କବୟିତ୍ରୀ ଡକ୍ଟର ଜୋସ୍ନାମୟୀ ସାହୁଙ୍କୁ ଡକ୍ଟରେଟ୍ କବି ଭୂଷଣ ସମ୍ମାନ
ବନ୍ତ, (ଚାନ୍ଦିନୀ ମହାନ୍ତି ) : ବିଶିଷ୍ଟ କବୟିତ୍ରୀ ଡକ୍ଟର ଜୋସ୍ନାମୟୀ ସାହୁ ଆନ୍ତର୍ଜାତୀୟ ସ୍ତରରେ ଏକ ସ୍ୱତନ୍ତ୍ର ସମ୍ମାନର ଅଧିକାରିଣୀ ହୋଇ ଓଡ଼ିଶା ତଥା ଵନ୍ତ ଅଞ୍ଚଳ ପାଇଁ ଗୌରବ ଆଣିଦେଇଛନ୍ତି। ତାଙ୍କର ଉଚ୍ଚକୋଟିର ସାହିତ୍ୟିକ ସର୍ଜନା ଓ ସାରସ୍ଵତ ସାଧନା ତଥା ଗବେଷଣା ପାଇଁ ଗତ ଜୁନ ୨୬ରେ ନୂଆଦିଲ୍ଲୀର ଚାଣକ୍ୟପୁରୀଠାରେ ଅନୁଷ୍ଠିତ ଏକ ଭବ୍ୟ ସମାରୋହରେ ଆନ୍ତର୍ଜାତୀୟ ସଂଗଠନ ‘ଦି ଗ୍ଲୋବାଲ ଆୱାର୍ଡ ଆଣ୍ଡ ରେକ୍ଗନାଇଜେସନ ଅଫ୍ କାଉନସିଲ’ (ଜିଏଆରସି )ପକ୍ଷରୁ ତାଙ୍କୁ ସମ୍ମାନଜନକ ‘ସାହିତ୍ୟ ଭୂଷଣ’ ସମ୍ମାନରେ ସମ୍ମାନିତ କରାଯାଇଛି। ଏହା ସହିତ ଆମେରିକାର ‘ଅଟୋନୋମସ ଇଷ୍ଟ ଆଣ୍ଡ ୱେଷ୍ଟ ୟୁନିଭରସିଟି’ (ୟୁଏସଏ) ପକ୍ଷରୁ ତାଙ୍କୁ ସମ୍ମାନସୂଚକ ‘ଡକ୍ଟରେଟ୍ ଆୱାର୍ଡ’ ପ୍ରଦାନ କରାଯାଇଛି। ଏହା ପୂର୍ବରୁ ସେ ଆହୁରି ତିନୋଟି ସମ୍ମାନ ସୁଚକ ଡକ୍ଟରେଟ୍ ଉପାଧି ମଧ୍ୟ ହାସଲ କରିସାରିଛନ୍ତି। ବିଭିନ୍ନ ଆନ୍ତର୍ଜାତୀୟ ସଂଗଠନ ତରଫରୁ ସେ ୭୦ ରୁ ଊର୍ଦ୍ଧ୍ୱ ଗ୍ଲୋବାଲ ସାର୍ଟିଫିକେଟ୍ ମଧ୍ୟ ପାଇଛନ୍ତି। ସେ ସମ୍ମାନଜନକ ରବୀନ୍ଦ୍ରନାଥ ଟାଗୋର ଆୱାର୍ଡ, କବି ମହକ, କବି ଶ୍ରୀ, କବି କାଦମ୍ବିନୀ ଏବଂ କବି ସୌରଭ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଛନ୍ତି। ସେ ଜଣେ ଦ୍ୱିଭାଷୀ କବୟିତ୍ରୀ ଅଟନ୍ତି l ସେ ଓଡ଼ିଆ ଏବଂ ଇଂରାଜୀ ଦୁଇଟି ଭାଷାରେ ସାହିତ୍ୟ ସାଧନା କରନ୍ତି। ତାଙ୍କର ଉଚ୍ଚପ୍ରଶଂସିତ ଇଂରାଜୀ ପୁସ୍ତକର ନାମ ହେଉଛି ‘ଦ ଫ୍ରାଗ୍ରାନ୍ସ ଅଫ ଲଭ’ (ପ୍ରେମର ମହକ)। ସେ ଓଡ଼ିଆରେ ୫ ଶହରୁ ଊର୍ଦ୍ଧ୍ୱ କବିତା ରଚନା କରିଛନ୍ତି। ଏକାଧାରରେ ସେ ଜଣେ ସଫଳ ଗାଳ୍ପିକା ଓ ପ୍ରାବନ୍ଧିକା ଭାବେ ୫୦ ରୁ ଊର୍ଦ୍ଧ୍ୱ ଗଳ୍ପ ମଧ୍ୟ ଲେଖିସାରିଛନ୍ତି। ଡକ୍ଟର ଜୋସ୍ନାମୟୀ ସାହୁ ହେଉଛନ୍ତି କେନ୍ଦୁଝର ଜିଲା ମିଠିଙ୍ଗା ଗ୍ରାମର ନରହରି ଜେନା ଓ ମାତା ମାଳତୀ ଜେନାଙ୍କର ଏକମାତ୍ର ସୁପୁତ୍ରୀ। ସେ ବନ୍ତ ବ୍ଲକ ଟିଲୋ ପାଞ୍ଚବାଟିଆ ଗ୍ରାମର ରଙ୍ଗାଧର ସାହୁଙ୍କ ବଡ଼ ବୋହୂ ଏବଂ ନିଳୋକ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ଧର୍ମପତ୍ନୀ ଅଟନ୍ତି। ତାଙ୍କର ଏହି ସଫଳତାକୁ ନେଇ ସେ କହନ୍ତି, କଠୋର ପରିଶ୍ରମ ଓ ସାଧନା ଆଉ ଇଚ୍ଛା ଶକ୍ତି କେଵେ ବି ବାଦ୍ ପଡ଼େନାହିଁ। ତାଙ୍କର ଏହି ସଫଳତାର ଶ୍ରେୟ ସେ ଭଗବାନ ଶ୍ରୀକୃଷ୍ଣ ତଥା ତାଙ୍କର ଶୁଭାକାଂଖି ମାନଙ୍କୁ ଦେଇଛନ୍ତି। ତାଙ୍କର ଏହି ଅସାଧାରଣ ସଫଳତା ପାଇଁ ସମଗ୍ର ବ୍ଲକରେ ଖୁସିର ଲହରୀ ଖେଳିଯାଇଛି ଏବଂ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।


