ବିଦ୍ୟାଳୟରୁ ପୁଣି ଚୋରି ଉଦ୍ୟମ, ଗ୍ରାମବାସୀଙ୍କ ଅସନ୍ତୋଷ : ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ତିନୋଟି ବିଦ୍ୟାଳୟରୁ ତାଲାଭାଙ୍ଗି ଚୋରି ଉଦ୍ୟମ କରାଯାଇଥିବା ଦେଖିବାକୁ ମିଳିଛି। ପୂର୍ବରୁ ମାର୍ଚ୍ଚ ୧୭ ତାରିଖରେ ଦୁତିମେଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ତାଲାଭାଙ୍ଗି ଚାଉଳ ଚୋରି ହୋଇଥିବା ବେଳେ ଆଜି ପୁଣିଥରେ ଉକ୍ତ ବିଦ୍ୟାଳୟରୁ ଚୋରି ଉଦ୍ୟମ ହୋଇଛି। ପ୍ରଥମ ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ପୁଲିସ୍‍ କାହାରିକୁ ଗିରଫ କରିବାରେ ସକ୍ଷମ ହୋଇ ନ ଥିବା ବେଳେ ପୁଣିଥରେ ଚୋରି ଘଟଣା ଅଞ୍ଚଳବାସୀଙ୍କୁ ଚିନ୍ତାରେ ପକାଇଛି।ଦୀର୍ଘମାସ ଧରି ବିଦ୍ୟାଳୟ ଗୁଡ଼ିକରେ ତାଲାପଡ଼ିଥିବା ବେଳେ ଏହାର ସୁଯୋଗ ନେଇ ଚୋରମାନେ ଚୋରି କରିବା ଆରମ୍ଭ କରିଛନ୍ତି। ତେବେ ଉକ୍ତ ବିଦ୍ୟାଳୟର ତାଲାଭାଙ୍ଗି ଚୋରମାନେ ଚୋରି କରିବାକୁ ଚେଷ୍ଟା କରିଥିଲେ ମଧ୍ୟ କିଛି ଜିନିଷ ନ ପାଇବାରୁ ସେମାନେ ଦୁତିମେଣ୍ଡି ଅଙ୍ଗନୱାଡ଼ି କେନ୍ଦ୍ରରୁ ପିଲାମାନଙ୍କ ପାଇଁ ରଖାଯାଇଥିବା କିଛି ଅଣ୍ଡା ଚୋରି କରି ନେଇଛନ୍ତି। ସେହିଭଳି ସମ୍ବେପଦର ପ୍ରାଥମିକ ବିଦ୍ୟାଳୟରୁ ମଧ୍ୟ ଚୋରି ପାଇଁ ଉଦ୍ୟମ କରିଥିବାର ଅଭିଯୋଗ ହୋଇଛି। ବାରମ୍ବାର ଚୋରି ହେଉଥିଲେ ମଧ୍ୟ ପୁଲିସ୍‍ ସଂପୃକ୍ତ ଅଞ୍ଚଳ ମାନଙ୍କରେ କୌଣସି ପ୍ରକାର ପଦକ୍ଷେପ ନେଉନଥିବା ଯୋଗୁଁ ଦିନକୁ ଦିନ ଚୋରି ବୃଦ୍ଧି ପାଉଥିବାର ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ଖଜୁରିପଡ଼ା ସମେତ ଆଖ ପାଖ ଅଞ୍ଚଳର ବ୍ୟବସାୟୀଙ୍କ ମଧ୍ୟରେ ଛନକା ପଶିଯାଇଛି। ଏଭଳି ସ୍ଥଳେ ପୁଲିସର ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ଉତ୍କଳମଣି ଯୁବକ ସଂଘର ସମୀର ପ୍ରସାଦ ଝାଙ୍କର, ଆସ୍ତିକ ମଲିକ, ଦେବରାଜ ମୁଖୀ, ବିରଂଚି ମୁଖୀ, ଗୋଲକବିହାରୀ ମଲିକ ଓ ଅନ୍ୟମାନେ ଦାବୀ କରିଛନ୍ତି। ତେବେ ଆଜି ବିଦ୍ୟାଳୟରୁ ଚୋରି ଉଦ୍ୟମ ନେଇ ସିଆରସିସି ରଘୁନାଥ କହଁର ଖଜୁରିପଡ଼ା ଥାନାରେ ଲିଖିତ ଭାବେ ଅଭିଯୋଗ ପରେ ପୁଲିସ୍‍ ତଦନ୍ତ ଆରମ୍ଭ କରିଥିବା ପ୍ରକାଶ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ