ନୂଆ ଓଡ଼ିଶା ଗଠନର ପ୍ରକୃତ ବିନ୍ଧାଣି ଥିଲେ ପ୍ରଜ୍ଞାପୁରୁଷ ଜାନକୀ ବଲ୍ଲଭ;୯୫ତମ ଜୟନ୍ତୀରେ ବିଶିଷ୍ଟ ବ୍ୟକ୍ତିଙ୍କ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ଆସାମର ପୂର୍ବତନ ରାଜ୍ୟପାଳ, ବିଶିଷ୍ଟ ବିଦ୍ୱାନ, ପଣ୍ଡିତ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୯୫ତମ ଜନ୍ମୋତ୍ସବ ଜାନକୀ ବଲ୍ଲଭ ପଟ୍ଟନାୟକ ରାଜ୍ୟସ୍ତରୀୟ ସ୍ମୃତି କମିଟି ପକ୍ଷରୁ ଆଜି ପୂର୍ବାହ୍ନରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଏକ ସାମୂହିକ ଦୀପଦାନ ଉତ୍ସବ ବୁଦ୍ଧ ମନ୍ଦିରଠାରେ ଅନୁଷ୍ଠିତ ହେବା ପରେ ଅନୁଷ୍ଠାନର କାର୍ଯ୍ୟକାରୀ ଅଧ୍ୟକ୍ଷ ଡଃ ବିମଳେନ୍ଦୁ ମହାନ୍ତିଙ୍କ ପୌରହିତ୍ୟତରେ ଏକ ଭର୍ଚୁଆଲ ସଭା ଜୁମ୍ ଭିଡ଼ିଓ ଯୋଗେ ଅନୁଷ୍ଠିତ ହୋଇଥିଲା ।ସ୍ୱାଗତ ଭାଷଣରେ ସାଧାରଣ ସମ୍ପାଦକ ତଥା ଜାନକୀ ବଲ୍ଲଭଙ୍କ ପ୍ରତି ଏକାନ୍ତ ଅନୁଗତ ଡ଼ଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଲେ ଯେ, ଆଜି ଯେଉଁ ବିକଶିତ ଓଡ଼ିଶାକୁ ଯୁବକମାନେ ଦେଖୁଛନ୍ତି ଏହାର ପ୍ରକୃତ ବିନ୍ଧାଣି ଥିଲେ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦେଶ କଂଗ୍ରେସର ସଭାପତି ନିରଞ୍ଜନ ପଟ୍ଟନାୟକ କହିଲେ ଯେ, ସ୍ୱର୍ଗତ ପଟ୍ଟନାୟକ ଏକ ଦୂରଦୃଷ୍ଟି ସମ୍ପନ୍ନ ନେତା ଥିଲେ, ଯେ ଓଡ଼ିଶାକୁ ବିକଶିତ କରି ଭାରତର ଏକ ଶ୍ରେଷ୍ଠ ରାଜ୍ୟରେ ପରିଣତ କରିବାର ସ୍ୱପ୍ନ ଦେଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ପଞ୍ଚାନନ କାନୁନଗୋ, ଜାନକୀ ବାବୁଙ୍କୁ ଭଗବତ ଗୀତାର ମହତ ମଣିଷ ଭାବେ ବର୍ଣ୍ଣନା କରିଥିଲେ । ପୂର୍ବତନ କୁଳପତି ଡଃ ହରେକୃଷ୍ଣ ଶତପଥୀ, ସେ ଅସୀମ ଧୀଶକ୍ତିର ଅଧିକାରୀ ଥିଲେ ବୋଲି କହିଥିଲେ ।ଶ୍ରଦ୍ଧାଞ୍ଜଳି ଜଣାଇ ଶ୍ରମିକନେତା ରାଜେନ୍ଦ୍ର ପ୍ରସାଦ ସିଂହ କହିଲେ ଯେ ଶତୃକୁ ମିତ୍ର କରିବାର କଳା ତାଙ୍କୁ ଜଣାଥିଲା । ଅଧ୍ୟାପକ କୈଳାସ ଆଚାର୍ଯ୍ୟ କହିଲେ ଯେ, ମହାଭାରତ, ରାମାୟଣ, ଭାଗବତକୁ ସେ ଯେଉଁଭଳି ତର୍ଜମା କରିଛନ୍ତି ଏଭଳି ବ୍ୟକ୍ତିତ୍ୱ ଆଜିର ସମାଜରେ ବିରଳ । ସମସ୍ତ କାର୍ଯ୍ୟକ୍ରମକୁ ଶିକ୍ଷାବିତ୍ ବଦ୍ରିନାଥ ପଟ୍ଟନାୟକ ପରିଚାଳନା କରିଥିଲେ । ଦୀପଦାନ କାର୍ଯ୍ୟକ୍ରମରେ ପଣ୍ଡିତ ବିନୋଦ ବିହାରୀ ଦାସ ବେଦପାଠ କରିଥିଲେ । ପୁରୀ ଶ୍ରୀ ଶଙ୍କରାଚାର୍ଯ୍ୟ ମଠର ପ୍ରବକ୍ତା ମନୋଜ ରଥ ଓ ପ୍ରଫେସର ବୁଦ୍ଧଦେବ ମିଶ୍ର ଜାନକୀ ବାବୁଙ୍କୁ ଦେବକଳା ସମ୍ପନ୍ନ ମଣିଷ ବୋଲି କହିଥିଲେ । ସମାଜସେବୀ ସୀତାବଲ୍ଲଭ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପ୍ରଶାସକ ଗୋବିନ୍ଦ ମାହୁନ୍ତ, ସମାଜସେବୀ ପସନ୍ନ ବିଶୋୟୀ, ବୁଦ୍ଧ ମନ୍ଦିରର ଟ୍ରଷ୍ଟି ଡଃ ସୌରେନ୍ଦ୍ର ମହାପାତ୍ର, ଯୋଗଗୁରୁ ନାରାୟଣ ଚନ୍ଦ୍ର ନନ୍ଦ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇ ବକ୍ତବ୍ୟ ରଖିଥିଲେ ।


