ନିରବଦ୍ରଷ୍ଟା ତହସିଲଦାର , ସୀମାଟପି ଶହଶହ ଟ୍ରିକ ବାଲି ଚୋରି କରୁଛନ୍ତି ମୁନାଫାଖୋର ବେପାରୀ
ବାରିକପୁର,(ଓ୍ବାଇଏନ୍ଏସ୍): ଭଣ୍ଡାରିପୋଖରୀ ତହସିଲ ଅଧିନ ବୈତରଣୀ ନଦୀର ବିଭିନ୍ନ ସ୍ଥାନରୁ ବେଆଇନ ଭାବେ ବାଲିଚାଲାଣ ହେଉଥିଲେ ସୁଦ୍ଧା ପ୍ରଶାସନ ଏହାକୁ ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି । କେତେବେଳେ କେମିତି ନାମକୁମାତ୍ର ରାଜସ୍ୱଅଧିକାରୀ କିମ୍ବା ପୁଲିସ ଅଧିକାରୀ ମାନେ ରାସ୍ତାରୁ କେତୋଟି ବାଲି ଗାଡି ଧରି ବାହାବାହା ନେଉଛନ୍ତି ସତ, ହେଲେ ପ୍ରକୃତ ବାଲି ମାଫିଆଙ୍କ ନିକଟରେ ଏମାନେ ପହଞ୍ଚି ପାରୁନହାଁନ୍ତି । ଯେଉଁଥିପାଇଁ ଦିବାନିଶି ନଦୀର ବିଭିନ୍ନ ସ୍ଥାନରୁ ବାଲି ଉତ୍ତୋଳନ ସହିତ ଚାଲାଣ ମଧ୍ୟ ହେଉଛି । ଏପରିକି ପ୍ରଶାସନିକ ଅଧିକାରୀଙ୍କ ସ୍ଥାଣୁତା ଯୋଗୁ ପଡୋଶୀ ଯାଜପୁର ଜିଲ୍ଲାର ବାଲିମାଫିଆ ମାନେ ଭଣ୍ଡାରିପୋଖରୀ ସୀମାକୁ ମାଡିଆସି ହଜାରହଜାର ଟ୍ରିପ ବାଲି ଚୋରାଇ ନେଉଛନ୍ତି । ସୂଚନା ମୂତାବକ ଆଖୁଆପଦା ପୋଲର ଉପରିଭାଗ ପ୍ରାୟ ୩୦୦ମିଟର ଦୂରକୁ ଗଲେ ପଡିଥାଏ ବ୍ରଜରାଜନଗର । ବର୍ତ୍ତମାନ ତହସିଲ ଅଧିନରେ ସ୍ଥାନୀୟ କୌଣସି ବାଲିଖାଦାନ ଚାଲିନଥିବାବେଳେ ଦୀର୍ଘଦିନ ହେବ ଅପରପକ୍ଷ ବ୍ରଜରାଜନଗର ପକ୍ଷରୁ ଅତ୍ୟାଧୁନିକ ମେସିନ ଲଗାଯାଇ ବାଲିଚାଲାଣ କରାଯାଉଛି । ଆଶ୍ଚର୍ଯ୍ୟର କଥା ଯାଜପୁର ଜିଲ୍ଲା କୋରେଇ ତହସିଲ ଅଧିନ ବୈତରଣୀ ନଦୀର ବ୍ରଜରାଜନଗର ସୀମାକୁ ପ୍ରଶାସନ ବାଲି ଉତ୍ତୋଳନ ପାଇଁ ନିଲାମ ଦେଇନଥିବା ସ୍ଥଳେ ସେମାନେ ବେଆଇନ ଭାବେ ବାଲିଚାଲାଣ କରୁଛନ୍ତି । ଏପରିକି ସୀମାଟପି ଭଣ୍ଡାରିପୋଖରୀ ତହସିଲ ଅଧିନ ଯଶୋଟିକିରି ଓ ନେରଡା ଆଡକୁ ମଧ୍ୟ ମାଡି ଆସୁଛନ୍ତି । ଭଦ୍ରକ ଜିଲ୍ଲା ପ୍ରଶାସନ ଏବାବଦରେ ରାଜସ୍ୱ ହରାଉଥିବାବେଳେ ପଡୋଶୀ ଜିଲ୍ଲାର ମାଫିଆମାନେ ସୀମା ଟପି ଚୋରି କରିନେଉଛନ୍ତି ଲକ୍ଷଲକ୍ଷ ଟଙ୍କାର ବାଲି । ଏନେଇ ସ୍ଥାନୀୟ ଜନସାଧାରଣ ଭଣ୍ଡାରିପୋଖରୀ ତହସିଲଦାରଙ୍କୁ ବାରମ୍ବାର ଅଭିଯୋଗ କରୁଥିଲେ ସୁଦ୍ଧା ସେ ଏହା ଉପରେ ସାମାନ୍ୟତମ ପଦକ୍ଷେପ ନେଉନାହାଁନ୍ତି । ନିଜ ସୀମାର ରାଜସ୍ୱକୁ ରକ୍ଷା କରିବାରେ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ହୋଇଥିବାବେଳେ ତହସିଲଦାରଙ୍କ ଏଭଳି ନୀରବଦ୍ରଷ୍ଟା ସ୍ଥିତି ଦେଖି ବାଲିଚୋରମାନେ ଦିନକୁ ଦିନ କାୟା ବିସ୍ତାର କରୁଛନ୍ତି । ଏହା ଉପରେ ରାଜସ୍ୱ କମିଶନରଙ୍କ ସମେତ ଭଦ୍ରକ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହୋଇଛି ।


