ସାନିଟାଇଜର ଓ ମାସ୍କର ଚାହିଦା କମୁଛି

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ମହାମାରୀ କରୋନା ଭୁତାଣୁ ସଂକ୍ରମଣରେ ସାରା ଦେଶ କବଳିତ ହୋଇପଡ଼ିଥିଲା । କରୋନାକୁ ପ୍ରତିହିତ କରିବା ଦିଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆପ୍ରାଣ ଉଦ୍ୟମ ସହ ପ୍ରଶାସନିକ ଅଧିକାରୀଙ୍କ ଜନସଚେତନତା ଯୋଗୁଁ ପ୍ରାୟତଃ କରୋନାରୁ ମୁକ୍ତି ପାଇପାରିଛେ । କରୋନା ଆସି ଜନସାଧାରଣଙ୍କୁ ଅନେକ ଶିକ୍ଷା ଦେଇଛି । ପରିବେଶକୁ ସ୍ୱଚ୍ଛ ରଖିବା ସହ ନିଜେ ସ୍ୱଚ୍ଛତା ଅବଲମ୍ବନ କରିବା ସକାଶେ ସତେଯେପରିକି ଚେତାବନି ଦେଇଯାଇଛି । ଦେଶର ସମସ୍ତ ସହରାଂଚଳ ଠାରୁ ଆରମ୍ଭ କରି ଗ୍ରାମାଂଚଳ ପର୍ଯ୍ୟନ୍ତସମସ୍ତ ବର୍ଗର ଜନସାଧାରଣଙ୍କୁ ସଚେତନ କରାଯାଇଛି । କରୋନା ଠାରୁ ନିଜକୁ ସୁରକ୍ଷିତ ରହିବା ସକାଶେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସମସ୍ତ ଜନସାଧାରଣଙ୍କୁ ମାସ୍କ ପରିଧାନ, ସାନିଟାଇଜର ବ୍ୟବହାର କରିବା ସହ ସାବୁନ କିମ୍ବା ହ୍ୟାଣ୍ଡୱାସରେ ହାତକୁ ବାରମ୍ବାର ଧୋଇବା ସକାଶେ ଦୁରଦର୍ଶନ, ଗଣମାଧ୍ୟମ, ସମ୍ବାଦପତ୍ର, ସାମାଜିକ ଗଣମାଧ୍ୟମ ମାଧ୍ୟମରେ ଅନୁରୋଧ କରାଯିବା ସହ ପ୍ରଶାସନ ପକ୍ଷରୁ ଡ଼ାକବାଜି ଯନ୍ତ୍ର ସହାୟତାରେ ଲୋକଙ୍କୁ ସଚେତନ କରାଯାଇଥିଲା । କରୋନାର ପ୍ରକୋପକୁ ଦୃଷ୍ଟିରେ ରଖି ନିଜକୁ ସୁରକ୍ଷିତ ରଖିବା ସକାଶେ ଏହାର ବ୍ୟବହାର କରାଯାଉଥିଲେ ମଧ୍ୟ ପ୍ରତିଟି ଦିବସରେ ସକାର ଓ ପ୍ରଶାସନିକ ଅଧିକାରୀ ବୃନ୍ଦ ସଚେତନତା କାର୍ଯ୍ୟକ୍ରମ ଜାରି ରଖିଥିଲେ । ପ୍ରବାସୀ ଓଡ଼ିଆଙ୍କ ଆଗମନ ଫଳରେ ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ଆରମ୍ଭ ହେବା ସହ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଲା । ଗ୍ରୀନ ଜୋନରେ ରହିଥିବା ଗଞ୍ଜାମ ଜିଲ୍ଲା ରେଡ଼ଜୋନରେ ପରିଣତ ହେବା ସହ ସଂକ୍ରମିତଙ୍କ ସଂଖ୍ୟାରେ ଗଞ୍ଜାମ ଜିଲ୍ଲା ରାଜ୍ୟର ୧ନଂ ସ୍ଥାନ ଅଧିକାର କରିଥିଲା । ପ୍ରଶାସନ ପକ୍ଷରୁ ମାସ୍କ ଓ ସାନିଟାଇଜର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଥିଲା । ଯଦ୍ୱାରା ସାନିଟାଇଜର ଗୁରୁତ୍ୱ ବୃଦ୍ଧି ପାଇଥିଲା । ହେଲେ ବର୍ତମାନ ପରିସ୍ଥିତି ସମ୍ପୁର୍ଣ୍ଣ ବଦଳିଯାଇଛି । ପୂର୍ବ ଭଳି ସାନିଟାଇଜର ଓ ମାସ୍କର ବ୍ୟବହାର ବହୁତ ପରିମାଣରେ କମିଯିବା ସହ ସାନିଟାଇଜର ଓ ମାସ୍କର ବିକ୍ରି ପରିମାଣ ବହୁତ ପରିମାଣରେ ହ୍ରାସ ପାଇଛି ।ମହାମାରୀ କରୋନା ଭୁତାଣୁ ସଂକ୍ରମଣର ପ୍ରକୋପ ପୂର୍ବାପେକ୍ଷା ବହୁତ ପରିମାଣରେ ହ୍ରାସ ପାଇଛି ସତ ମାତ୍ର, ସଂକ୍ରମଣର କିଛିଟା ଆଶଙ୍କା ଏବେ ମଧ୍ୟ ରହିଛି । କରୋନାରୁ ମୁକ୍ତ ସକାଶେ ଟୀକା ଆସିଥିବାରୁ କିଛିଟା ଆଶ୍ୱସ୍ତି ଅନୁଭବ ହେଉଛି ।ବର୍ତମାନ ପ୍ରଥମ ପର୍ଯ୍ୟାୟ ଟୀକାକରଣ ଚାଲୁ ରହିଛି । ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମେ ଟୀକା ଦିଆଯିବା ନେଇ ସାମିଲ କରାଯାଇଥିବା ବେଳେ ସାଧାରଣ ଜନତାଙ୍କୁ ଏଯାବତ୍ ଦିଆଯାଇନାହିଁ । ଟୀକା ଗ୍ରହଣ କରିଥିଲେ ମଧ୍ୟ ସାନିଟାଇଜର, ମାସ୍କ ବ୍ୟବହାର ସହିତ ସାମାଜିକ ଦୂରତ୍ୱ ରକ୍ଷାକୁ ଗୁରୁତ୍ୱ ପ୍ରଦାନ କରାଯାଇଛି । ହେଲେ ବର୍ତମାନ ପୂର୍ବଭଳି ଲୋକେ ସାନିଟାଇଜର ବ୍ୟବହାର କରିବା ଓ ମାସ୍କ ପରିଧାନ କରିବାକୁ ଲୋକେ ସତେ ଯେପରିକି ସମ୍ପୁର୍ଣ୍ଣ ଭୁଲି ଯାଇଛନ୍ତି । କରୋନା ସଂକ୍ରମଣ ଭୟ ସମ୍ପୁର୍ଣ୍ଣ ମନରୁ ନଲିଭିବା ପର୍ଯ୍ୟନ୍ତ ମାସ୍କ ପରିଧାନ, ସାନିଟାଇଜର ବ୍ରବହାର ସହ ସାମାଜିକ ଦୂରତ୍ୱ ରକ୍ଷାକୁ ଗୁରୁତ୍ୱ ପ୍ରଦାନ କରାଯିବା ନେଇ ପ୍ରଶାସନ ପକ୍ଷରୁ ଏଗୁଡ଼ିକର ବ୍ୟବହାର ବାଧ୍ୟତାମୂଳକ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ