ନେତାଜୀ ସୁଭାଷ ବୋଷ ଓ ବୀର ସୁରେନ୍ଦ୍ର ସାଏ ଥିଲେ ଦେଶପ୍ରେମ ଓ ବୀରତ୍ୱର ପ୍ରତୀକ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଓ ସମ୍ବଲପୁର ମାଟିର ଗୌରବ ବୀର ଶହୀଦ ସୁରେନ୍ଦ୍ର ସାଏଙ୍କ ୨୧୩ତମ ଜୟନ୍ତୀରେ ସ୍ଥାନୀୟ ପ୍ରତିମୂର୍ତ୍ତିଠାରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ମତବ୍ୟକ୍ତ କରି କହିଲେ ଯେ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦେଶପ୍ରେମ, ବୀରତ୍ୱ ଅତୁଳନୀୟ । ତାଙ୍କର ଆହ୍ୱାନ ‘ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି’ ପ୍ରତ୍ୟେକ ଦେଶପ୍ରେମୀଙ୍କୁ ଆଜିବି ଅନୁପ୍ରାଣିତ କରେ । ତାଙ୍କ ମୃତ୍ୟୁ ସମ୍ବନ୍ଧରେ ବହୁ ତଥ୍ୟ ଆଜି ଲୋକଲୋଚନକୁ ଆସିପାରି ନାହିଁ । ଇଂରେଜମାନଙ୍କ ବିରୋଧରେ ଦୃଢ ଭାବରେ ସଂଗ୍ରାମ କରି ଆଜାଦ ହିନ୍ଦ ଫୌଜ ନାମକ ବାହିନୀ ଗଠନ କରିଥିଲେ ଯାହା ତାଙ୍କ ଦେଶପ୍ରେମ, ସାହାସିକତା ପ୍ରମୁଖକୁ ଦର୍ଶାଇଥାଏ । ଠିକ୍ ସେହିପରି ସମ୍ବଲପୁର ମାଟିର ଗୌରବ ବୀର ସୁରେନ୍ଦ୍ର ସାଏ ପ୍ରଚଣ୍ଡ ସ୍ୱାଭିମାନୀ, ମାଟି, ଭାଷାପ୍ରାଣ ତଥା ଇଂରେଜ ବିରୋଧରେ ତାଙ୍କର ସଂଗ୍ରାମ ବେଶ ପ୍ରଶଂସନୀୟ ଥିଲା । ଓଡ଼ିଶା ତଥା ତେଶମାତୃକା ପାଇଁ ଉଭୟଙ୍କ ବଳିଦାନ ଚିର ସ୍ମରଣୀୟ । ଏହି ଅବସରରେ ଭାଷା ତଥା ପୂଜ୍ୟପୂଜାପ୍ରାଣ ପଦ୍ମନାଭ ଦାଶଙ୍କୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସ୍ମୃତି ସମ୍ମାନ ଓ ସାମ୍ବାଦିକ ନିରଞ୍ଜନ ରେଡ଼ିଙ୍କୁ ବୀର ସୁରେନ୍ଦ୍ର ସାଏ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । ଅଭିଯାନର ବରିଷ୍ଠ ସଦସ୍ୟ ଶିକ୍ଷାବିତ, ଭାଷାଯୋଦ୍ଧା ସୀତାବଲ୍ଲଭ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଭିଯାନର ବ୍ରଜବନ୍ଧୁ ପରିଡ଼ା, ପୂଜ୍ୟପୂଜାପ୍ରାଣ ଳକ୍ଷ୍ମୀଧର ବେହେରା, ବିଜୟ ରାଉ, ବି. ମୁରଲୀଧର, ରୋହିତ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ