ପୃଥିବୀରେ ପ୍ରେତଲୋକ
ଆତ୍ମା ଏବଂ ପ୍ରେତାତ୍ମା ସହିତ ଜଡ଼ିତ କିଛି କାହାଣୀ ନିଶ୍ଚିତ ପରିବାରର ବଡ଼ ସଦସ୍ୟମାନଙ୍କଠାରୁ ଶୁଣିଥିବେ । ଏହି କଥାକୁ କିଛି ଲୋକ ବିଶ୍ୱାସ କରୁଥିବାବେଳେ ଆଉ କେହି ଅନ୍ଧବିଶ୍ୱାସ ବୋଲି କହିଥାନ୍ତି । ମଣିଷର ମୃତ୍ୟୁଘଟିଲେ ସେ ପରଲୋକ ଗମନ କରିଥାଏ । ତାଙ୍କ ଆତ୍ମାର ସଦ୍ଗତି ପାଇଁ ପରିବାର ଲୋକେ ଘରେ ଶ୍ରାଦ୍ଧ ବା ପିଣ୍ଡଦାନ କରିଥାନ୍ତି । କୁହାଯାଏ, ପିଣ୍ଡଦାନ କଲେ ପିତୃଲୋକ ସ୍ୱର୍ଗରୁ ପୃଥିବୀ ପୃଷ୍ଠକୁ ଆସିଥାନ୍ତି । ଏମିତି ଏକ ସ୍ଥାନ ଅଛି, ଯେଉଁଠିକି ପିତୃଲୋକଙ୍କ ଆଗମନ ହୋଇଥାଏ । ଏହି ସ୍ଥାନ ରହିଛି ବିହାରର ଗୟାଧାମରେ । ରହସ୍ୟମୟୀ ସ୍ଥାନଟି “ପ୍ରେତାଶିଳା’ ନାମରେ ମଧ୍ୟ ପରିଚିତ । ଏହା ଉପରେ ପିଣ୍ଡଦାନ କଲେ ପ୍ରେତାତ୍ମାଙ୍କୁ ମୁକ୍ତି ତଥା ଶାନ୍ତି ମିଳିଥାଏ । ଗରୁଡ଼ ପୁରାଣ ଅନୁସାରେ ଏହି ପଥର ଚଟାଣକୁ ପିତୃଲୋକମାନେ ଆସିଥାନ୍ତି । ପିଣ୍ଡଦାନ ଗ୍ରହଣ କରି ପୁଣି ସ୍ୱର୍ଗକୁ ଫେରିଯାଇଥାନ୍ତି । ଭଗବାନ ବିଷ୍ଣୁଙ୍କ ଭକ୍ତ ଗୟାସୁରଙ୍କ ନାମରେ ଏହି ସ୍ଥାନର ଏପରି ନାମକରଣ କରାଯାଇଛି । ଗୟାସୁର ନିଜେ ବିଷ୍ଣୁଙ୍କ ଏହି ବର ମାଗିଥିଲେ ଯେ, କିପରି ମୃତ୍ୟୁଲୋକଙ୍କୁ ପ୍ରାପ୍ତ କରିବେ । ଆଉ ଏଠାରେ ସେମାନଙ୍କର ପିଣ୍ଡଦାନ ହେବା ସହ ଆତ୍ମାକୁ ମୁକ୍ତି ମିଳିବ ।


