125ତମ ନେତାଜୀ ଜୟନ୍ତୀ ପାଳନ
କବିସୂର୍ଯ୍ୟନଗର, (ଓ୍ବାଇଏନ୍ଏସ୍): କବିସୂର୍ଯ୍ୟନଗର ବ୍ଲକ୍ କାର୍ଯ୍ୟାଳୟର ନେତାଜୀ ସ୍ମୃତି ମଣ୍ଡପରେ ଓଡ଼ିଶା ଆଜାଦ୍ ହିନ୍ଦ୍ ଫୌଜ ସଂଘ ତରଫରୁ ନେତାଜୀ ସୁଭାଷ୍ ଚନ୍ଦ୍ର ବୋଷ୍ ଙ୍କ 125 ତମ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି I ସଂଘ ସଭାପତି ଯୁଧିଷ୍ଠିର ପ୍ରଧାନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସୁଦେବ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନେତାଜୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟାର୍ପଣ କରିବା ସହ ଜାତୀୟ ପତାକା ଉତ୍ତୋଳନ କରି ଶ୍ରେଷ୍ଠ ଭାରତ ଓ ବିକଶିତ ଭାରତ ଗଠନ କରିବାକୁ ହେଲେ ନେତାଜୀଙ୍କ ପଦାଙ୍କ ଅନୁସରଣ କରିବା ପାଇଁ ଯୁବ ପିଢ଼ିଙ୍କୁ ପରାମର୍ଶ ଦେଇଥିଲେ I ସ୍ୱାଧୀନତା ସଂଗ୍ରାମର ଶ୍ରେଷ୍ଠ ଯୋଦ୍ଧା ତଥା ଆଜାଦ୍ ହିନ୍ଦ୍ ଫୌଜ ଓ ଆଜାଦ୍ ହିନ୍ଦ୍ ସରକାରର ପ୍ରତିଷ୍ଠାତାଙ୍କ ଜନ୍ମ ଦିବସକୁ ଭାରତ ସରକାର ‘ପରାକ୍ରମ ଦିବସ’ ରୂପେ ଘୋଷଣା କରିଥିବାରୁ ସଂଘ ତରଫରୁ ଭାରତ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା I କାର୍ଯ୍ୟକ୍ରମରେ ସଂଘ ସଦସ୍ୟ ରମା ବଲ୍ଲଭ ବେହେରା,କାଳୀ ଚରଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ I ସଂଗଠନ ସମ୍ପାଦକ ପୀତବାସ ବିଶ୍ୱାଳ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଭ୍ୟ ବଂଶୀଧର ଗୌଡ ଧନ୍ୟବାଦ ଅର୍ପଣ କରିଥିଲେ I


