ଆସନ୍ତା ୬ ତାରିଖ‌ରେ ଦେଶବ୍ୟାପୀ ‘ଚକା ଜାମ୍‌’ କରିବାକୁ ଘୋଷଣା କଲେ କୃଷକ ସଂଗଠନ

ନୂଆଦିଲ୍ଲୀ: ଆସନ୍ତା ୬ ତାରିଖରେ କୃଷକ ସଂଗଠନ ପକ୍ଷରୁ ଦେଶବ୍ୟାପୀ ‘ଚକା ଜାମ୍‌’ କରିବାକୁ ଘୋଷଣା କରାଯାଇଛି। ଏହି ସମୟରେ ରାଜ୍ୟ ଓ ଜାତୀୟ ରାଜପଥକୁ ଦୀର୍ଘ ୩ ଘଣ୍ଟା ଧରି ବନ୍ଦ ରଖି ଚାଷୀମାନେ ଆନ୍ଦୋଳନସ୍ଥଳୀଗୁଡ଼ିକରେ ଇଣ୍ଟର୍‌ନେଟ୍‌ ସ୍ଥଗିତ ରଖିବା ନିଷ୍ପତ୍ତି ବିରୋଧରେ ସ୍ବର ଉଠାଇବେ। ହରିୟାଣା ପାର୍ଶ୍ୱରେ ଥିବା ସିଂଘୁ ସୀମାନ୍ତରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ କୃଷକ ସଂଗଠନର ନେତାମାନେ ନିଜର ମତ ରଖି କହିଛନ୍ତି କି ସେମାନେ ଫେବ୍ରୁଆରି ୬ ତାରିଖରେ ମଧ୍ୟାହ୍ନ ୧୨ଟାରୁ ୩ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିବା ନିଷ୍ପତ୍ତି ନେଇଛନ୍ତି। ସେମାନେ ଅଭିଯୋଗ ଆଣିଛନ୍ତି ‌ଯେ ଚଳିତ ବଜେଟ୍‌ରେ କୃଷକମାନଙ୍କୁ ଅଣଦେଖା କରାଯାଇଛି। ସଂଯୁକ୍ତ କିସାନ ମୋର୍ଚା(ଏସ୍‌କେଏମ୍‌) ପକ୍ଷରୁ ଅଭିଯୋଗ ହୋଇଛି ଯେ କିସାନ ଏକ୍‌ତା ମୋର୍ଚାର ଟ୍ବିଟର୍ ଆକାଉଣ୍ଟ୍‌ ଏବଂ ଟ୍ରାକ୍ଟର୨ଟ୍ବିଟର୍‌ ଆକାଉଣ୍ଟ୍‌ ଉପରେ କଟକଣା ଜାରି କରାଯାଇଛି। ସେହିପରି ସ୍ୱରାଜ ଅଭିଯାନ ନେତା ଯୋଗେନ୍ଦ୍ର ଯାଦବ ଅଭିଯୋଗ କରିଛନ୍ତି ଯେ ‘ସରକାରୀ କର୍ତ୍ତୃପକ୍ଷଙ୍କ ଅନୁରୋଧ କ୍ରମେ ଟ୍ୱିଟର ଆକାଉଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ଆନ୍ଦୋଳନକୁ ବିରୋଧ କରି କିଛି ବେସରକାରୀ ବ୍ୟକ୍ତିଙ୍କ ଆକାଉଣ୍ଟରେ ମଧ୍ୟ ଅଙ୍କୁଶ ଲଗାଯାଇଛି। ଏଥିସହ କେନ୍ଦ୍ର ସରକାର ଏହି ବଜେଟରେ କୃଷି କ୍ଷେତ୍ରକୁ ଆବଣ୍ଟନ ହ୍ରାସ କରିଛନ୍ତି।’ ବିଭିନ୍ନ କୃ‌ଷକ ନେତାଙ୍କ ପକ୍ଷରୁ ଏବର୍ଷ ବଜେଟ୍‌କୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଉଲ୍ଲେଖଯୋଗ୍ୟ, ଗତକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କର ତୃତୀୟ ବଜେଟ୍‌ ଉପସ୍ଥାପନ କରି କହିଥିଲେ କି ‘କୃଷକଙ୍କ କଲ୍ୟାଣ ଦିଗରେ ସରକାର ପ୍ରତିବଦ୍ଧ।  ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ କୃଷିଋଣ ଲକ୍ଷ୍ୟକୁ ୧୬ ଲକ୍ଷ ୫୦ ହଜାର କୋଟି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି, ଯାହାକି ଏବେର କୃଷି ଋଣ ଲକ୍ଷ୍ୟଠାରୁ ଅଧିକ ।’

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ