ତୁମ୍ବେଶ୍ୱର ଦେବୀନଦୀ ବନ୍ଧ ସୁରକ୍ଷା କମିଟିର ପଥପ୍ରାନ୍ତ ସଭା
ନାଉଗାଁ,(ୱାଇଏନ୍ଏସ୍): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଗଜରାଜପୁର ପଂଚାୟତର ତୁମ୍ବେଶ୍ୱର ଠାରେ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ବେଳେ ଦେବୀନଦୀ ବନ୍ଧରେ ଫାଟ ସୃଷ୍ଟି ହୋଇଛି । ଯାହାକୁ ତୁମ୍ବେଶ୍ୱର ଦେବୀନଦୀ ବନ୍ଧ ସୁରକ୍ଷା କମିଟି ପକ୍ଷରୁ ପ୍ରତିବାଦ କରାଯାଇ ଅଲଣାହାଟ ଠାରେ ପଥପ୍ରାନ୍ତ ସଭା ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ବଂଶୀଧର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ପଥପ୍ରାନ୍ତ ସଭାରେ ଅଲଣା ଗ୍ରାମ ପଂଚାୟତର ପୂର୍ବତନ ସରପଂଚ ନବକିଶୋର ମହାନ୍ତି, ନବନିର୍ମାଣ କୃଷକ ସଂଗଠନର ଜିଲ୍ଲା ସହ ସଂଯୋଜକ ଅଶୋକ କୁମାର ସ୍ୱାଇଁ, ଅଲଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନର ଜିଲ୍ଲା ଆବାହକ ସୁବାସ ସ୍ୱାଇଁ ପ୍ରମୁଖ ସାମିଲ ହୋଇଥିଲେ । ସେମାନଙ୍କ କହିବା ମୁତାବକ ପ୍ରଶାସନ ଆଗ ନଦୀବନ୍ଧ ସୁଦୃଢ କରନ୍ତୁ ପରେ ପ୍ରକଳ୍ପ ନିର୍ମାଣ କରନ୍ତୁ । ଏହି ଉର୍ଦ୍ଦେଶ୍ୟରେ ଆସନ୍ତା ୧୭ ତାରିଖରେ ଏକ ମହାମେଳ ଅନୁଷ୍ଠିତ ହେବ । ଏହି ମହାମେଳକୁ ସଫଳ କରିବାକୁ ସେମାନେ ଆହ୍ୱାନ ଦେବା ସହିତ ମାତ୍ର ନଅ-ଦଶ ଜଣକୁ ନେଇ ପ୍ରକଳ୍ପ ନିର୍ମାଣକୁ ବିରୋଧ କରିବା ପାଇଁ ବୈଠକ କରିବା ଫଳରେ ଜିଲ୍ଲାପାଳ ଓ ସ୍ଥାନୀୟ ବିଧାୟକ ନଦୀ ବନ୍ଧ ଦେଖିବାକୁ ଆସିଲେ । ଯଦି ୯୦ଜଣ ସ୍ୱାଭିମାନୀ ସଚେତନ ନାଉଗାଁବାସୀ ମିଳିତ ହୋଇ ବସିବେ । ତେବେ ଆମ୍ଭମାନଙ୍କର ଦାବି ନିଶ୍ଚିତ ପୂରଣ ହେବ ବୋଲି ମତ ରଖିଥିଲେ ।


