ବିସ୍ତାପିତଙ୍କ ବେଦନା ଶୁଣିଲେ ପିସିସି ସଭାପତି ଓ ପରିଦର୍ଶନ କଲେ ଡାକ୍ତରଖାନା ।

ଯୋଡା,(ସମୀର କୁମାର ଦାସ): କେନ୍ଦୁଝର ଜିଲା ଯୋଡା ବ୍ଲକ ବାସୁଦେବପୁର ଠାରେ ନିର୍ମାଣଧିନ ଓଡିଶାର ଦ୍ୱିତୀୟ ବୃହତମ ନଦୀବନ୍ଧ ଯୋଜନା କାନପୁର ବୃହତ୍ ଜଳସେଚନ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ବିସ୍ତାପିତଙ୍କ ବିଭିନ୍ନ ମୌଳିକ ସମସ୍ୟାର ସମୀକ୍ଷା କରିବାକୁ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ସୋମବାର ପୂର୍ବାହ୍ନରେ ଯୋଡା ଗସ୍ତରେ ଆସିଥିଲେ । ଏହା ସହିତ ଯୋଡାରେ ଥିବା ଶ୍ରମ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ କେନ୍ଦ୍ରୀୟ ଚିକିତ୍ସାଳୟ ଓ ଯୋଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପରିଦର୍ଶନରେ ଯାଇଥିଲେ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପୂର୍ବାହ୍ନ ୧୧ ଘଟିକା ସମୟରେ ସର୍ବପ୍ରଥମେ କାନପୁର ନଦୀବନ୍ଧ ଯୋଜନା ଦ୍ୱାରା ପ୍ରଭାବିତ ୧୬ ଗୋଟି ବୁଡି ଅଂଚଳବାସୀଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏକ ବିରାଟ ପଟୁଆରରେ ବିସ୍ତାପିତମାନେ ସଭାପତି ପଟ୍ଟନାୟକଙ୍କୁ ସଭାମଂଚକୁ ପାଛଟି ନେଇଯାଇଥିଲେ । ଉକ୍ତ ସଭାରେ କଂଗ୍ରେସ ନେତା ଅଶୋକ କୁମାର ଠକ୍କର, ଗୁରୁବକ୍ସ ସିଂ ଆହଲୁୱାଲିଆ, ବିଦ୍ୟାଧର ଦେହୁରୀ, ବୈଦ୍ୟନାଥ ନାଏକ, ଜଗନ୍ନାଥ ବାରିକଙ୍କ ସମେତ ବହୁଦଳୀୟ କର୍ମୀ ଉପସ୍ଥିତ ଥିଲେ । ୨୦୦୬ ମସିହା ବିସ୍ତାପିତ ଥଇଥାନ ନିତି ଅନୁଯାୟୀ ୧୬ ଟି ବୁଡି ଅଂଚଳର ଜନସାଧାରଣଙ୍କୁ ଥଇଥାନରେ ବିଳମ୍ବ ଓ କାର୍ଯ୍ୟକାରୀ ନହେବା, ନିର୍ମାଣ ହୋଇଥିବା ବିସ୍ତାପିତ କଲୋନୀରେ ମଧ୍ୟ ମୌଳିକ ସୁବିଧା ନଥିବା, ୨୦୦୮ ରୁ ୨୦୧୪ ମସିହା ପର୍ଯ୍ୟନ୍ତ ସରକାର ସର୍ଭେ କାର୍ଯ୍ୟ କରିଛନ୍ତି, ହେଲେ ବର୍ତମାନ ପର୍ଯ୍ୟନ୍ତ ଶତକଡା ୬୦ ପ୍ରତିଶତ ଥଇଥାନ ହୋଇନାହାନ୍ତି କି ସର୍ଭେ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉନାହିଁ । କିମ୍ବା ପୁନର୍ବାସ ଥଇଥାନକୁ ତ୍ୱରାନ୍ୱିତ କରାଯାଉନାହିଁ । ଦାବି ଉପସ୍ଥାପନ କଲେ ପ୍ରଶାସନିକ ସ୍ତରରେ ବିସ୍ତାପିତଙ୍କୁ ଦମନ କରାଯାଉଛି ବୋଲି କହି ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ । ବିସ୍ତାପିତ ମାନଙ୍କର ବିବିଧ ସମସ୍ୟା ଓ ଦାବିକୁ ମଙ୍ଗଳବାର କେନ୍ଦୁଝର ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବେ ଓ ପରେ ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ନେବେ । ଆସନ୍ତା ୨୮ ତାରିଖରେ ପୁନଃ କାନପୁରକୁ ଗସ୍ତରେ ଆସିବେ ବୋଲି ସେ କହିଛନ୍ତି । ଅପରାହ୍ନ ପ୍ରାୟ ୨ ଘଟିକା ସମୟରେ ଯୋଡାସ୍ଥିତ କେନ୍ଦ୍ରୀୟ ଚିକିତ୍ସାଳୟ ପରିଦର୍ଶନରେ ଆସି ଶୋଚନୀୟ ଅବସ୍ଥା ଦେଖି ହତବାକ୍ ହୋଇଯାଇଥିଲେ । ଖଣିରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ପାଇଁ ଥିବା କେନ୍ଦ୍ରୀୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ଥ ଥିବା ଦେଖି ରାଜନେତା ମାନଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଥିଲେ । ସେଠାରୁ ଯୋଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ପରିଦର୍ଶନରେ ଆସି ଆବଶ୍ୟକୀୟ ଡାକ୍ତର ଅଭାବ, ଫାର୍ମାସିଷ୍ଟ ଅଭାବ, ମହିଳା ସ୍ୱାସ୍ଥ୍ୟକର୍ମୀ, ଅପରେସନ ଥିଏଟର, ଆମ୍ବୁଲାନ୍ସ ନଥିବା ଦେଖି ଯୋଡା ଲୋକ ବହୁତ ସହନଶୀଳ ବୋଲି କହିବା ସହିତ ଖଣିରୁ ଅଜସ୍ର ଟଙ୍କା ରାଜସ୍ୱ ଉପାର୍ଜନ କରୁଥିବା ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ । ଖୁବ୍‌ଶୀଘ୍ର କଂଗ୍ରେସ ଦଳର ବିଧାୟକମାନଙ୍କୁୁ ଏ ଅଂଚଳକୁ ଗସ୍ତରେ ଆସିବାପାଇଁ ପ୍ରସ୍ତାବ ଦେବେ ଏବଂ ବହୁବିଧ ସମସ୍ୟା ଉପରେ ଗୃହରେ ବିଧାୟକମାନେ ପ୍ରଶ୍ନ କରିବେ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ