ସାଧାରଣ ଜନତାଙ୍କ ସ୍ୱାର୍ଥବିରୋଧୀ, ନୈରାଶ୍ୟଜନକ ବଜେଟ
ଭୁବନେଶ୍ୱର,(ଓ୍ବାଇଏନ୍ଏସ୍): ଆଜି ସଂସଦରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିବା ବଜେଟ ସାଧାରଣ ଜନତାଙ୍କ ସ୍ୱାର୍ଥ ବିରୋଧୀ ଏବଂ ଅତ୍ୟନ୍ତ ନୈରାଶ୍ୟଜନକ ବୋଲି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜନୈତିକ ଦଳ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ, ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ପ୍ରକାଶ କରାଯାଇଛି । ଏହି ବଜେଟ ଦେଶର ଅର୍ଥନୈତିକ ଦୂରାବସ୍ଥାକୁ ସ୍ପଷ୍ଟ ଭାବରେ ସୁଚାଉଛି । ଗୋଟିଏ ପଟରେ ମୋଦି ସରକାର କୃଷି, ସ୍ୱାସ୍ଥ୍ୟ, କର୍ମନିଯୁକ୍ତି, ଶିକ୍ଷା ଆଦି କ୍ଷେତ୍ରରେ ବ୍ୟୟବରାଦକୁ ହ୍ରାସ କରି ସାଧାରଣ ଜନନତାଙ୍କୁ ନିରାଶ କରିଛନ୍ତି । କରୋନା ମହାମାରୀ ସମୟରେ ମୁନାଫା କମାଇଥିବା କର୍ପୋରେଟମାନଙ୍କ ଉପରେ ଟିକସ ବଢାଇବା ପରିବର୍ତ୍ତେ ବିତ୍ତୀୟ ନିଅଣ୍ଟକୁ ଭରଣା କରିବା ପାଇଁ ଏହି ବଜେଟରେ ସାଧାରଣ ଜନତାଙ୍କ ଉପରେ ଟିକସର ବୋଝ ଲଦି ଦିଆଯାଇଛି । ବୀମା, ରେଳ, ବିମାନବନ୍ଦର ଭଳି ଦେଶର ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡ଼ିକୁ ବିକ୍ରିକରି କେନ୍ଦ୍ର ସରକାର ବଜେଟ ନିମନ୍ତେ ପୁଞ୍ଜି ସଂଗ୍ରହ କରିବାକୁ ଚେଷ୍ଟା କରିଛନ୍ତି । ପେଟ୍ରୋଲ, ଡ଼ିଜେଲ ଉପରେ ମଧ୍ୟ ଅତ୍ୟଧିକ ଭାବରେ ସେସ୍କୁ ବୃଦ୍ଧି କରାଯାଇଛି । ଯାହା ପରୋକ୍ଷରେ ଦରଦାମ ବୃଦ୍ଧିକୁ ପ୍ରୋତ୍ସାହିତ କରିବ ଓ ସାଧାରଣ ମଣିଷର ଦୁର୍ଦ୍ଦଶାକୁ ବହୁଗୁଣିତ କରିବ ବୋଲି ଫରୱାର୍ଡ଼ ବ୍ଲକ ପକ୍ଷରୁ ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ର ଏକ ପ୍ରେସ୍ ଇସ୍ତାହାର ମାଧ୍ୟମରେ ପ୍ରକାଶ କରିଛନ୍ତି ।


