ଋଷ ଓ ଜାପାନ ଗସ୍ତରେ ଯିବେ ଧର୍ମେନ୍ଦ୍ର
ଭୁବନେଶ୍ୱର : ଆସନ୍ତା ୨୨ରୁ ଋଷ ଓ ଜାପାନକୁ ୫ ଦିନିଆ ଗସ୍ତରେ ଯାଉଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକ ଉଚ୍ଚସ୍ତରୀୟ ସରକାରୀ ଅଧିକାରୀ ଓ ବ୍ୟବସାୟିକ ପ୍ରତିନିଧି ମଣ୍ଡଳୀ ତାଙ୍କ ସହ ଏହି ଗସ୍ତରେ ସାମିଲ ହେବେ । ଗତ ସେପ୍ଟେମ୍ବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଋଷର ଭ୍ଲାଡିଭୋଷ୍ଟୋକ ଇକୋନୋମିକ୍ ଫୋରମ୍ ବୈଠକରେ ଯୋଗ ଦେଇଥିଲେ । ମନ୍ତ୍ରୀ ଶ୍ରୀ ପ୍ରଧାନ ଭ୍ଲାଡିଭୋଷ୍ଟୋକରେ ଆସନ୍ତାକାଲି ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ରହି ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାଳରେ ହୋଇଥିବା ଆଲୋଚନାକୁ ଆଗେଇ ନେବା ପାଇଁ ପଦେକ୍ଷପ ନେବେ । ଋଷର ବିଭିନ୍ନ ବିଭାଗର ମନ୍ତ୍ରୀ, ବରିଷ୍ଠ ଅଧିକାରୀ, ବ୍ୟବସାୟୀ ଗୋଷ୍ଠୀଙ୍କ ସହ ମନ୍ତ୍ରୀଙ୍କର ଆଲୋଚନାର କରିବାର କାର୍ଯ୍ୟକ୍ରମ ରହିଛି । ଜେଭେଡ଼ାର ଜାହାଜ ପ୍ରସ୍ତୁତି ପ୍ରକଳ୍ପ, ଋଷର ପୂର୍ବାଞ୍ଚଳର ତୈଳ ଓ ଗ୍ୟାସ ପ୍ରକଳ୍ପ ବୁଲି ଦେଖିବା ସହ କୁକିଂ କୋଲ୍ ଓ ପରିବହନ ପଥ ସମ୍ପର୍କରେ ଆଲୋଚନାର ହେବାର ସମ୍ଭାବନା ରହିଛି । ଓଏନ୍ଚିସି ଋଷର ଗ୍ୟାସ୍ କ୍ଷେତ୍ରରେ ସାଖାଲିନ୍-୧ ପ୍ରକଳ୍ପରେ ସବୁଠାରୁ ବଡ଼ ପୁଞ୍ଜିନିବେଶ କରିଛି । ଏହି ପ୍ରକଳ୍ପର ଅଗ୍ରଗତି ଓ ଓଏନଜିସିର ଭୂମିକା ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ସମୀକ୍ଷା କରିବେ । ଜାପାନର ଅର୍ଥନୀତି, ବ୍ୟବସାୟ ଓ ଶିଳ୍ପ ମନ୍ତ୍ରୀଙ୍କ ଅନୁରୋଧକ୍ରମେ ଶ୍ରୀ ପ୍ରଧାନ ଅକ୍ଟୋବର ୨୫ ଓ ୨୬ ତାରିଖ ଦୁଇ ଦିନ ଟୋକିଓରେ ଅବସ୍ଥାନ କରିବା ସହ ସେଠାରେ ହେବାକୁ ଥିବା ବିଶ୍ୱ ଇସ୍ପାତ ସମ୍ମିଳନୀରେ ଯୋଗ ଦେବେ । ଭାରତ ଓ ଜାପାନ ମଧ୍ୟରେ ଶକ୍ତି କ୍ଷେତ୍ରରେ ସହଯୋଗ ନେଇ ଜାପାନର ଶକ୍ତି ମନ୍ତ୍ରୀଙ୍କ ସହ କେନ୍ଦ୍ର ମନ୍ତ୍ରୀ ଆଲୋଚନା କରିବେ ।