ଜାନୁଆରୀ 16 ତାରିଖରେ ଦେଶବ୍ୟାପୀ କୋଭିଡ-19 ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 16 ଜାନୁଆରୀ, 2021 ପୂର୍ବାହ୍ନ ସାଢ଼େ ଦଶଟା ସମୟରେ ଭିଡିଓ କନଫରେନ୍ସ ଜରିଆରେ ଦେଶବ୍ୟାପୀ କୋଭିଡ-19 ଟୀକାକରଣ ଅଭିଯାନର ଶୁଭାରମ୍ଭ କରିବେ। ଦେଶର କୋଣଅନୁକୋଣରେ ପହଞ୍ଚିବାକୁ ଥିବା ଏହା ହେବ ବିଶ୍ବର ସର୍ବବୃହତ ଟୀକାକରଣ ଅଭିଯାନ। ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ମୋଟ 3006ଟି ଟୀକାକରଣ କେନ୍ଦ୍ର ଭର୍ଚୁଆଲ ମାଧ୍ୟମରେ ଯୋଡ଼ି ହେବ‍େ। ଉଦଘାଟନୀ ଦିବସରେ ପ୍ରତ୍ୟେକ ଟୀକାକରଣ କେନ୍ଦ୍ରରେ ପାଖାପାଖି 100 ଜଣ ହିତାଧିକାରୀଙ୍କୁ ଟୀକା ଦିଆଯିବ।ପ୍ରାଥମିକ ବର୍ଗଙ୍କୁ ପ୍ରଥମେ ଟୀକା ଦିଆଯିବାର ନୀତି ଉପରେ ଏହି ଟୀକାକରଣ ଅଭିଯାନ ଆଧାରିତ। ତେଣୁ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ସମେତ ଉଭୟ ସରକାରୀ ଏବଂ ଘରୋଇ ସ୍ବାସ୍ଥ୍ୟକେନ୍ଦ୍ରର ସ୍ବାସ୍ଥ୍ୟସେବା କର୍ମୀମାନଙ୍କୁ ଏହି ପ୍ରଥମ ପର୍ଯ୍ୟାୟରେ ଟୀକା ଦିଆଯିବ।ଏହି ଟୀକାକରଣ କାର୍ଯ୍ୟକ୍ରମ ସମୟରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ବିକଶିତ କରାଯାଇଥିବା ଏକ ଅନଲାଇନ ଡିଜିଟାଲ ପ୍ଲାଟଫର୍ମ କୋ-ଓ୍ବିନ୍କୁ ଉପଯୋଗ କରାଯିବ। ଏହା ଗଚ୍ଛିତ ଥିବା ଟୀକା ପରିମାଣ, ଭଣ୍ଡାରଣ ତାପମାତ୍ରା ଏବଂ କୋଭିଡ-19 ଟୀକା ଦେବା ଲାଗି ହିତାଧିକାରୀମାନଙ୍କୁ ବ୍ୟକ୍ତିଗତ ଭାବେ ଟ୍ରାକ କରିବା ସମ୍ପର୍କରେ ସଠିକ ସମୟରେ ସୂଚନା ଯୋଗାଇ ଦେବ। ଟୀକାକରଣ ଅଭିଯାନ ଚଳାଇବା ସମୟରେ ସମସ୍ତ ସ୍ତରରେ କାର୍ଯ୍ୟକ୍ରମ ପରିଚାଳକମାନଙ୍କୁ ଏହି ଡିଜିଟାଲ ପ୍ଲାଟଫର୍ମ ସହାୟକ ହୋଇପାରିବ।କୋଭିଡ-19 ମହାମାରୀ, ଟୀକାକରଣ କାର୍ଯ୍ୟକାରିତା ଏବଂ କୋ-ଓ୍ବିନ ସଫ୍ଟୱେର୍ ସମ୍ପର୍କରେ କୌଣସି ପ୍ରକାର ସନ୍ଦେହ ମୋଚନ ପାଇଁ ଏକ ସମର୍ପିତ 24 ଘଣ୍ଟିଆ କଲ ସେଣ୍ଟର-1075 ସ୍ଥାପନ କରାଯାଇଛି।ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସକ୍ରିୟ ସହଯୋଗ କ୍ରମେ କୋଭିଶିଲ୍ଡ ଏବଂ କୋଭାକ୍ସିନର ଯଥେଷ୍ଟ ସଂଖ୍ୟକ ମାତ୍ରା ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶକୁ ପଠାଇ ଦିଆଯାଇସାରିଛି। ପରେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ଏସବୁକୁ ଜିଲ୍ଲାଗୁଡ଼ିକୁ ପଠାଇସାରିଛନ୍ତି। ଜନ ଭାଗିଦାରୀ ନୀତି ଆଧାରରେ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ନିମନ୍ତେ ସମସ୍ତ ପ୍ରକାରର ପ୍ରସ୍ତୁତି କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ