ଅଡ଼ୁଆରେ ବରିଷ୍ଠ ଏନସିପି ନେତା ପ୍ରଫୁଲ୍ଲ ପଟେଲ!
ମୁମ୍ବାଇ: ପୂର୍ବତନ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ତଥା ବରିଷ୍ଠ ଏନସିପି ନେତା ପ୍ରଫୁଲ୍ଲ ପଟେଲଙ୍କର ଅଣ୍ଡରୱାର୍ଲଡ୍ ଡନ୍ ଦାଉଦ ଇବ୍ରାହିମର ଜଣେ ସହଯୋଗୀ ସହିତ ଆର୍ଥିକ କାରବାର ମାମଲା ଏବେ ନୂଆ ମୋଡ଼ ନେଇଛି । ଏହାକୁ ନେଇ ସେ ଅଡ଼ୁଆ ପରିସ୍ଥିତିରେ ପଡ଼ିପାରନ୍ତି ବୋଲି କୁହାଯାଉଛି । ମିଳିଥିବା ସୂଚନା ଅନୁଯାୟୀ ଏହି ମାମଲାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ କରୁଥିବା ଜଈଣାଯାଇଛି । ଏନସିପି ନେତା ପ୍ରଫୁଲ୍ଲ ପଟେଲଙ୍କ ପରିବାର ତରଫରୁ ପ୍ରମୋଟେଡ କମ୍ପାନି ଏବଂ “ମିର୍ଚି ‘ ନାମରେ କୁଖ୍ୟାତ ସ୍ୱର୍ଗତ ଇକବାଲ ମେମନ ମଧ୍ୟରେ ଆର୍ଥିକ କାରବାର ହୋଇଥିଲା । ପଟେଲ ପରିବାର ତରଫରୁ ପ୍ରମୋଟେଡ କଂପାନୀ ମିଲେନିୟମ ଡେଭଲପର୍ସ ପ୍ରାଇଭେଟ ଲିମିଟେଡ ଓ ମିର୍ଚି ପରିବାର ମଧ୍ୟରେ ହୋଇଥିବା ନ୍ୟାୟିକ ବୁଝାମଣାପତ୍ରକୁ ଇଡି ତଦନ୍ତ କରୁଥିବା ଜଣାଯାଇଛି । ଏହି କାରବାର ପଟେଲ ପରିବାରର କଂପାନି ମିଲେନିୟମ ଡେଭଲପର୍ସକୁ ମିର୍ଚି ପରିବାର ତରଫରୁ ୱାର୍ଲିରେ ନେହରୁ ପ୍ଲାନେଟାରିୟମ ସମ୍ମୁଖରେ ଏକ ପ୍ଲଟ ଦିଆଯାଇଥିଲା । ଏହି ପ୍ଲଟରେ ମିଲେନିୟମ ଡେଭଲପର୍ସ ୧୫ ମହଲା ବ୍ୟାବସାୟିକ ଓ ଆବାସିକ ଘର ନିର୍ମାଣ କରାଯାଇଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବିଗତ ୨ ଦିନ ମଧ୍ୟରେ ମୁମ୍ବାଇଠାରୁ ଆରମ୍ଭ କରି ବେଙ୍ଗାଲୁରୁ ପର୍ଯ୍ୟନ୍ତ ୧୧ଟି ସ୍ଥାନରେ ଚଢ଼ାଉ କରି ବ୍ୟାପକ ମାତ୍ରାରେ କାଗଜପତ୍ର ଜବତ କରି ତଦନ୍ତ କରିଥିବା ଜଣାଯାଇଛି । ପଟେଲ ପରିବାର ସଦସ୍ୟମାନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଖୁବ ଶୀଘ୍ର ନୋଟିସ କରିବ ବୋଲି ସୂଚନା ମିଳିଛି ।


