କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସଙ୍ଗୀତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବି – ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ
ବ୍ରହ୍ମପୁର,(ଓ୍ବାଇଏନ୍ଏସ୍): କଳା ଓ କଳାକାର ହିତୈଷୀ ମହାମଞ୍ଚ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ” ପକ୍ଷରୁ ଦୀକ୍ଷାନୁମୋଦନୋତ୍ସବ : ୨୦୨୧ ସ୍ଥାନୀୟ ମାର୍ଥା ସାହି କାଶୀ ବିଶ୍ଵନାଥ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବ୍ରହ୍ମପୁର ସଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ସୀମାନ୍ତ ନଟରାଜ ଡା. ତିରୁପତି ସାହୁ, ଅବସର ପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ କୃଷ୍ଣ ଚନ୍ଦ୍ର ନିସଙ୍କ, ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ନାହାକ, ସମାଜସେବୀ ବଦ୍ରିନାରାୟଣ ନାୟକ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଓଡ଼ିଆ ସଂସ୍କୃତିର ଏନ୍ତୁଡ଼ିଶାଳ ଗଞ୍ଜାମ ଜିଲ୍ଲାରେ ପୁଣି ଥରେ ସାଂସ୍କୃତିକ ପୁନାର୍ଜଗରଣର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଦକ୍ଷିଣ ଓଡ଼ିଶାରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସଙ୍ଗୀତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କ୍ଷେତ୍ରରେ ଯଥାସାଧ୍ୟ ସହଯୋଗ ଓ ପ୍ରଚେଷ୍ଟା କରିବେ ବୋଲି ଉଭୟ ସଂସଦ ଓ ବିଧାୟକ ପ୍ରତିଶ୍ରୁତି ଦେଇଥିଲେ । ସଂଘ ତରଫରୁ ଶତାୟୁ ଲୋକକଳା ଗୁରୁ ଅର୍ଜୁନ ଅଧିକାରୀ, ବରିଷ୍ଠ କଳାକାର ସୁବାସ ଚନ୍ଦ୍ର ସାହୁ ମାମା, ସମାଜସେବୀ ବିଜୟ କୁମାର ସାହୁ ପ୍ରମୁଖଙ୍କ ସମେତ କିଛି ସାମ୍ବାଦିକ ବନ୍ଧୁଙ୍କୁ ସେମାନଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ବିକ୍ରମ କୁମାର ପଣ୍ଡା ସଭାପତି, ଦୁର୍ଗା ପ୍ରସାଦ ଆଚାର୍ଯ୍ୟ କାର୍ଯ୍ୟକାରୀ ସଭାପତି, ଦେବେନ୍ଦ୍ର ପ୍ରସାଦ ଶର୍ମା, ପ୍ରଫୁଲ୍ଲ ବେହେରା, ସନ୍ତୋଷ କୁମାର ପାଢ଼ୀ, ହୃଷୀକେଶ ହୋତା ପ୍ରମୁଖ ଉପ ସଭାପତି, ସୁବାସ ଚନ୍ଦ୍ର ସାହୁ ରୋଶନ୍ ସମ୍ପାଦକ, ବଳଦେବ ସାହୁ କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଥିବା ବେଳେ ଟି. ତାରିଣୀ ରାଓ, ଭଗବାନ ସାମଲ, ଗୋପାଳ ଚନ୍ଦ୍ର ସେଠୀ, ଲକ୍ଷ୍ମୀ ନାରାୟଣ ସାମଲ, ଶ୍ୱେତ କୁମାର ରଥ, ଜୟକୃଷ୍ଣ ପଟ୍ଟନାୟକ, ଯଶୋଦା ବେହେରା, କିଶୋର କପୁର ପ୍ରମୁଖ କାର୍ଯ୍ୟକାରୀ ସଦସ୍ୟ ଭାବେ ଶପଥ ଗ୍ରହଣ କରିଥିଲେ | ପ୍ରାରମ୍ଭରେ ସଂଘ ସମ୍ପାଦକ ରୋଶନ୍ ସ୍ଵାଗତ ଭାଷଣ ଓ ସଂପାଦକୀୟ ବିବରଣୀ ପାଠ କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶକ ରମେଶ ଚନ୍ଦ୍ର ସ୍ୱାଇଁ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ । ଏହି ଅବସରରେ ନଳବଣ୍ଟା ନରସିଂହ ନାଟ୍ୟ ସାଂସଦ ପ୍ରଯୋଜିତ ପ୍ରହଲ୍ଲାଦ ନାଟକ ଦର୍ଶକଙ୍କ ମନୋରଞ୍ଜନ କରିଥିଲା । ପରିଶେଷରେ ଦେବେନ୍ଦ୍ର ପ୍ରସାଦ ଶର୍ମା ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।