ମନ୍ଦିର ପ୍ରତିଷ୍ଠା ନିମନ୍ତେ କଳସ ଯାତ୍ରା

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଭ୍ରମରପୁର ପଞ୍ଚାୟତ ଅନ୍ତର୍ଗତ ସମାସିଙ୍ଗି ଶାସନ ଗ୍ରାମରେ  ମା’ କାଳୁଆ ଠାକୁରାଣୀ ଙ୍କ  ନୂତନ ଭବ୍ୟ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ନିମନ୍ତେ ମଙ୍ଗଳବାର କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମନ୍ଦିର ପ୍ରତିଷ୍ଠା ପାଇଁ ସମଗ୍ର ଗାଁ ଉତ୍ସବ ମୁଖର ହୋଇଉଠିଛି। ଗ୍ରାମ ନିକଟରେ ପ୍ରବାହିତ  ବାହୁଦା ନଦୀର ପବିତ୍ର ବାରୁଣୀ ଘାଟରୁ ଜଳ ସଂଗ୍ରହ କରାଯାଇ ଶତାଧିକ ଶ୍ରଦ୍ଧାଳୁ ମୁଣ୍ଡରେ କଳସ ଧରି ପ୍ରାୟ ୪  କିଲୋମିଟର ପଦଯାତ୍ରା କରି ଭ୍ରମରପୁର ଗ୍ରାମ ଶ୍ରୀ ଗୋପୀନାଥ ମନ୍ଦିର ମାର୍ଗ ଦେଇ ମନ୍ଦିର ନିକଟ ମହାଯଜ୍ଞ ସ୍ଥଳରେ  ପହଞ୍ଚିଥିଲେ।ମୁଖ୍ୟ ପଣ୍ଡିତ  ଶିଶିର ତ୍ରିପାଠୀ ଓ ସୁରେଶ ଚନ୍ଦ୍ର ତ୍ରିପାଠୀଙ୍କ ସହ ଅନ୍ୟାନ୍ୟ ପୁରୋହିତ ମାନଙ୍କ ଉପସ୍ଥିତିରେ ମଣ୍ଡଳାଧିବାସ, ଇନ୍ଦ୍ର-ଇନ୍ଦ୍ରାଣୀଙ୍କ ଅଧିବାସ, ରତ୍ନମୁଦ କର୍ମ ଓ ନାମଯଜ୍ଞ ଆରମ୍ଭ ହୋଇଥିଲା। ବୁଧବାର ଠାରୁ ମନ୍ଦିର ପ୍ରତିଷ୍ଠାକର୍ମ ଆରମ୍ଭ, ବ୍ରାହ୍ମଣ ବରଣ, ସୂର୍ଯ୍ୟପୂଜା, ଶାଲା ସଂସ୍କାର, ଅଙ୍କୁରସ୍ଥାପନ, ହୋମ, ମହାଯଜ୍ଞ, ନାମଯଜ୍ଞ ଓ ଅନ୍ନଯଜ୍ଞ ଅନୁଷ୍ଠିତ ହେବ।  ଗୁରୁବାର  ବିପ୍ରପୂଜା, ଷଡାଙ୍ଗକର୍ମ, ମହାସ୍ନାନ, ସ୍ୱସ୍ତିକ ମଣ୍ଡଳ ପୂଜା ଓ ରାତ୍ରିର ଶୁଭଲଗ୍ନରେ ମାଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ ହେବ। ଶୁକ୍ରବାର ସିଂହାସନ ପ୍ରତିଷ୍ଠା, ଦେବୀଙ୍କ ନଗର ପରିଭ୍ରମଣ ରେ ମନ୍ଦିର ମଧ୍ୟରେ ହୋମ ସଂସ୍କାର କରାଯାଇ ଦେବୀଙ୍କ ସିଂହାସନ ଆରୋହଣ ପରେ ମହାଯଜ୍ଞ ପୂର୍ଣ୍ଣାହୁତି କରାଯିବା କାର୍ଯ୍ୟକ୍ରମ ରହିଛି। ସମଗ୍ର ଗ୍ରାମବାସୀ ଏବଂ ମହୋତ୍ସବ ପରିଚାଳନା କମିଟି କାର୍ଯ୍ୟକର୍ତ୍ତା ବୃନ୍ଦ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ