୭୨ତମ ଗଣତନ୍ତ୍ର ଦିବସରେ ସମାଜବାଦୀ ପାର୍ଟି ରାଜ୍ୟ କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ
ଭୁବନେଶ୍ୱର,(ଓ୍ବାଇଏନ୍ଏସ୍): ୭୨ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ସମାଜବାଦୀ ପାର୍ଟି ରାଜ୍ୟ କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ଦ୍ୱାରା ୨୬ତାରିଖ ସକାଳ ୮.୩୦ ମିନିଟ୍ ସମୟରେ ପତାକା ଉତ୍ତୋଳନ କରାଯିବା ପରେ ୬ ନମ୍ବର ମଧ୍ୟ ଇଂରାଜୀ ବିଦ୍ୟାଳୟର ଛାତ୍ରୀମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ । ପତାକା ଉତ୍ତୋଳନ କରି ସଭାପତି ଶ୍ରୀ ବେହେରା ତାଙ୍କ ଉଦ୍ବୋଧନରେ କହିଥିଲେ ଯେ, କରୋନା ସଂକ୍ରମଣ ଯୋଗୁ ୧୨ କୋଟି ଲୋକ ନିଜ ଜୀବିକା ହରାଇବା ସଙ୍ଗେ ସଙ୍ଗେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହୋଇଛି । ଚାଷୀ, ମୂଲିଆ, ଶ୍ରମିକ, ଦିନମଜୁରିଆ ଓ ଗରିବ ଲୋକ ନିଜର ଜୀବିକା ହରାଇଛନ୍ତି । ଦେଶ ତଥା ରାଜ୍ୟରେ ବେକାରୀ ଓ ଦାରିଦ୍ର୍ୟ ବଢୁଥିଲା ବେଳେ ଧନୀମାନେ ଅତି ଧନୀ ହୋଇଚାଲିଛନ୍ତି । ଅର୍ଥନୈତିକ ବୈଷମ୍ୟ ଆଜି ଆମ ଗଣତନ୍ତ୍ର ପାଇଁ ଏକ ବଡ଼ ଆହ୍ୱାନ ଭାବରେ ଉଭା ହୋଇଛି । ଏହା ସାଙ୍ଗକୁ କୃଷକ ବିରୋଧୀ କୃଷି ଆଇନ ଯୋଗୁ ଦେଶର ୬୦ କୋଟି କୃଷକଙ୍କର ଜୀବନ ଜୀବିକା ଧ୍ୱଂସମୁଖକୁ ଠେଲି ହୋଇଯାଇଛି । ତେଣୁ ଯୁବସମାଜ ଦାରିଦ୍ର୍ୟ, ବେକାରୀ ଓ ଅର୍ଥନୈତିକ ବୈଷମ୍ୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ସଂକଳ୍ପ ନେବାକୁ ଶ୍ରୀ ବେହେରା ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, ବରିଷ୍ଠ ନେତା ବିଜୟ ବେହେରା, କୋଷାଧ୍ୟକ୍ଷ ସଞ୍ଜୟ ନାୟକ, ଯୁବ ସଭାପତି ସୁବ୍ରତ ଲେଙ୍କା, ଯୁବ ସମ୍ପାଦକ ସୁଶିଲ ହୋତା, ଯୁବନେତା ଦେଶପ୍ରିୟ ଦାସ, ନାରୀନେତ୍ରୀ ସୁଧାରାଣୀ ସାହୁ, ରୀତା ପଟ୍ଟନାୟକ ପ୍ରମୁଖ ଏହି ସମାରୋହରେ ଅଂଶଗ୍ରହଣ କରିଥିଲେ । ଶେଷରେ ଛାତ୍ରନେତା ଓମ୍ ପ୍ରକାଶ ଦାସ (ବଣ୍ଟି) ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।