ସରକାରଙ୍କୁ ପର୍ଯ୍ୟଟକ ଚିନ୍ତା

ଭୁବନେଶ୍ୱର : ରାଜ୍ୟକୁ କିପରି ଅଧିକ ପର୍ଯ୍ୟଟକ ଆସିବେ, ସେଥିପାଇଁ କ’ଣ କରିବାକୁ ପଡ଼ିବ, କେଉଁଭଳି ଭିତ୍ତିଭୂମି ସଜାଡ଼ିବାକୁ ହେବ ସେନେଇ ରାଜ୍ୟ ସରକାର ମାନସମନ୍ଥନ କରିବାକୁ ଯାଉଛନ୍ତି । ରାଜ୍ୟରେ ପର୍ଯ୍ୟାପ୍ତ ପର୍ଯ୍ୟଟନସ୍ଥଳୀ ଥିବା ସତ୍ତେ୍ୱ ଆଶାତୀତ ପର୍ଯ୍ୟଟକ ଆସୁନଥିବାରୁ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଯାଇଛି । ତେଣୁ ଆସନ୍ତା ଶୁକ୍ରବାର ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସି ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ସ୍ଥିର ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ, ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଜଳ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି । ଏହାସହ ସମସ୍ତ ପର୍ଯ୍ୟଟନସ୍ଥଳୀକୁ ଦୁଇ ଥାକିଆ ରାସ୍ତା ନିର୍ମାଣ କରିବାକୁ ପୂର୍ତ୍ତ ବିଭାଗକୁ କୁହାଯାଇଛି । ପର୍ଯ୍ୟଟନ ଶିଳ୍ପର ଉନ୍ନତି ପାଇଁ ଜମି ବ୍ୟାଙ୍କ କରିବା, ଏଥିରେ କେଉଁ ଅଞ୍ଚଳରେ କେତେ ଜମି ସଂରକ୍ଷିତ କରିବା, କିପରି ଆବଣ୍ଟନ ହେବ, ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜିନିବେଶ କରୁଥିବା ସଂସ୍ଥାଙ୍କୁ ସିଙ୍ଗଲ୍ ୱିଣ୍ଡୋ ମାଧ୍ୟମରେ ସମସ୍ତ ଏନ୍‌ଓସି ପ୍ରଦାନ କରାଯିବ ସେନେଇ ଆଲୋଚନା ହେବ । ସେହିପରି ବନ୍ୟପ୍ରାଣୀଙ୍କୁ ନେଇ କିପରି ପର୍ଯ୍ୟଟନ ଭିତ୍ତିଭୂମି ସୃଷ୍ଟି କରାଯିବ, କେଉଁ ଅଭୟାରଣ୍ୟରେ ପର୍ଯ୍ୟଟକଙ୍କୁ ସୁବିଧାରେ ବୁଲାଇ ହେବ, ରାତ୍ରିଯାପନ ବ୍ୟବସ୍ଥା କରାଯିବ ସେନେଇ ବି ଜଙ୍ଗଲ ଓ ପରିବେଶ ବିଭାଗ ଯୋଜନା ପ୍ରସ୍ତୁତ କରିବାକୁ କୁହାଯିବ । ଏସବୁ ବାଦ୍ ଏବେ ଭୁବନେଶ୍ୱର-ପୁରୀରେ ସୀମିତ ଥିବା ପର୍ଯ୍ୟଟନ ଶିଳ୍ପକୁ ଯେପରି ସମ୍ପ୍ରସାରଣ କରାଯାଇପାରିବ ସେଥିପାଇଁ ଭୁବନେଶ୍ୱରରୁ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଯାତ୍ରୀମାନେ ସୁବିଧାରେ ଯାତାୟାତ କରିପାରିବେ ସେଥିପାଇଁ ଓଟିଡିସି ଏବଂ ବିଭିନ୍ନ ଟୁର୍ ଅପରେଟରଙ୍କ ଦ୍ୱାରା ଟୁର୍ ପ୍ୟାକେଜ୍ କରିବା ନେଇ ମଧ୍ୟ ଆଲୋଚନା ହେବ । ସଂଧ୍ୟାରେ ବିଭିନ୍ନ ସ୍ଥାନରେ ପର୍ଯ୍ୟଟକ ରହିଲେ ସେଠାରେ ସେମାନଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ କରିବା, ବିଭିନ୍ନ ସ୍ଥାନରେ ନିୟମିତ ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ପାଇଁ ମଧ୍ୟ ଏହି ବୈଠକରେ ନିଷ୍ପତ୍ତି ନିଆଯାଇପାରେ । ନଭେମ୍ବରରୁ ପର୍ଯ୍ୟଟନ ଋତୁ ଆରମ୍ଭ ହେଉଥିବାରୁ ନଭେମ୍ବର- ଡିସେମ୍ବରରୁ ଯେପରି ସବୁ ଭିତ୍ତିଭୂମି ଯୋଗାଇ ହେବ ସେନେଇ କିଛି ନିଷ୍ପତ୍ତି ନିଆଯାଇପାରେ । ଏହି ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ଅର୍ଥ ବିଭାଗ, ଜଳ ସମ୍ପଦ ବିଭାଗ, ସଂସ୍କୃତି ବିଭାଗ, ବାଣିଜ୍ୟ ଓ ପରିବହନ ବିଭାଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ଏବଂ ପୂର୍ତ୍ତ ସଚିବଙ୍କ ସମେତ ଇଡକୋ ଅଧ୍ୟକ୍ଷ, ପିସିସିଏଫ୍ (ବନ୍ୟପ୍ରାଣୀ), ନନ୍ଦନକାନନ ଚିଡ଼ିଆଖାନା ନିର୍ଦ୍ଦେଶକ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ମୁଖ୍ୟ ନିର୍ବାହୀ, ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଏହି ବୈଠକକୁ ଡକାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ