ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା କନ୍ଧମାଳ ୟୁନିୟନ ଅଫ୍ ଜର୍ଣ୍ଣାଲିଷ୍ଟ ପକ୍ଷରୁ ଦାବିପତ୍ର ପ୍ରଦାନ
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ଖବର ସଂଗ୍ରହ ପାଇଁ ଯାଇଥିବା ନୟାଗଡ ଜିଲ୍ଲାର ଯଦୁପୁରଠାରେ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ଏବଂ ବାଲେଶ୍ୱର ଜିଲ୍ଲା ସୋରର ଅନ୍ୟ ଏକ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଆକ୍ରମଣ ଘଟଣାର ତୀବ୍ର ନିନ୍ଦା କରିଛି କନ୍ଧମାଳ ୟୁନିୟନ ଅଫ୍ ଜର୍ଣ୍ଣାଲିଷ୍ଟ। ରାଜ୍ୟରେ ସାମ୍ବାଦିକମାନଙ୍କ ଉପରେ ହେଉଥିବା ଲଗାତାର ଭାବରେ ଆକ୍ରମଣ ଯୋଗୁଁ ଓଡିଶା ୟୁନିୟନ ଅଫ୍ ଜର୍ଣ୍ଣାଲିଷ୍ଟସର ଅନୁବନ୍ଧିତ କନ୍ଧମାଳ ଜିଲ୍ଲା ଶାଖା ପକ୍ଷରୁ ସରକାରଙ୍କ ନିକଟରେ ସାମ୍ବାଦିକ ସୁରକ୍ଷା ଆଇନ ଅଣିବାକୁ ମଧ୍ୟ ଦାବୀ ରଖାଯାଇଛି।ଆଜି କନ୍ଧମାଳ ୟୁନିୟନ ଅଫ୍ ଜର୍ଣ୍ଣାଲିଷ୍ଟସ୍ (କେୟୁଜେ) ର ସଭାପତି ପ୍ରଶାନ୍ତ କୁମାର ବେହେରା ଓ ସାଧାରଣ ସମ୍ପାଦକ ବ୍ରଜମୋହନ ନାୟକଙ୍କ ନେତୃତ୍ୱରେ ଉପସଭାପତି ବଳଦେବ ବେହେରା, ମିଡିଆ କୋଡିନେଟର ସନ୍ତୋଷ କୁମାର ମିଶ୍ର, କୋଷାଧ୍ୟକ୍ଷ ମନୋଜ କୁମାର ଗୌଡ, ଉନ୍ନୟନ ପାଣ୍ଠି ସଂଯୋଜକ ଅଶୋକ କୁମାର ମହାନ୍ତି, ଆଇନ ଉପଦେଷ୍ଟା ଆଦିତ୍ୟ ପ୍ରସାଦ ତ୍ରିପାଠୀ, ସାମ୍ବାଦିକ ସୁଜିତ୍ କୁମାର ବେହେରା, ଗୌରଚରଣ ବେହେରା, ହୁରଞ୍ଜନ ସେଠୀ, ରମେଶଚନ୍ଦ୍ର ପ୍ରଧାନ, ଶିବପ୍ରସାଦ ନାୟକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ଦାବୀପତ୍ର ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁଙ୍କୁ ପ୍ରଦାନ କରିଛନ୍ତି। ଏଥିରେ ସାମ୍ବାଦିକ ମାନଙ୍କୁ ହୋଇଥିବା ଆକ୍ରମଣର ଦୃଢ ନିନ୍ଦା କରାଯିବା ସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ଉଭୟ ଘଟଣାର ସମସ୍ତ ଆକ୍ରମଣକାରୀଙ୍କ ବିରୋଧରେ ତୁରନ୍ତ କର୍ଯ୍ୟାନୁଷ୍ଠାନ ନିଆଯିବା ନିମନ୍ତେ ଦାବୀ ଉଲ୍ଲେଖ କରାଯାଇଛି। ସାମ୍ବାଦିକମାନେ ନିଜର ଜୀବନକୁ ବିପଦରେ ପକାଇ ସମାଜ କଲ୍ୟାଣରେ ନିଜକୁ ନିୟୋଜିତ କରୁଥିବାବେଳେ ବିଭିନ୍ନ ସମୟରେ ସେମାନେ ଆକ୍ରମଣ ଓ ଆକ୍ରୋଶର ଶୀକାର ହେଥିବାରୁ ସରକାର ସାମ୍ବାଦିକ ମାନଙ୍କର ସାମୁହିକ ସୁରକ୍ଷା ପାଇଁ ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ଆଣିବାକୁ ଦାବି କରାଯାଇଛି। ସେହିପରି କନ୍ଧମାଳ ଜିଲ୍ଲା ମାଓ ଅଧ୍ୟୂସିତ ଅଂଚଳ ଏବଂ ଗଞ୍ଜେଇ ମାଫିଆଙ୍କ ଚରାଭୁଇଁ ହୋଇଥିବାରୁ ଏଠାରେ ମଧ୍ୟ ସାମ୍ବାଦିକମାନଙ୍କର ଜୀବନ ପ୍ରତି ବିପଦ ରହିଛି। ତେଣୁ କନ୍ଧମାଳ ସମେତ ସମସ୍ତ ମାଓ ଅଧ୍ୟୁଷିତ ଅଂଚଳରେ ସ୍ୱତନ୍ତ୍ର ସାମ୍ବାଦିକ ସୁରକ୍ଷା ଆଇନ ଆଣିବାକୁ ମଧ୍ୟ ଉକ୍ତ ଦାବି ପତ୍ରରେ ଉଲ୍ଲେଖ କରାଯାଇଛି ।


