ଆସ୍ଥା ଭୋଟ୍ ଜିତିଲେ ଇମ୍ରାନ୍
ଇସ୍ଲମାବାଦ : ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଏବେ ସ୍ଥିର ହେଲା। ଅନାସ୍ଥା ଭୋଟ୍ରେ ଜିତିଲେ ଇମ୍ରାନ ଖାନ୍। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ବିରୋଧରେ ଆଜି ସଂସଦରେ ଆସ୍ଥା ଭୋଟ ହୋଇଥିଲା। ଯାହାକୁ ସହଜରେ ଜିତିନେଇଛନ୍ତି ଇମ୍ରାନ ଖାନ୍। ସଂସଦର ନିମ୍ନ ସଦନର ୩୪୨ ସଦସ୍ୟଙ୍କ ମଧ୍ୟରୁ ଇମ୍ରାନଙ୍କ ସପକ୍ଷରେ ୧୭୮ଟି ଭୋଟ୍ ପଡ଼ିଛି।ଏହି ଭୋଟିଂରେ ବିରୋଧୀ ଦଳ ଭାଗ ନେଇନଥିଲା। ପାକିସ୍ତାନ ଡେମେକ୍ରାଟିକ୍ ମୁଭ୍ମେଣ୍ଟ(ପିଡିଏମ୍) ଏହି ଭୋଟିଂକୁ ବୟକଟ୍ କରିବାରୁ ମତ ଇମ୍ରାନଙ୍କ ସପକ୍ଷରେ ଯାଇଥିଲା। ତେଣୁ ସରକାର ଗଢ଼ିବାକୁ ଇମ୍ରାନ ଆବଶ୍ୟକ ନମ୍ବର ହାସଲ କରିନେଇଥିଲେ। ଇସ୍ତଫା ଦେବା ପାଇଁ ବିରୋଧୀ ବାରମ୍ବାର ଚାପ ପକାଇବା ପରେ ସରକାରରେ ସ୍ଥିରତା ଆଣିବା ପାଇଁ ନିଜେ ଇମ୍ରାନ୍ ସଂସଦରେ ବିଶ୍ୱାସ ଭୋଟ୍ର ପ୍ରସ୍ତାବ ଆଣିଥିଲେ।
ବୁଧବାର ଇମ୍ରାନଙ୍କ ଅର୍ଥମନ୍ତ୍ରୀ ଅବ୍ଦୁଲ ହଫୀଜ୍ ଶୈଖ୍ ସିନେଟ୍ ଇଲେକ୍ସନ୍ରେ ହାରିଯିବା ପରେ ଇମ୍ରାନ୍ ସରକାର ଇସ୍ତଫା ଦିଅନ୍ତୁ ବୋଲି ଚାପ ପକାଇଥିଲେ ବିରୋଧୀ। ଫଳରେ ଗୁରୁବାର ସଂସଦରେ ବିଶ୍ୱାସ ଭୋଟ୍ ପାଇଁ ପ୍ରସ୍ତାବ ଦେଇଥିଲେ ଇମ୍ରାନ ଖାନ୍।ସିନେଟ୍ ଭୋଟ୍ରେ ପିଡିଏମ୍ ନେତା ତଥା ପାକିସ୍ତାନ ପୂର୍ବପ୍ରଧାନମନ୍ତ୍ରୀ ୟୁସୁଫ ରାଜା ଗିଲାନୀ ଅବଦୁଲ ହଫୀଜଙ୍କୁ ପରାସ୍ତ କରିଥିଲେ।


