ଚୀନରେ ହେବ ମୋଦୀ-ଜିନପିଙ୍ଗ ତୃତୀୟ ସମ୍ମିଳନୀ
ଚେନ୍ନାଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଙ୍କ ମଧ୍ୟରେ ତୃତୀୟ ଅନୌପଚାରିକ ସମ୍ମିଳନୀ ଚୀନରେ ଆସନ୍ତା ବର୍ଷ ଅନୁଷ୍ଠିତ ହେବ । ରାଷ୍ଟ୍ରପତି ଜିନପିଙ୍ଗ ତାମିଲନାଡୁ଼ର ମାମଲ୍ଲାପୁରମରେ ଅନୁଷ୍ଠିତ ଦ୍ୱିତୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କୁ ତୃତୀୟ ସମ୍ମିଳନୀ ପାଇଁ ଆମନ୍ତ୍ରଣ କରିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ଏହାକୁ ଗ୍ରହଣ କରିଛନ୍ତି । ପାରସ୍ପରିକ ବୁଝାମଣାକୁ ଉତ୍ସାହିତ କରିବା ଏବଂ ମତଭେଦରୁ ଊତଭେକୁ ଉଠି କାମ କରିବା ଦିଗରେ ଅନୌପଚାରିକ ସମ୍ମିଳନୀ ନିର୍ଣ୍ଣାୟକ ଭୂମିକା ନେଉଥିବାରୁ ତୃତୀୟ ସମ୍ମିଳନୀ ପାଇଁ ମଧ୍ୟ କ୍ଷେତ୍ର ପ୍ରସ୍ତୁତି ହୋଇସାରିଛି । ଚୀନର ଉହାନ୍ ସହରରେ ହୋଇଥିବା ପ୍ରଥମ ସମ୍ମିଳନୀରେ ଦୁଇ ନେତା ନେଇଥିବା ନିଷ୍ପତ୍ତିର ବ୍ୟାପକ ସକରାତ୍ମକ ପ୍ରଭାବ ରହିଥିଲା ଏବଂ ଏବେ “ଚେନ୍ନାଇ ସଂପର୍କ’ ଏଥିରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ିଛି ବୋଲି ବିଦେଶ ସଚିବ ବିଜୟ ଗୋଖଲେ କହିଛନ୍ତି । ତୃତୀୟ ପର୍ଯ୍ୟାୟ ସମ୍ମିଳନୀ ପାଇଁ ତାରିଖ ଏବଂ ସ୍ଥାନ ପରବର୍ତ୍ତୀ ସମୟରେ ସ୍ଥିର ହେବ ବୋଲି ସେ କହିଛନ୍ତି । ଦ୍ୱିତୀୟ ସମ୍ମିଳନୀରେ ଉଭୟ ନେତା ବନ୍ଧୁ ଭଳି ସବୁ ପ୍ରସଙ୍ଗରେ ମନ ଖୋଲା ଆଲୋଚନା କରିଥିଲେ ଏବଂ ବାଣିଜ୍ୟ ଓ ପୁଂଜିନିବେଶ କ୍ଷେତ୍ରରେ ମଧ୍ୟ ବିସ୍ତୃତ ଚର୍ଚ୍ଚା ହୋଇଥିଲା । ଆତଙ୍କବାଦ ଏବଂ ଉଗ୍ରବାଦ ନେଇ ମିଳିତ ରଣନୀତିରେ କାର୍ଯ୍ୟ କରିବାକୁ ମୋଦୀ-ଜିନପିଙ୍ଗ ସହମତି ପ୍ରକାଶ କରିଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଅନୌପଚାରିକ ଆଲୋଚନା ପ୍ରାୟ ୬ ଘଣ୍ଟା ଧରି ହୋଇଥିଲା ଏବଂ କୌଣସି ମତଭେଦକୁ ବିବାଦରେ ପରିଣତ ହେବାକୁ ଦିଆଯିବ ନାହିଁ ବୋଲି ଦୁଇ ନେତା ସହମତି ପ୍ରକାଶ କରିଛନ୍ତି । ମହାବଳୀପୁରମ ତାଜ୍ ଫିସରମେନ୍ କୋଭ୍ ରିସୋର୍ଟରେ ମୋଦୀ-ଜିନପିଙ୍ଗ ମଧ୍ୟରେ ଶେଷ ପର୍ଯ୍ୟାୟ ଅନୌପଚାରିକ ବୈଠକ ହୋଇଥିଲା । ଏହାପରେ ଦୁଇ ଦେଶ ମଧ୍ୟରେ ପ୍ରତିନିଧିସ୍ତରୀୟ ଆଲୋଚନା ମଧ୍ୟ ହୋଇଥିଲା ।


