ନାରୀ ସଶକ୍ତିକରଣ ଉପରେ ଉଦ୍ଘାଟିତ ହେଲା “ବସୁନ୍ଧରା”
ଭୁବନେଶ୍ୱର (ୱାଇଏନ୍ଏସ୍):ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ଆନୁକୂଲ୍ୟରେ ସୁନ୍ଦରଗଡର ଜିଲ୍ଲା ରାଜ୍ୟ ତାଲିମ କେନ୍ଦ୍ର ବରଗାଁ ଆଇଟିଆଇ ପରିସରରେ କେବଳ ଝିଅମାନଙ୍କ ପାଇଁ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମ ମାର୍ଚ୍ଚ ୪ ତାରିଖ ଦିନ ସନ୍ଧ୍ୟା ୫ ଘଟିକା ସମୟରେ ବହୁ ଆଡମ୍ବର ସହକାରେ “ବସୁନ୍ଧରା” କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଉରକେଲା ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ ଯୋଗଦେଇ ନାରୀ ସଶକ୍ତିକରଣ ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ମହିଳା ମାନଙ୍କର ସର୍ବାଙ୍ଗୀନ ଉନ୍ନତି ତଥା ସେମାନେ ଆତ୍ମନିର୍ଭରଶୀଳ ହେଲେ ଦେଶର ଉନ୍ନତି ହେବ ବୋଲି ମତବ୍ୟକ୍ତି କରିଥିଲେ । ଏହାସହ ଆଜିର ଛାତ୍ରଛାତ୍ରୀମାନେ ଆସନ୍ତାକାଲିର ଭବିଷ୍ୟତ ବୋଲି କହିବା ସହ ସେମାନେ ଶୃଙ୍ଖଳିତ ହେବାକୁ ପରାମର୍ଶ ଦେଇଥିଲେ । ସ୍କାଉଟ ଏବଂ ଗାଇଡସ୍ର ଜାତୀୟ ଉପସଭାପତି ତଥା ରାଜ୍ୟ ମୁଖ୍ୟ କମିଶନର ଡଃ. କାଳି ପ୍ରସାଦ ମିଶ୍ରଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଏମା ଏକ୍କା, ସ୍କାଉଟସ୍ ଏବଂ ଗାଇଡସ୍ର ରାଉରକେଲା ସଭାପତି ନାରାୟଣ ପତି, ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ଷଡଙ୍ଗୀ, ବଡଗାଁ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ମିଞ୍ଜ, ସମାଜସେବୀ ରାମଚନ୍ଦ୍ର ନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ରାଜ୍ୟ ସଂଗଠିକା କମିଶନର (ଗାଇଡ୍) ଶ୍ରୀମତୀ ଅନାମିକା ଦାସ । ଆଜିର କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ସରୀତା କେର୍କେଟା, ଆଇପି ସଂଯୁକ୍ତା ବହିଦାର ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଏମା ଏକ୍କାଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇ “ବସୁନ୍ଧରା” ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଆୟୋଜନର ଲକ୍ଷ୍ୟ ବିଷୟରେ ରାଜ୍ୟ ମୁଖ୍ୟ କମିଶନର ଡଃ କାଳିପ୍ରସାଦ ମିଶ୍ର ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସେମାନଙ୍କୁ ମହିଳା ସଶକ୍ତିକରଣ ଓ ସ୍ୱାବଲମ୍ବି ହେବା ବିଷୟରେ ସଚେତନତା ସୃଷ୍ଟି କରିବାର ଲକ୍ଷ୍ୟ ରହିଛି । କାର୍ଯ୍ୟକ୍ରମରେ ଜିଲ୍ଳାର ବିଭିନ୍ନ ବ୍ଲକର ବ୍ଲକ ଶିକ୍ଷାଧିକାରୀମାନେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ଆୟୋଜନରେ ମୁଖ୍ୟାଳୟ କମିଶନର ଡଃ ଅରୁଣ କୁମାର ନାୟକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । କାର୍ଯ୍ୟକ୍ରମ ଶେଷରେ ବରଗାଁ ଆଇଟିଆଇର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀଯୁକ୍ତ ରାମଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
ସେହିପରି ମାର୍ଚ୍ଚ ୫ ତାରିଖଟି “ବସୁନ୍ଧରା”ର ଥିଲା ଦ୍ୱିତୀୟ ଦିବସ । ଏହି ଦିବସରେ ପିଲାମାନେ ସକାଳୁ ଉଠି ନିଜର ନିତ୍ୟକର୍ମ ସାରି ଏରୋବିକ୍ ମାଧ୍ୟମରେ ଶାରୀରିକ ବ୍ୟାୟାମ କରିଥିଲେ । ପରେ ପରେ ଶାରୀରିକ ଦକ୍ଷତା ପ୍ରଦର୍ଶନ, ହସ୍ତକଳା ପ୍ରଦର୍ଶନ, ରଙ୍ଗୋଲି, ଚିତ୍ରାଙ୍କନ, ଦେଶାତ୍ମବୋଧକ ସଙ୍ଗୀତ, ସୃଜନାତ୍ମକ ବକ୍ତୃତା ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଶେଷ କରି ବୁଲ୍ବୁଲ୍, ଗାଇଡ୍ ଏବଂ ରେଞ୍ଜର ମାନେ ନିଜ ନିଜର ଦକ୍ଷତା ପ୍ରତିପାଦନ କରିଥିଲେ ।
ଆଜି ସନ୍ଧ୍ୟାରେ ମୁଖ୍ୟ ଅତିଥିô ଭାବେ ତଲସରା ନିର୍ବାଚନ ମଣ୍ଡଳିର ବିଧାୟକ ଶ୍ରୀ ଭବାନି ଶଙ୍କର ଭୋଇ ଯୋଗଦେଇଥିଲେ । ଶ୍ରୀମତୀ ସୁଷମା ପଟେଲ, କୁମାରୀ ନଗ୍ମା ତବସୁମ୍ ଏବଂ ଶ୍ରୀମତୀ ଅର୍ଚ୍ଚନା ନାଏକଙ୍କୁ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ “ବସୁନ୍ଧରା” ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଶେଷରେ ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ର୍ୟାମ୍ପ ସୋ ପରିବେଷଣ କରି ଅତିଥିମାନଙ୍କର ମନ ମୋହିଥିଲେ ।


