ଜିଲ୍ଲା ସ୍ତରୀୟ ମିଶନଶକ୍ତି ବିଭାଗର ସମୀକ୍ଷା ବୈଠକ: ମହିଳାଙ୍କ ବିକାଶ ପାଇଁ ପ୍ରମୁଖ ଭୂମିକା ନେବ- କମିଶନର
କେନ୍ଦ୍ରାପଡା, (ଚିତ୍ତରଂଜନ ଦାସ): ମିଶନଶକ୍ତିକୁ ଏକ ନୂତନ ବିଭାଗରେ ପରିଣତ କରାଯାଇଛି । ପୂର୍ବରୁ ଥିବା ଓ.ଏଲ.ଏମ., ଏନ.ୟୁ.ଏଲ.ଏମ. ଓ ମିଶନଶକ୍ତିକୁ ମିଶାଇ ନୂତନ ଭାବେ ମିଶନଶକ୍ତି ବିଭାଗ ଗଠନ କରାଯାଇଛି । ମହିଳାମାନଙ୍କ ସଶକ୍ତିକରଣ କାର୍ଯ୍ୟକ୍ରମକୁ ସୁସଂଗଠିତ ଭାବରେ କାର୍ଯ୍ୟକାରୀ କରାଯିବା ସହ ମିଶନଶକ୍ତି ବିଭାଗ ମହିଳାଙ୍କ ସ୍ୱୟଂସମ୍ପର୍ଣ୍ଣତା ଓ ବିକାଶ ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଜିଲ୍ଲାପାଳଙ୍କ ସଦଭାବନା ସଭା ଗୃହରେ ଅନୁଷ୍ଠିତ ମିଶନଶକ୍ତିର ସମୀକ୍ଷା ବୈଠକରେ ଯୋଗଦେଇ ରାଜ୍ୟ ମିଶନଶକ୍ତି ବିଭାଗର କମିଶନର ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ମତବ୍ୟକ୍ତ କରିଛନ୍ତି । ଆଗାମୀଦିନରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯାଇ ସେମାନଙ୍କ ଆର୍ôଥକ ବିକାଶକୁ ତ୍ୱରାନ୍ୱିତ କରାଯିବ । ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ୫୦ଲକ୍ଷ ଟଙ୍କାର ଓ ପ୍ରତିପଂଚାୟତ ଏବଂ ପ୍ରତି ପୈାରସଂସ୍ଥାର ପ୍ରତ୍ୟେକ ୱାର୍ଡରେ ୫ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ମିଶନଶକ୍ତି ଗୃହ ନିର୍ମାଣ କରାଯିବ । ସେହି ଗୃହ ଗୁଡିକରେ ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକ ବୈଠକ କରିବା ସହ ସେମାନଙ୍କର ଉତ୍ପାଦିତ ଦ୍ରବ୍ୟର ବୀକ୍ରୟ କରିପାରିବେ । କେନ୍ଦ୍ରାପଡା ସହରର ନୂଆବସଷ୍ଟାଣ୍ଡ ପରିସରରେ ଖୁବଶୀଘ୍ର ଏକ ମିଶନଶକ୍ତି ବଜାରର ଶୁଭାରମ୍ଭ କରାଯିବ ବୋଲି ଶ୍ରୀମତୀ ପାଣ୍ଡିଆନ କହିଥିଲେ । ପ୍ରତି ବ୍ଲକ ସ୍ତରୀୟ ମହାସଙ୍ଘକୁ ପୂର୍ବରୁ ୨୫ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଚଳିତବର୍ଷ ଆହୁରି ୨୫ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯିବ । ସେହି ଅର୍ଥରୁ ମହାସଙ୍ଘ ମାଧ୍ୟମରେ ଋଣ ନେଇ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକ ବିଭିନ୍ନ ବ୍ୟବସାୟ କରି ସେମାନଙ୍କ ଆର୍ଥିକ ବିକାଶ ସହ ସ୍ୱାବଲମ୍ବୀ ହୋଇପାରିବେ ବୋଲି କହିଛନ୍ତି ଶ୍ରୀମତୀ ପାଣ୍ଡିଆନ । କେନ୍ଦ୍ରାପଡା ଜିଲ୍ଲା ରାଜ୍ୟର ମିଶନଶକ୍ତି କାର୍ଯ୍ୟକ୍ରମରେ ସବୁ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିବାରୁ ଶ୍ରୀମତୀ ପାଣ୍ଡିଆନ ତାହାର ପ୍ରସଂଶା କରିଥିଲେ । ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ, ସହକାରୀ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍ଲିପ କୁମାର ପରିଡା, ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ରାଜ୍ୟ ମିଶନଶକ୍ତି ବିଭାଗର ଉପ ଶାସନ ସଚିବ ବିନୋଦ କୁମାର ଜେନା, ଟିମ ଲିଡର ଚୈାଧୁରୀ ଶ୍ରୀପତି ମିଶ୍ର, କେନ୍ଦ୍ରାପଡା ପୈାରସଂସ୍ଥାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ, ପଟ୍ଟାମୁଣ୍ଡାଇ ପୈାରସଂସ୍ଥାର ନିର୍ବାହୀ ଅଧିକାରୀ ସମ୍ପଦ କୁମାର ସ୍ୱାଇଁ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଚିନ୍ମୟୀ ରଥ, ମିଶନଶକ୍ତିର ଜିଲ୍ଲା ସଂଯୋଜକ କୈଳାସ ସେନାପତି, ବିକାଶ କୁମାର ମହାନ୍ତି, ଓ.ଏଲ.ଏମ.ର ଡିପିଏମ ସତ୍ୟଭାମା ପ୍ରଧାନ, ସମସ୍ତ ବ୍ଲକର ମିଶନଶକ୍ତିର ବିପିସି ଓ ଓ.ଏଲ.ଏମ.ର ବିପିଏମମାନେ ଉପସ୍ଥିତ ଥିଲେ ।


