ସମୃଦ୍ଧ ଓଡ଼ିଶା ଦଳ ପକ୍ଷରୁ ଗାନ୍ଧିଜୀଙ୍କ ପୂଣ୍ୟ ଦିବସ ପାଳିତ

ଭୁବନେଶ୍ୱର,(ଓ୍ବାଇଏନ୍ଏସ୍): ଜାତିର ଜନକ ମହାତ୍ମା ଗାନ୍ଧୀଜୀଙ୍କ ପୂଣ୍ୟ ଦିବସ, ସମୃଦ୍ଧ ଓଡ଼ିଶା ଦଳ ପକ୍ଷରୁ ସଭାପତି ଶ୍ରୀ ପ୍ରଣବ ଛୋଟରାୟଙ୍କ ଅଧ୍ୟକ୍ଷତାରେ ଜ୍ଞାନଭାରତୀ କଲେଜ ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଫକୀର ମୋହନ ବିଶ୍ୱବଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର କୁମରବର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସମଗ୍ର ବିଶ୍ୱ ଆଜି ଗାନ୍ଧିଜୀଙ୍କ ନୀତି, ଆଦର୍ଶ ଓ ତାଙ୍କ ପ୍ରଦର୍ଶିତ ଅହିଂସା ମାର୍ଗକୁ ଆପଣେଇ ନେଇଥିବା ବେଳେ, ଏବଂ ତାଙ୍କର ଦର୍ଶନ ଦ୍ୱାରା ପ୍ରଭାବିତ ହୋଇଥିବା ବେଳେ ଆମେ ଭାରତୀୟମାନେ ତାଙ୍କୁ, ତଥା ତାଙ୍କର ନୀତି ଓ ଆଦର୍ଶକୁ ପାଶୋରିବାକୁ ବସିଲେଣି ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଦଳର ମୁଖ୍ୟ ଉପଦେଷ୍ଟା ଅବସରପ୍ରାପ୍ତ ଜିଲ୍ଲାଜଜ୍ ଶ୍ରୀ ଉମାଚରଣ ମିଶ୍ର ଓ ଅନ୍ୟତମ ଉପଦେଷ୍ଟା ପ୍ରଫେସର ମନୋରଞ୍ଜନ ଦାସ ଯୋଗଦାନ କରି ଗାନ୍ଧିଜୀଙ୍କ ସ୍ୱପ୍ନର ଭାରତବର୍ଷ, ଦେଶ ସ୍ୱାଧୀନତାପ୍ରାପ୍ତିର ୭୪ ବର୍ଷ ପରେ ମଧ୍ୟ ପୂରଣ ହୋଇପାରି ନାହିଁ ବୋଲି ମତବ୍ୟକ୍ତ କରିବା ସହିତ ସମୃଦ୍ଧ ଓଡ଼ିଶା ଦଳ ରାଜନୈତିକ କାର୍ଯ୍ୟକ୍ରମ ସହ ସାଧାରଣ ଜନତା ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତାର ନିରାକରଣ ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସମସ୍ତ ନିମନ୍ତ୍ରିତ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ ଦଳର ରାଜନୈତିକ ସଚିବ ଶ୍ରୀ ଦିଲୀପ କୁମାର ମହାପାତ୍ର । ପ୍ରାରମ୍ଭିକ ସୂଚନା ପ୍ରଦାନ ତଥା ଦଳ ଗଠନ ସମୟର ଅନୁଭୂତି ବର୍ଣ୍ଣନା କରିଥିଲେ ଦଳର ଉପସଭାପତି ଶ୍ରୀ ନିରାକାର ବେଉରା । ପ୍ରାରମ୍ଭିକ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀକୁ ଗାୟନ କରିଥିଲେ ସାଗରୀକା ମହାପାତ୍ର ଓ ପୂର୍ବ କାର୍ଯ୍ୟକାରିଣୀ ଅଧିବେଶନର ବିବରଣୀ ପାଠ କରିଥିଲେ ଦଳର ମହାସଚିବ ଶ୍ରୀ ଗୋଲକ ବିହାରୀ ସିଂହ । ମୁଖ୍ୟ ଅତିଥି ଶ୍ରୀ ଦାସ ନବ ନିର୍ବାଚିତ ସଭାପତି ଶ୍ରୀ ପ୍ରଣବ ଛୋଟରାୟଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ ଏବଂ ଦଳର ନିର୍ବାଚିତ ସମସ୍ତ କର୍ମକର୍ତ୍ତାମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରିବା ସହିତ ସମସ୍ତ ନୂତନ କର୍ମ କର୍ତ୍ତା ମାନଙ୍କୁ ମଧ୍ୟ ଶପଥ ପାଠ କରାଇଥିଲେ । ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳକୁ ତୃଣମୂଳସ୍ତରରେ ସଂଗଠିତ କରି ଯୁବକମାନଙ୍କୁ ଦଳରେ ସାମିଲ କରି ଜନତାଙ୍କ ସମସ୍ୟାକୁ ପ୍ରାଧାନ୍ୟ ଦେଇ, ସମସ୍ତ ସେବାମୂଳକ କାର୍ଯ୍ୟକ୍ରମ ଜାରି ରଖିବାକୁ ଦଳର ସଭାପତି ଓ ଉପସଭାପତି ଶ୍ରୀକାନ୍ତ ଦାସ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ଉପଦେଷ୍ଟା ଭାବରେ ପ୍ରଫେସର କୁମରବର ଦାସଙ୍କୁ ଗ୍ରହଣ କରାଯିବା ସହିତ ସର୍ବଶ୍ରୀ ଆରିଫ ଖାନ, ସଞ୍ଜୀବ ସାବତ, ବିକାଶ ଜେନା, ସାଗରୀକା ମହାପାତ୍ର, ଦୀନବନ୍ଧୁ ପାଢୀ, ସୁଶାନ୍ତ ମହାନ୍ତି, ଲକ୍ଷ୍ମୀକାନ୍ତ ପାଇକରାୟ, ଧ୍ରୁବଚରଣ ପାଢୀ ଓ ସସ୍ମିତା ନାୟକ ପ୍ରଭୃତିଙ୍କୁ ଗ୍ରହଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ଭାବରେ ପରିଚାଳନା କରିଥିଲେ ଦଳର ସଂଗଠନ ସଚିବ ଶ୍ରୀ ସନାତନ ଦାସ ଓ ଆଇଟି ସଚିବ ଶ୍ରୀ ଶଶାଙ୍କ ଶେଖର ନାୟକ । ସହଯୋଗ କରିଥିଲେ ଲକ୍ଷ୍ମଣ ଓ ସୂରାଜ । ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ