ସାଇନାଥ ବସ୍ତିବାସିନ୍ଦାଙ୍କ ପୁନଃ ବିଦ୍ୟୁତ ସଂଯୋଗ କରିବାକୁ ଓଡ଼ିଶା ମାନବିକ ଅଧିକାର କମିଶନଙ୍କ ଆଦେଶ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ସାଇନାଥ ବସ୍ତିବାସିନ୍ଦାଙ୍କୁ ପୁନଃ ବିଦ୍ୟୁତ ସଂଯୋଗ ଯୋଗାଇ ଦେବାକୁ ଓଡିଶା ମାନବିକ ଅଧିକାର କମିଶନ ଆଜି ତା ୧୮.୦୩.୨୦୨୧ରିଖରେ ନିର୍ଦ୍ଦେଶ ଦେଇଛନ୍ତି। ଏହି ଆଦେଶର କପି ବିଦ୍ୟୁତ ବିଭାଗ କାର୍ଯ୍ୟନିର୍ବାହୀ ଅଧିକାରୀ, ବିଡ଼ିଏ ଓ ବିଏମସି ନିକଟକୁ ମଧ୍ୟ ପଠାଯାଇଛି। ସାଇନାଥ ବସ୍ତି କମିଟିର ସଭାପତି ଦିଲ୍ଲୀପ କୁମାର ସିଂ ଓ ଅନ୍ୟ ପରିବାରଙ୍କ ଆବେଦନ କେଶ ନ ୮୧୩ ୨୦୧୧ ଶୁଣାଣୀ କରି ତା ୧୮.୦୩.୨୦୨୧ ରିଖରେ ଏହି ଆଦେଶ କେଶ ନ ୮୧୩ ଓ ୨୧ ପତ୍ର ସଂଖ୍ୟା ୩୦୬୩/ ଓହେଚଆରସି ପ୍ରଦାନ କରିଛନ୍ତି। ଭିଏସଏସ ନଗର ବିଦ୍ୟୁତ ସେକ୍ସନ ଅନ୍ତର୍ଗତ ସାଇନାଥ ବସ୍ତିର ବହୁ ବିଦ୍ୟୁତ ଗ୍ରାହକ ପରିବାରଙ୍କର ଗତ ୩ ମାର୍ଚ୍ଚରୁ ବିଦ୍ୟୁତ ସଂଯୋଗ କାଟିଦିଆଯାଇଥିଲା। ସ୍ମାର୍ଟ ସିଟି ରାଜଧାନୀ ଭୁବନେଶ୍ୱରର ଶ୍ରମଜିବୀ ବସ୍ତିବାସିନ୍ଦା ପରିବାର ଅତ୍ୟାବଶ୍ୟକୀୟ ସେବାରୁ ବଂଚିତ ହୋଇ ଖରା ଗରମରେ ପ୍ରବଳ କଷ୍ଟ ପାଇବା ସହିତ ପିଲାମାନଙ୍କ ପାଠପଢ଼ା ସମ୍ପୂର୍ଣ୍ଣ ଠପ ହୋଇଯାଇଥିଲା। ସାଇନାଥ ବସ୍ତି ବଳପୂର୍ବକ ଉଚ୍ଛେଦ କରିବା ଉଦ୍ଦେଶ୍ୟରେ ଏହି ବିଦ୍ୟୁତ ସଂଯୋଗ କାଟି ଦିଆଯାଇଥିଲା। ବେଆଇନ ଉଛେଦ ବନ୍ଦ କରିବା ଏବଂ ବସ୍ତି ଆଇନକୁ କାର୍ଯ୍ୟକାରୀ କରିବା ଦାବିରେ ଆନ୍ଦୋଳନ କରିଥିବା ପରିବାରଙ୍କ ଘର ଭାଙ୍ଗିବାରେ ବିଫଳ ହୋଇଥିଲେ ମଧ୍ୟ ପ୍ରଶାସନ ବିଦ୍ୟୁତ ଭଳି ଅତ୍ୟାବଶ୍ୟକୀୟ ସେବାରୁ ବସ୍ତିବାସିନ୍ଦାଙ୍କୁ ବଞ୍ଚିତ କରି ଘର ଛାଡ଼ି ଚାଲିଯିବାକୁ ବାଧ୍ୟ କରିଥିଲେ। ତଥାପି ବସ୍ତିବାସିନ୍ଦା ଏହାକୁ ସାମ୍ନା କରି ଲଢେଇ ଜାରୀ ରଖିଥିଲେ। ସ୍ଥାନୀୟ ଜେ.ଇ, ଡ଼ିଜିଏମ୍, ବିଏମସି ଓ ବିଡ଼ିଏ ବିଦ୍ୟୁତ ସଂଯୋଗ ଯୋଗାଇ ଦେବାକୁ ମନା କରିବା ପରେ ବସ୍ତିବାସିନ୍ଦାଙ୍କ ପକ୍ଷରୁ ମାନ୍ୟବର ଓଡ଼ିଶା ମାନବିକ ଅଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏଥିସହ, ଗତ ୮ ମାର୍ଚ୍ଚରେ ମାନ୍ୟବର ଓଡିଶା ହାଇକୋର୍ଟ ସାଇନାଥ ବସ୍ତି ଭଙ୍ଗା/ ଉଛେଦ ଉପରେ ରହିତାଦେଶ ଦେଇଛନ୍ତି। ଡବ୍ଲୁ ପି ସି ନ. ୪୭୫୩ ଓ ୨୦୧୧, ତା ୦୮.୦୩.୨୦୧୧ ରେ ଆଇନ ପ୍ରକ୍ରିୟା ଅନୁସରଣ କରି ବିକଳ୍ପ ଥଇଥାନ ଯୋଗେଇଦେବା ପୂର୍ବରୁ ବସ୍ତି ଉଛେଦ ନକରିବାକୁ/ ଘର ନଭାଙ୍ଗିବାକୁ ମାନ୍ୟବର ଓଡିଶା ହାଇକୋର୍ଟ ସ୍ପଷ୍ଟ ନିର୍ଦେଶ ଦେଇଛନ୍ତି।
ପ୍ରକାଶଯୋଗ୍ୟ, ମାନ୍ୟବର ଓଡ଼ିଶା ହାଇକୋର୍ଟଙ୍କ ଆଦେଶ ସତ୍ତ୍ୱେ ଏହି ବସ୍ତିକୁ ଉଚ୍ଛେଦ କରିବା ଯୋଜନାରେ ଗତ ୧୬ ମାର୍ଚ୍ଚ ବିଳମ୍ବିତ ରାତିରେ ଉଛେଦ ଯୋଜନାର ମୁଖ୍ୟ କାର୍ପଟଦାର ବିଲଡ଼ରଙ୍କ ପକ୍ଷରୁ ମରଣାତ୍ମକ ଆକ୍ରମଣ ହୋଇଥିଲା। ଏହା ବିରୁଦ୍ଧରେ ବସ୍ତିବାସିନ୍ଦାଙ୍କ ପକ୍ଷରୁ ଡ଼ିସିପି ଅଫିସ ଘେରାଉ କରାଯିବା ସହିତ ସ୍ଥାନୀୟ ମଞ୍ଚେଶ୍ୱର ଥାନାରେ ଏତଲା ଦିଆଯାଇଥିଲା। ଆକ୍ରମଣକାରୀ ବିଲଡ଼ର ଓ ତାଙ୍କ ସହଯୋଗୀଙ୍କ ବିରୁଦ୍ଧରେ ମଞ୍ଚେଶ୍ୱର ଥାନାରେ କେଶ ନମ୍ବର ୦୮୮ ତା ୭.୦୩.୨୦୨୧ ପଞ୍ଜିକୃତ ହୋଇଛି। ଏଥିସହ ବସ୍ତିବାସିନ୍ଦାଙ୍କୁ ସୁରକ୍ଷା ଯୋଗେଇ ଦେବାକୁ ଡ଼ିସିପି ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ସାଇନାଥ ବସ୍ତି କମିଟି ପକ୍ଷରୁ ସମ୍ପାଦକ ସଛବକାନ୍ତ ଭାଟ୍ରା, ସବିତା ସିଂ, ପ୍ରକାଶ ମହାପାତ୍ର, ଶାରଳା ବିଶ୍ୱାଳ, ସ୍ୱାଗତିକା ବେହେରା, ସୁଜିତ ପ୍ରଧାନ ଆଦି ଜଣାଇଛନ୍ତି। ମାନବିକ ଅଧିକାର କମିଶନରେ ବସ୍ତି ସୁରକ୍ଷା ମଞ୍ଚର ଉପଦେଷ୍ଟା ଆଇନଜୀବୀ ବିଶ୍ୱପ୍ରିୟ କାନୁନଗୋ ଓ ଆଡ଼ଭୋକେଟ ବିଜୟ ପଣ୍ଡା ମୋକଦ୍ଦମା ପରିଚାଳନା କରିଥିଲେ। ଏହି ଆନ୍ଦୋଳନରେ ବସ୍ତି ସୁରକ୍ଷା ମଞ୍ଚ ସେମାନଙ୍କୁ ଦୃଢ଼ ସମର୍ଥନ ଓ ସହଯୋଗ ଯୋଗାଇଥିଲା ବୋଲି ବସ୍ତିବାସିନ୍ଦାମାନେ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ