“ମୌସୁମୀ’ ପ୍ରତ୍ୟାବର୍ତନ ଆରମ୍ଭ, ତୃତୀୟ ସପ୍ତାହରେ ଓଡ଼ିଶା ଛାଡ଼ିବ୧୮ ଜିଲ୍ଲାକୁ ଘଡ଼ଘଡ଼ି ଓ ବଜ୍ରପାତ ସତର୍କତା

ଭୁବନେଶ୍ୱର : ବିଳମ୍ବରେ ଭାରତ ଭୂଖଣ୍ଡକୁ ଛୁଇଁଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଡେରିରେ ପ୍ରତ୍ୟାବର୍ତନ ଆରମ୍ଭ କରିଛି । ନିର୍ଦ୍ଧାରିତ ସମୟ(ସେପ୍ଟେମ୍ବର ୨୪)ର ୧୫ ଦିନ ପରେ ଅର୍ଥାତ୍ ଆଜିଠାରୁ ଉତ୍ତର ପଶ୍ଚିମ ଭାରତରୁ ମୌସୁମୀ ଛାଡ଼ିବା ଆରମ୍ଭ କରିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କୁହାଯାଇଛି ଯେ ପ୍ରଥମ ଦିନରେ ପଞ୍ଜାବର କିଛି ଅଞ୍ଚଳ, ହରିୟାନା ଓ ଉତ୍ତର ରାଜସ୍ଥାନରୁ ମୌସୁମୀ ଫେରିଛି । ଏବେ ପାଗ ଅନୁକୂଳ ରହିଥିବାରୁ ଆସନ୍ତା ଦୁଇ ଦିନ ମଧ୍ୟରେ ଉତ୍ତର ପଶ୍ଚିମ ଭାରତର କେତେକ ରାଜ୍ୟରୁ ବି ମୌସୁମୀ ପ୍ରତ୍ୟାବର୍ତନ କରିବ । ଏହାର ପରବର୍ତୀ ଦୁଇ/ତିନି ଦିନ ମଧ୍ୟରେ ସମ୍ପୂର୍ଣ୍ଣ ଉତ୍ତର ପଶ୍ଚିମ ଓ କେନ୍ଦ୍ରୀୟ ଭାରତର କେତେକ ରାଜ୍ୟରୁ ମୌସୁମୀ ଫେରିଯିବ । ତେବେ ପୂର୍ବ ଭାରତରୁ ମୌସୁମୀ ଫେରିବାକୁ ଅକ୍ଟୋବର ତୃତୀୟ ସପ୍ତାହ ହୋଇଯିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ଉତ୍ତର-ପଶ୍ଚିମ ଭାରତରେ ସୃଷ୍ଟି ହୋଇଥିବା ଗୁରୁଚାପ କ୍ରମଶଃ ବିସ୍ତାରିତ ହେଉଛି । ତେଣୁ ୧୩ ତାରିଖ ସୁଦ୍ଧା କେନ୍ଦ୍ରୀୟ ଭାରତରୁ ମୌସୁମୀ ପ୍ରତ୍ୟାବର୍ତନ କରିବ । ଘୂର୍ଣ୍ଣିବଳୟ ଯୋଗୁଁ ଏବେ ଓଡ଼ିଶାକୁ ଦକ୍ଷିଣ ଆଡ଼ୁ ବଙ୍ଗୋପସାଗରୀୟ ପବନ ପ୍ରବାହିତ ହେଉଛି ।ପୂର୍ବ ଓ ଦକ୍ଷିଣ ଭାରତରେ ବର୍ଷା ହେବ ।  ଯାହାକି ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଦେଖାଯାଉନି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ୧୦ ତାରିଖ ପୂର୍ବାହ୍ନ ସୁଦ୍ଧା କୋରାପୁଟ, ଗଜପତି, ରାୟଗଡ଼ା, ମୟୂରଭଞ୍ଜ ଓ ବାଲେଶ୍ୱରରେ ମଧ୍ୟମଧରଣର ବର୍ଷା ହୋଇପାରେ । ଏହି ସମୟ ମଧ୍ୟରେ ଉତ୍ତର, ଉପକୂଳ ଓ ଦକ୍ଷିଣ ଓଡ଼ଶାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବଜ୍ରପାତର ସମ୍ଭାବନା ରହିଛି । ୧୧ ତାରିଖ ମଧ୍ୟାହ୍ନ ସୁଦ୍ଧା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ଗଜପତି, ରାୟଗଡ଼ା, କଟକ, ଖୋର୍ଧା, ନୟାଗଡ଼, ପୁରୀ, ଗଞ୍ଜାମ, ବାଲେଶ୍ୱର, ଜଗତସିଂହପୁର, ବଲାଙ୍ଗୀର ଓ କନ୍ଧମାଳ ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବଜ୍ରପାତ ହେବ । ଏହାପରେ ପାଗରେ ପରିବର୍ତନ ଆସିବ ବୋଲି ପୂର୍ବାନୁମାନ କରାଯାଇଛି । ତେବେ ପ୍ରାୟ ୪୦ଟି ବ୍ଲକରେ ସ୍ୱାଭାବିକଠାରୁ ସାମାନ୍ୟ ନିଅଣ୍ଟିଆ ବର୍ଷା ହୋଇଥିବା ସ୍ୱତନ୍ତ୍ର ରିଲିଫ କମିସନଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ