ଡିଜେ ବଜାଇ ବିବାହ ପାଇଁ ଯାଉଥିବା ସମୟରେ ପୋଲିସ ଦ୍ୱାରା ଡିଜେ ଜବତ
ନାଉଗାଁ, (ଓ୍ବାଇଏନ୍ଏସ୍):କରୋନା ମହାମାରୀ ପାଇଁ ବିଭିନ୍ନ ସାମାଜିକ ଉତ୍ସବ,ବିବାହ କର୍ଯ୍ୟକ୍ରମ ପାଇଁ ସରକାରଙ୍କ ପକ୍ଷରୁ କଟକଣା ଜାରି କରାଯାଇଛି । ବିବାହ କିମ୍ବା କୌଣସି ସାମାଜିକ ଉତ୍ସବ ଅନୁଷ୍ଠିତ ହେବା ପାଇଁ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶ ମାନି ପାଳନ କରିବା ପାଇଁ କଡାକଡି ଭାବେ ଉଲ୍ଲେଖ ରହିଛି । ଏପରିକି ବିଭିନ୍ନ ସାମାଜିକ ଉତ୍ସବ ପାଇଁ ନିକଟସ୍ଥ ଥାନାରୁ ଅନୁମତି ନେବାର ନିୟମ ରହିଛି । କିନ୍ତୁ କେତେକ ବ୍ୟକ୍ତି କୋଭିଡ କଟକଣା ସତ୍ୱେ ଥାନାରୁ ଅନୁମତି ନେଇ କଟକଣାକୁ ନ ମାନି ମନଇଚ୍ଛା ବିବାହ ଭୋଜି କରୁଥିବା ଦେଖିବାକୁ ମିଳିଛି । ନାଉଗାଁ ବ୍ଳକ ଅନ୍ତର୍ଗତ ଅରଖକୁଦ ଗ୍ରାମର ଜୈନିକ ଯୁବକ ବିବାହ ପାଇଁ ବୁଧବାର ଡିଜେ ସାଉଣ୍ଡ ବଜାଇ ଯାଉଥିବାର ଦେଖିବାକୁ ମିଳିଥିଲା । କୌଣସି ସୂତ୍ରରୁ ନାଉଗାଁ ପୋଲିସ ଖବର ପାଇ ଘଟଣାସ୍ଥଳକୁ ଏଏସଆଇ ଅଶୋକ ମହାନ୍ତି ପହଂଚି ଡିଜେ ଗାଡିଟିକୁ ଜବତ କରି ଆଣି ଥାନାରେ ଅଟକ ରଖିଥିବା ଜଣାଯାଇଛି । ଉକ୍ତ ବିଷୟରେ ଏସଆଇ ପ୍ରତାପ ଦାସଙ୍କୁ ପଚାରିବାରେ ଘଟଣାସ୍ଥଳରୁ ଡିଜେ ଗାଡିକୁ ଥାନାକୁ ଅଣାଯାଇ ଅଟକ ରଖାଯାଇଛି । ଆଇନାନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ ।


