ଦୁନିଆର ସବୁଠାରୁ ଏକୁଟିଆ ମଣିଷ
ବ୍ରାଜିଲର ରୋଣ୍ଡୋନିଆ ରାଜ୍ୟରେ ଥିବା ଆମାଜୋନ ଅବବାହିକାର ଗହୀର ଜଙ୍ଗଲ ମଧ୍ୟରେ ଏକ ବ୍ୟକ୍ତିଙ୍କୁ ଠାବ କରାଯାଇଛି । କୁହାଯାଏ ବ୍ୟକ୍ତି ଜଣଙ୍କ ଶହ ଶହ କିଲୋମିଟର ପରିବ୍ୟାପ୍ତ ସେହି ଜଙ୍ଗଲରେ ଏକା ବସବାସ କରନ୍ତି । ଯେହେତୁ ସେ ନିଜ ଜନଜାତିର ଅନ୍ତିମ ସଦସ୍ୟ ତେଣୁ ତାଙ୍କୁ ଏଭଳି ଭାବେ ବସବାସ କରିବାକୁ ପଡୁଛି । “ଦ ଲାଷ୍ଟ ଅଫ୍ ଦ ଟ୍ରାଇବ୍’ ନାମରେ ପରିଚିତ ଏହି ବ୍ୟକ୍ତି ଜଣଙ୍କ ଆଜିକୁ ପ୍ରାୟ ୨୨ ବର୍ଷ ହେବ ଏଭଳି ଏକା ରହୁଥିବାର ଦେଖାଯାଇଛି । ସରକାରୀ ଏଜେନ୍ସି “ଫୁନାଇ’ ଏହି ବ୍ୟକ୍ତିଙ୍କ ଉପରେ ୧୯୯୬ ମସିହାରୁ ନଜର ରଖି ଆସିଛନ୍ତି । ଉକ୍ତ ଏଜେନ୍ସି ଅନୁଯାୟୀ କୌଣସି ପାରିପାଶ୍ୱିର୍କ ଅବସ୍ଥା ହେତୁ ବ୍ୟକ୍ତି ଜଣଙ୍କ ନିଜ ଜନଜାତିର ସମସ୍ତ ସଦସ୍ୟଙ୍କୁ ହରାଇଥିଲେ । ସେବେଠାରୁ ବାହାର ଦୁନିଆକୁ ନିଜର ଶତ୍ରୁ ମଣି ସେ ଏକା ରହିବାକୁ ନିଷ୍ପତ୍ତି ନେଇଥାଇପାରନ୍ତି । ତେବେ ଏଜେନ୍ସି ଦ୍ୱାରା ଜାରି କରାଯାଇଥିବା ଏକ ଭିଡିଓ ଅନୁଯାୟୀ ବ୍ୟକ୍ତି ଜଣଙ୍କ ସେଠାରେ ନିଜର ଏକ କୁଡିଆ ପ୍ରସ୍ତୁତ କରି ରହୁଥିବାବେଳେ କୁଡିଆ ପାଖରେ କଦଳୀ, ଅମୃତଭଣ୍ଡା ଆଦି ଗଛ ଲଗାଯାଇଥିବାର ମଧ୍ୟ ନଜର ଆସିଛି ।


