ସିଲିଣ୍ଡର ଫାଟି କୋଠା ଭୁଶୁଡ଼ିଲା, ୧୩ ମୃତ
ବାରଣାସୀ: ଉତ୍ତରପ୍ରଦେଶରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଏକ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହୋଇ ୩ ମହଲା କୋଠା ଭୁଶୁଡ଼ି ପଡ଼ିବାରୁ ପ୍ରାୟ ୧୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୬ ଜଣ ଆହତ ହୋଇଛନ୍ତି । ଉତ୍ତରପ୍ରଦେଶର ମଉ ଜିଲ୍ଲା ସ୍ଥିତ ଭାଲିଦପୁରରେ ଏହି ଅଘଟଣ ଘଟିଛି । ଛୋଟୁ ବଢ଼ାଇ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଘଟିଥିବା ଏହି ଦୁର୍ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ପରିବାରର ଜଣେ ମହିଳା ଗ୍ୟାସ୍ ଚୁଲା ଲଗାଇବା ସମୟରେ ହଠାତ୍ ଗ୍ୟାସ୍ ସିଲିଣ୍ଡର୍ରେ ନିଆଁ ଲାଗି ଯାଇଥିଲା । ନିଆଁ ବ୍ୟାପୁଥିବା ଦେଖି ପରିବାରର ସମସ୍ତ ଲୋକଙ୍କ ସହ ପାଖ ପେଡ଼ୋଶୀମାନେ ମଧ୍ୟ ନିଆଁ ଲିଭା କାର୍ଯ୍ୟରେ ସାମିଲ ହୋଇଥିଲେ । କିନ୍ତୁ ହଠାତ୍ ସିଲିଣ୍ଡର୍ଟି ବିସ୍ଫୋରଣ ହେବା ଫଳରେ ୩ ମହଲା କୋଠାଟି ଭୁଶୁଡ଼ି ପଡ଼ିଥିଲା । ଫଳରେ ନିଆଁ ଲିଭା କାର୍ଯ୍ୟରେ ସାମିଲ ଥିବା ସମସ୍ତ ଲୋକ ଭଗ୍ନ କୋଠା ତଳେ ଦବି ଯାଇଥିଲେ । ସ୍ଥାନୀୟ ଲୋକେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ । ପରେ ପୁଲିସ ଆସି ଘଟଣାସ୍ଥଳରେ ପହଂଚିବା ପରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହୋଇଥିଲା । ଆହତମାନଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ଏବଂ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି ।