ଚାଷୀ, ଆଦିବାସୀ ଓ ଶ୍ରମିକଙ୍କ ବିଭିନ୍ନ ଦାବି ନେଇ ବିଶାଳ ରାଲି ଓ ସ୍ମାରକପତ୍ର ପ୍ରଦାନ ।
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ଠାରେ ଅଖିଳ ଭାରତ କିଷାନ ମଜଦୁର ସଭା ପକ୍ଷରୁ ସରକାରଙ୍କ କୃଷକ ବିରୋଧୀ ନିତୀ, କୃଷି ଆଇନ ଓ ପ୍ରସ୍ତାବିତ ବିଦ୍ୟୁତ ବିଲର ପ୍ରତିବାଦରେ ଏକ ବିଶାଳ ରାଲି କରିବା ସହ ଏକ ପ୍ରତିବାଦ ସଭା କରିଥିଲେ । ଏଥିପାଇଁ ଚାଷୀ, ଆଦିବାସୀ ଓ ଶ୍ରମିକ ମାନଙ୍କ ବିଭିନ୍ନ ଦାବୀକୁ ନେଇ ଗଜପତି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ସଂଗଠନ ପକ୍ଷରୁ ପ୍ରଦାନ କରାଯାଇଛି । ଏମାନଙ୍କର ମୁଖ୍ୟ ଦାବୀ ହେଲା ମଣ୍ଡି କିମ୍ବା ଧାନ ସଂଗ୍ରହ ବାହାରେ ମିଲର ମାନେ ଚାଷୀଙ୍କ ଠାରୁ ବେଆଇନ ଏମ୍.ଏସ୍.ପି. ଅର୍ଥାତ କୁଇଣ୍ଟାଲ ପିଛା ୧୮୬୮ ଟଙ୍କା ଦରରେ କମ୍ ଦରରେ ଧାନ କିଣିବା ବନ୍ଦ କରିବା କଟଣି ଛଟଣି ନାମରେ ଚାଷୀଙ୍କ ଧାନରୁ ଟଙ୍କା କମ୍ କରିବା ଇତ୍ୟାଦିକୁ ବିରୋଧ କରାଯାଇଛି । ସେହିପରି ଧାନ ସଂଗ୍ରହ କେନ୍ଦ୍ରକୁ ଧାନ ଆଣିବାପାଇଁ ଗାଡି ଭଡା, ଅଖା ଓ ଲୋଡିଂ ଓ ଅନ୍ଲୋଡିଂ ବାବଦରେ ସମସ୍ତ ଖର୍ଚ୍ଚ ସମ୍ପୃକ୍ତ ମିଲର ବହନ କରିବାକୁ ରାଜ୍ୟ ଖାଦ୍ୟ ଓ ଯୋଗାଣ ବିଭାଗର ସ୍ପଷ୍ଟ ନିର୍ଦ୍ଦେଶ ସତ୍ତ୍ୱେ ଆମ ଅଞ୍ଚଳରେ ମିଲରମାନେ ତାକୁ ଉଲଂଘନ କରି ଚାଷୀଙ୍କ ଠାରୁ ଯେଉଁ ଭଳି ଆଦାୟ କରୁଛନ୍ତି ତାହା ତୁରନ୍ତ ବନ୍ଦ ହେଉ ବୋଲି ଦାବୀ ହୋଇଛି । ଭାଗ ଚାଷୀଙ୍କ ସମେତ ବାଦ ପଡିଥିବା ସମସ୍ତ ଚାଷୀଙ୍କ ଧାନ ସଂଗ୍ରହ ପାଇଁ ତୁରୁନ୍ତ ପଞ୍ଜୀକରଣ ତଥା ଟୋକେନ ପ୍ରଦାନ ପାଇଁ ବ୍ୟବସ୍ଥା କରିବାକୁ ଦାବୀ ହୋଇଛି । ଜିଲ୍ଲାର ମକା ଚାଷୀ, କାଜୁ ଚାଷୀ ଓ କପା ଚାଷୀଙ୍କୁ ଅଭାବି ବିକ୍ରିରୁ ଉଦ୍ଧାର କରିବାପାଇଁ ସରକାର ସେମାନଙ୍କ ଫସଲକୁ କିଣିବାର ବ୍ୟବସ୍ଥା କରିବା, ଜିଲ୍ଲାର ସମସ୍ତ ଭୂମିହୀନ ଓ ଗୃହହୀନଙ୍କୁ ଜମି ଓ ଘରଡିହ ପଟ୍ଟା ଯୋଗାଇଦେବା, ଜଙ୍ଗଲ ଆଇନ ଅଧିକାର ଆଇନ ଅନୁଯାୟୀ ଜମିରେ ଚାଷବାସ କରୁଥିବା ସମସ୍ତ ଆଦିବାସୀଙ୍କୁ ବ୍ୟକ୍ତିଗତ ଓ ସାମୂହିକ ପଟ୍ଟା ପ୍ରଦାନ କରିବା ଉପରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବୀ ହୋଇଛି । ମନରେଗା ଯୋଜନାରେ ସମସ୍ତ ଇଛୁକ ଲୋକଙ୍କୁ ୧୫୦ ଦିନ କାମ ଓ ଦୈନିକ ୬୦୦ଟଙ୍କା ମଜୁରୀ ଯୋଗାଇଦେବା, ସମ୍ମାନର ସହ ଜୀବନଯାପନ ପାଇଁ ସମସ୍ତ ଯୋଗ୍ୟ ଲୋକଙ୍କୁ ମାସିକ ସର୍ବ ନିମ୍ନ ୩ହଜାର ଟଙ୍କା ହିସାବରେ ବାର୍ଦ୍ଧକ୍ୟ, ଭିନ୍ନକ୍ଷମ ତଥା ବିଧବା ପେନସନ ଯୋଗାଇଦେବା, ନିର୍ମାଣ ଶ୍ରମିକ ପଞ୍ଜିକରଣ ପାଇଁ ଆବେଦନ କରୁଥିବା ଯୋଗ୍ୟ ଶ୍ରମିକଙ୍କୁ ବିନା ଲାଞ୍ଚରେ ପଞ୍ଜିକରଣ କରାଇବା ଆଦି ୯ଦଫା ଦାବୀ ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏହି ରାଲି ଓ ସ୍ମାରକ ପତ୍ର କାର୍ଯ୍ୟକ୍ରମ ଜିଲ୍ଲା ସମ୍ପାଦକ କେଦାର ଶବରଙ୍କ ନେତୃତ୍ୱରେ ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଢଙ୍ଗୀ, ଶ୍ରମିକ ନେତା ପ୍ରତାପ ଚନ୍ଦ୍ର ପ୍ରଧାନ, କୃଷକ ନେତା ଆର୍.ଲୋକନାଧମ, କାଡୁକା ଶବର, ସାମୁକା ଶବର, ଶ୍ରୀନିବାସ ରାଓ, ଗୌରୀ ଶଙ୍କର ମହାନ୍ତିଙ୍କ ସହ ଶହ ଶହ କର୍ମୀଙ୍କ ଗ୍ରହଣରେ ଅନୁଷ୍ଠିତ ହୋଇଯାଇଛି ।