ଧାନ କିଣାରେ ଖିଲାପ ଅଭିଯୋଗ ପ୍ରାଥମିକ କୃଷି ସମବାୟ ସମିତି ଲିଃ.ର ସମ୍ପାଦକ ନିଲମ୍ବିତ
ବାଲେଶ୍ୱର,(ଓ୍ବାଇଏନ୍ଏସ୍):ଧାନ କିଣାରେ ଖିଲାପ ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଅନ୍ତର୍ଗତ ଚଣ୍ଡିଘର ପ୍ରାଥମିକ କୃଷି ସମବାୟ ସମିତି ଲିଃ.ର ସମ୍ପାଦକ ଶ୍ରୀ ରବିନାରାୟଣ ବାରିକଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ଚାଷୀମାନଙ୍କର ଟୋକନ ଥିଲେ ମଧ୍ୟ ଚଣ୍ଡିଘର କୃଷି ସମବାୟ ସମିତି ପକ୍ଷରୁ ଧାନ କିଣା ହୋଇପାରି ନ ଥିଲା । ଡିସେମ୍ବର ୨, ୪, ୭, ୯ ଓ ୧୧ତାରିଖ ଦିନ ଧାନ ବିକ୍ରି ପାଇଁ ଯେଉଁ ଚାଷୀମାନଙ୍କୁ ଟୋକନ ମିଳିଥିଲା ସେମାନଙ୍କ ପାଖରୁ ଧାନ କିଣା ହୋଇ ନ ପାରିବା ଫଳରେ ୯୫ଜଣ ଚାଷୀ ନିର୍ଦ୍ଧାରିତ ଦିନରେ ସେମାନଙ୍କ ଧାନ ବିକ୍ରି କରିବାରୁ ବଂଚିତ ହୋଇଥିଲେ । ଏ ନେଇ ଚଣ୍ଡିଘର ସମବାୟ ସମିତି ସମ୍ପାଦକ ଶ୍ରୀ ରବିନାରାୟଣ ବାରିକଙ୍କୁ ଗତକାଲି (ଡିସେମ୍ବର ୧୫) ୨୪ ଘଂଟା ମଧ୍ୟରେ କାରଣ ଦର୍ଶାଇବା ପାଇଁ ନୋଟିସ ଜାରି କରାଯାଇଥିଲା । ତେବେ ଇତି ମଧ୍ୟରେ ଜିଲ୍ଲା ଯୋଗାଣ ଅଧିକାରୀ ଚଣ୍ଡିଘର ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟାଳୟକୁ ଯାଇ ପ୍ରକୃତ ସ୍ଥିତିର ଯାଂଚ କରିଥିଲେ । ଯାଂଚ ପରେ ଧାନ କ୍ରୟରେ ଅନିୟମିତତା ହୋଇଥିବା ଜଣାପଡିଥିଲା । ଏ ନେଇ ଜିଲ୍ଲା ଯୋଗାଣ ଅଧିକାରୀ ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀଙ୍କୁ ରିପୋର୍ଟ ପ୍ରଦାନ କରିବା ପରେ ଜିଲ୍ଲାପାଳ ସମିତି ସମ୍ପାଦକଙ୍କୁ ନିଲମ୍ବନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି କ୍ରମରେ ଚଣ୍ଡିଘର କୃଷି ସମବାୟ ସମିତି ପ୍ରଶାସକଙ୍କ ଆଦେଶ ସଂଖ୍ୟା ୨୭, ତା ୧୬.୧୨.୨୦୨୦ ମୂଳେ ସମିତି ସମ୍ପାଦକ ଶ୍ରୀ ରବିନାରାୟଣ ବାରିକ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି । ଏଥି ସହିତ ଖିରକୋଣା ସମବାୟ ସମିତିର ସହ ସମ୍ପାଦକ ଶ୍ରୀ କମଳାକାନ୍ତ ପାଢୀଙ୍କୁ ସମସ୍ତ ଦାୟିତ୍ୱ ହସ୍ତାନ୍ତର କରିବା ପାଇଁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନିଲମ୍ବନ ଅବଧିରେ ତାଙ୍କ ମୁଖ୍ୟାଳୟ ଚଣ୍ଡିଘର କୃଷି ସମବାୟ ସମିତ ରହିବ ଏବଂ ସମିତି ସମ୍ପାଦକଙ୍କ ବିନା ଅନୁମତିରେ ସେ ମୁଖ୍ୟାଳୟ ଛାଡି ଯାଇପାରିବେ ନାହିଁ ବୋଲି ମଧ୍ୟ ନିର୍ଦ୍ଦେଶ ପ୍ରଦାନ କରାଯାଇଛି । ଚାଷୀଙ୍କ ଠାରୁ ଧାନ କିଣାରେ ଯେପରି କୌଣସି ଅନିୟମିତତା ନ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତୀ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ।