ହାଇପରସୋନିକ୍ ଅସ୍ତ୍ର ନିର୍ମାଣ ଆରମ୍ଭ କଲା ଡିଆରଡିଓ
ନୂଆଦିଲ୍ଲୀ: ଶବ୍ଦର ପାଞ୍ଚଗୁଣ ଅର୍ଥାତ୍ ପ୍ରତି ସେକେଣ୍ଡରେ ଗୋଟିଏ ମାଇଲରୁ ଟିକେ ଅଧିକ ବେଗରେ ଗତି କରୁଥିବା କ୍ଷେପଣାସ୍ତ୍ର “ହାଇପରସୋନିକ୍ ଉଇପନ୍ ‘ ଉତ୍ପାଦନ ଆରମ୍ଭ କରିଛି । ଖୁବ୍ ଶୀଘ୍ର ଏହାର ଉଇଣ୍ଡ୍ ଟନେଲ୍ ଟେଷ୍ଟ୍ କରାଯିବ ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ଟନେଲର ଶୁଭ ଉଦଘାଟନ କରିବେ । ଚୀନ୍, ରୁଷ୍ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ଆଣବିକ ଅସ୍ତ୍ରପ୍ରତିରୋଧ କରିବା ଏବଂ ଆଗଧାଡ଼ିର ଯୁଦ୍ଧ ୟୁନିଟ୍ ଗୁଡ଼ିକୁ ଟାଣୁଆ କରିବା ପାଇଁ ଅନେକ ପ୍ରକାର ହାଇପରସୋନିକ୍ ଟେକ୍ନୋଲଜି ପରୀକ୍ଷା କରୁଛନ୍ତି । ମିଲିଟାରି ଅପରେସନର ପୂର୍ବତନ ମହାନିର୍ଦେଶକ ଲେଫ୍ଟନାଣ୍ଟ୍ ଜେନେରାଲ୍ ବିନାଦ ଭାଟିଆ କହନ୍ତି: ନିକଟ ଭବିଷ୍ୟତରେ ହାଇପରସୋନିକ୍ ଅସ୍ତ୍ରଶସ୍ତ୍ର ଅତି ସାଂଘାତିକ ହେବ । ଚୀନ୍ ଏହାର ପରୀକ୍ଷାମୂଳକ ବ୍ୟବହାର କରିଛି । ଯୁକ୍ତରାଷ୍ଟ୍ର ଆମେରିକା ଏବଂ ରୁଷ୍ ପାଖରେ ମଧ୍ୟ ଏ ଧରଣର ଅସ୍ତ୍ର ରହିଛି । ତେଣୁ ଭାରତ ଏହି ବୈଷୟିକ ଜ୍ଞାନରେ ଅସ୍ତ୍ର ନିର୍ମାଣ କରିବାର ବେଳ ଆସିଛି ।


