କନ୍ଧମାଳରେ ୭୩୪ ଜଣ ସରକାରୀ କର୍ମଚାରୀ  କୋଭିଡ ଟୀକା ନେଲେ : ପ୍ରଥମ ଟୀକା ନେଲେ ଜିଲାପାଳ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):  କନ୍ଧମାଳ ଜିଲାରେ ସରକାରୀ କର୍ମଚାରୀଙ୍କ ପାଇଁ କୋଭିଡ ଟୀକାକରଣ ପ୍ରକ୍ରିୟା  ଆରମ୍ଭ ହୋଇଛି । ଆଗ ଧାଡିର ୧୦୬୦ ସରକାରୀ କର୍ମଚାରୀଙ୍କୁ ଏହି ପ୍ରଥମ ପର୍ଯ୍ୟାୟ ଟୀକାକରଣରେ ସାମିଲ କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡିଛି । ଏଥିରେ କୋଭିଡ ଲଢେଇରେ ପ୍ରତ୍ୟକ୍ଷ ଭାବେ ସାମିଲ ଥିବା ପୁଲିସ କର୍ମଚାରୀଙ୍କ ସମେତ ରାଜସ୍ୱ ଓ ପୌର କର୍ମଚାରୀଙ୍କୁ ଅନ୍ତର୍ଭୂକ୍ତ କରାଯାଇଛି । ତେବେ ଆଜି ପ୍ରଥମ ଦିନରେ ସମୂଦାୟ ୭୩୪ ଜଣ ନେଇଛନ୍ତି କୋଭିଡ ଭ୍ୟାକ୍ସିନ । ଆଜି ଜିଲାର ପ୍ରଥମ ହିତାଧିକାରୀ ଭାବେ କନ୍ଧମାଳ ଜିଲାପାଳ ଡଃ ବୃନ୍ଦା ଡି ଏହି ଟୀକା ଗ୍ରହଣ କରିଥିଲେ । ସ୍ଥାନୀୟ ଜିଲା ପରିଷଦ ସଭାଗୃହଠାରେ ଖୋଲାଯାଇଥିବା ଟୀକାକରଣ କେନ୍ଦ୍ରରେ ଜିଲାପାଳଙ୍କୁ ଟୀକା ପ୍ରଦାନ କରାଯାଇଥିଲା । ସେହିପରି ପୁଲିସ ରିଜର୍ଭଠାରେ ଖୋଲିଥିବା ଟୀକାକରଣ କେନ୍ଦ୍ରରେ ଜିଲା ଆରକ୍ଷୀ ଅଧୀକ୍ଷକ ଭିନିତ ଅଗ୍ରୱାଲ କୋଭିଡ ଟୀକା ଗ୍ରହଣ କରିଥିବା ବେଳେ ପୌର ପରିଷଦ ପକ୍ଷରୁ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଖୋଲାଯାଇଥିବା ଟୀକାକରଣ କେନ୍ଦ୍ରରେ ପୌର ପରିଷଦର ନିର୍ବାହୀ ଅଧିକାରୀ ବଳଦେବ ବେହେରା ପ୍ରଥମେ ଟୀକା ଗ୍ରହଣ କରିଥିଲେ। ପରେ ପରେ ଏହି ସମସ୍ତ କେନ୍ଦ୍ରରେ ଅନ୍ୟ କର୍ମଚାରୀ ଓ ଅଧିକାରୀମାନେ ଟୀକା ଗ୍ରହଣ କରିଥିବା ବେଳେ କଲ୍ୟାଣ ମଣ୍ଡପ କେନ୍ଦ୍ରରେ ୯୮ ଜଣ, ପୁଲିସ୍‍ ରିଜର୍ଭ କେନ୍ଦ୍ରରେ ୪୦୦ ଜଣ ଓ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ମୋଟ ୨୩୬ ଜଣ ଆଜି ଟିକା ଗ୍ରହଣ କରିଛନ୍ତି।ସୂଚନାଯୋଗ୍ୟ, ଫୁଲବାଣୀ ସହରର ଜିଲା ପରିଷଦ ସଭାଗୃହ, ପୁଲିସ ରିଜର୍ଭ ସମେତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ତିନିଟି ଟୀକକରଣ କେନ୍ଦ୍ର ଖୋଲାଯାଇଛି। ଏହି ଟୀକାକରଣ କାର୍ଯ୍ୟକ୍ରମ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜିଲା ପ୍ରଶାସନ ସୂତ୍ରରୁ ଜଣାପଡିଛି। ଅପରପକ୍ଷରେ ଜିଲାରେ ଆଜି ପର୍ଯ୍ୟନ୍ତ ୬୦୪୩ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ କୋଭିଡ ଟୀକା ଦିଆଯାଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ