ଭତ୍ତା । ପରିବାର କହିଲେ ପତ୍ନୀ ଓ ଗୋଟିଏ ଝିଅ । ୧ ବର୍ଷ ପୂର୍ବେ ତାଙ୍କର ରୋଜଗାରିଆ ପୁଅ ମୃତ୍ୟୁ ବରଣ କରିଥିଲେ । ପୁତ୍ରର ମୃତ୍ୟୁ ପରେ ନାତିନାତୁଣୀଙ୍କୁ ଧରି ବୋହୁ ବାପ ଘରକୁ ପଳାଇଗଲା । ପରିବାର ଏବେ ବହୁ ଦୁଃଖ କଷ୍ଟରେ ଚଳୁଛି । ଗୋଟିଏ ଓଳି ଖାଇଲେ ଅନ୍ୟ ଓଳି ଉପାସ ରହିବାକୁ ପଡୁଛି । ଛାଳ ଛପର ଘର ଖଣ୍ଡିଏ ଥିବା ବେଳେ ଅର୍ଥାଭାବରୁ ମରାମତି କରିପାରୁନାହାନ୍ତି । ଫଳରେ ପାଲ ଟାଣି ପରିବାର ଲୋକେ ରହୁଛନ୍ତି । ଗରିବ ଲୋକଙ୍କ ପାଇଁ ସରକାରଙ୍କର ବହୁତ ଯୋଜନା ଥିବା ବେଳେ ତାହା ତାଙ୍କ ପାଇଁ ସାତସପନ ହୋଇଛି । ଧନି ଶ୍ରେଣୀର ଲୋକଙ୍କୁ ସମସ୍ତ ସରକାରୀ ସହାୟତା ମିଳୁଥିବା ସେ କହିଛନ୍ତି । ଗୋପାଳଙ୍କର ଏବେ ୬୪ ବର୍ଷ ହୋଇଥିବା ବେଳେ ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଏଯାଏ ମିଳିନାହିଁ । ଗତ ୧ ବର୍ଷ ହେବ ଭତ୍ତା ପାଇଁ ସେ ଆବେଦନ କରିଥିଲେ ମଧ୍ୟ ଅଦ୍ୟାବଧି ତାଙ୍କୁ ଭତ୍ତା ମିଳିନଥିବା ଅଭିଯୋଗ କରିଛନ୍ତି । ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ସେ ଦୌଡି ଦୌଡି ନୟାନ୍ତ ହୋଇଛନ୍ତି । ବ୍ଲକ ତଥା ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତାଙ୍କୁ ପକ୍କା ଘର ଓ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରିବାକୁ ସେ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ