ସ୍ୱାଭିମାନୀ, ସ୍ୱାବଲମ୍ବୀ ଓ ଆତ୍ମନିର୍ଭର ହେବା ପାଇଁ ନିର୍ଭୟ ହେବା ଦରକାର – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର, (ୱାଇଏନ୍‌ଏସ୍‌):ସମାଜରେ ନିର୍ଭୟ ହେବା ଦରକାର । ବିଶେଷଭାବରେ ସ୍ୱାଭିମାନୀ, ସ୍ୱାବଲମ୍ବୀ ଓ ଆତ୍ମନିର୍ଭର ହେବା ପାଇଁ ବ୍ୟକ୍ତି ଜଣକ ନିର୍ଭୟ ହେବା ଦରକାର । ନିର୍ଭୟ ବାଣୀରେ ନୁହେଁ ବରଂ ମନରେ ହେବା ଦରକାର । ଏହି ମର୍ମରେ ଓଡ଼ିଶାରେ ପ୍ରଜାତନ୍ତ୍ରରେ ସମାଲୋଚନାର ବଡ ଆବଶ୍ୟକତାକୁ ପୂରଣ କରିବା ଦିଗରେ ‘ନିର୍ଭୟ’ ଖବରକାଗଜ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶନିବାର ଓଡ଼ିଶାର ଦୈନିକ ଖବରକାଗଜ ‘ନିର୍ଭୟ’ର ସପ୍ତମ ବାର୍ଷିକ ଉତ୍ସବରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ ଶ୍ରୀ ପ୍ରଧାନ ଶ୍ରୀମନ୍ଦିରର ବିକାଶ ପାଇଁ ସାମୂହିକ ଉଦ୍ୟମ, ମହାତ୍ମା ଗାନ୍ଧିଙ୍କ ବିଚାରଧାରା ଏବଂ ଏହାର ପ୍ରାସଙ୍ଗିକତା, ପରିବେଶ ସୁରକ୍ଷା, ସାମଜକୁ ଆଗେଇ ନେବାରେ ସମସ୍ତଙ୍କ ପ୍ରଚେଷ୍ଟା ଓ କରୋନା ସମୟରେ ଭାରତର ଥିବା ଦାୟିତ୍ୱ ପ୍ରସଙ୍ଗରେ ନିଜର ମତ ରଖିବା ସହ କହିଛନ୍ତି ଯେ ମୂଲ୍ୟବୋଧଭିତିକ ସାମ୍ବାଦିକତାର ଜାଗ୍ରତ ପ୍ରହରି ଏବଂ ନିର୍ଭୀକ ଭାବରେ ପ୍ରଜାତନ୍ତ୍ରରେ ସମାଲୋଚନାକୁ ଗୁରୁତ୍ୱ ଦେଉଥିବା ନିର୍ଭୟ ଦୀର୍ଘ ୭ ବର୍ଷ ଧରି ନିରନ୍ତର ସଂଘର୍ଷ କରି ନିଜର ସ୍ୱକୀୟ ପରିଚୟ ସୃଷ୍ଟି କରିପାରିଛି ।
ମହାପ୍ରଭୁଙ୍କ କ୍ଷେତ୍ର ତଥା ୮୦୦ ବର୍ଷର ଶ୍ରୀମନ୍ଦିରର ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କାମ ଆରମ୍ଭ
ହୋଇଛି । ଓଡ଼ିଶାକୁ ଏକବିଂଶ ଶତାବ୍ଦୀରେ ଆଗକୁ ନେବା ପାଇଁ ଜନଆନ୍ଦୋଳନର ଆବଶ୍ୟକତା ଥିବା ବେଳେ ମହାପ୍ରଭୁଙ୍କ ଆଶୀର୍ବାଦରେ ସମଗ୍ର ହିନ୍ଦୁ ତଥା ସାଢେ ୪ କୋଟି ଓଡ଼ିଆ ଲୋକ ଶ୍ରୀମନ୍ଦିରର ବିକାଶ
ପାଇଁ ଆଗେଇ ଆସିବା ଦରକାର । ସାମ୍ପ୍ରତିକ ସମୟରେ ପରିବେଶର ସୁରକ୍ଷା ନେଇ ପରିବେଶବିତ୍ ମାନେ ଚିନ୍ତାପ୍ରକଟ କରିଛନ୍ତି । ମାତ୍ର ଏହି ପରିବେଶର ସୁରକ୍ଷା ପାଇଁ ମହାତ୍ମା ଗାନ୍ଧିଜୀ ଦୀର୍ଘ ୧୫୦ ବର୍ଷ ପୂର୍ବରୁ ଭାରତୀୟତାର ମୂଲ୍ୟବୋଧରେ ପରିବେଶ ପାଇଁ ସ୍ୱଚ୍ଛତାର ଜନଆନ୍ଦୋଳନ ତିଆରି କରିଥିଲେ । ଗାନ୍ଧିଜୀଙ୍କ ଏହି ବିଚାରଧାରା ଲମ୍ବା ସମୟ ଧରି ଆମକୁ ପ୍ରେରଣା ଦେବ ।
ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶାକୁ ସ୍ୱାବଲମ୍ବୀ, ସ୍ୱାଭିମାନୀ, ଆତ୍ମନିର୍ଭର କରିବାର ଗୋଟିଏ ସର୍ତ ସମସ୍ତଙ୍କୁ
ଉଦ୍ୟମୀ ହେବାକୁ ପଡ଼ିବ । ସମାଜର ଦାୟିତ୍ୱ କେବଳ ନିଜ ବିଷୟରେ ଭାବିବା ନୁହେଁ ବରଂ ସମସ୍ତଙ୍କୁ ନେଇ ଆଗକୁ ବଢ଼ିବା ହିଁ ମୂଳ ଦାୟିତ୍ୱ । ସମସ୍ତେ ନିଜର ମୂଳ ଦାୟିତ୍ୱ ପୂରଣ କଲେ ହିଁ ସମାଜ, ସମଷ୍ଟି, ସମୂହର ସଂସ୍କାର ପ୍ରଜ୍ଜ୍ୱଳିତ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ