ଆଖୁଚାଷୀଙ୍କୁ ପଇସା ଦେଉନାହିଁ ଶକ୍ତିସୁଗାର ଲାଭ ଖାଇବ କମ୍ପାନୀ, ତଣ୍ଡ ଗଣିବେ ଚାଷୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ବର୍ଷ ବର୍ଷ ଧରି ଉପକୂଳ ଓଡ଼ିଶାରେ ଆଖିଚାଷୀ ବିଶ୍ୱାସଭାଜନ ହୋଇଥିବା ଶକ୍ତି ସୁଗାର କମ୍ପାନୀ ଏବେ ଆଖୁଚାଷୀଙ୍କ ସହ ଖେଳ ଖେଳିବା ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ, ବଡ଼ମ୍ବା ସୁଗାର ବିଜୟାନନ୍ଦ ସମବାୟ ଚିନିକଳ ଓ ଅନ୍ୟାନ୍ୟ ଛୋଟ ଚିନିକଳ ବନ୍ଦ ହୋଇଯିବା ପରେ ଶକ୍ତି ସୁଗାର ଏକମାତ୍ର ଆଗୁଆ କମ୍ପାନୀ ହିସାବରେ ବ୍ୟବସାୟ କରୁଛି । ବାଲାଜୀ ସୁଗାର ଯେତେବେଳେ ଆଖୁକଳ ବଡ଼ମ୍ବାରେ ଚାଲୁ କଲା, ସେତେବେଳେ ଶକ୍ତି ସୁଗାର ଠାରୁ ୨୦୦ ଟଙ୍କା ଟନ ପିଛା ଅଧିକ ଦେଉଥିଲା । କିନ୍ତୁ ଅନ୍ୟ ଚିନିକଳମାନେ ବନ୍ଦ ହୋଇଯିବା ପରେ ଏବେ ଚାଷୀଙ୍କୁ ପାଉଣା ଦେବାରେ ଶକ୍ତି ସୁଗାର ଢେର ଟାଳଟୁଳ ନୀତି ଅବଲମ୍ବନ କରୁଛି । ପୂର୍ବରୁ ଶକ୍ତି ସୁଗାର ପ୍ରତି ୧୫ ଦିନରେ ପେମେଣ୍ଟ ଦେଉଥିବା ବେଳେ ଏବେ ପାଉଣା ଦେବାକୁ ବର୍ଷେ ଲଗାଇ ଦେଉଛି । ଗତବର୍ଷ ଗୋଟିଏ ସିଜିନ ପରେ ଚାଷୀମାନେ ପେମେଣ୍ଟ ପାଇଥିଲେ । ଆଖୁ ସଂଗ୍ରହ କ୍ଷେତ୍ରରେ ସରକାରୀ ନିୟମ ହେଉଛି ଯେ, ୧୪ଦିନ ମଧ୍ୟରେ ଯଦି କମ୍ପାନୀ ଚାଷୀଙ୍କୁ ସେମାନଙ୍କ ପ୍ରାପ୍ୟ ନଦିଏ, ତେବେ ପାଉଣା ଅର୍ଥ ଉପରେ ସୁଧ ଦେବ । କିନ୍ତୁ ଏହି ନିୟମ ଶକ୍ତି ସୁଗାର କ୍ଷେତ୍ରରେ ଲାଗୁ ହେଉନଥିବାରୁ ଶକ୍ତି ସୁଗାର ଅଧିକାରୀମାନେ ଜାଣିଶୁଣି ଓଡ଼ିଆ ଚାଷୀଙ୍କୁ ଅବହେଳା କରି ଏହି ଅର୍ଥକୁ ତାମିଲନାଡ଼ରେ ଲଗାଉଛନ୍ତି । ସୂଚନାଯୋଗ୍ୟ ଯେ, ଶକ୍ତି ସୁଗାରର ତାମିଲନାଡ଼ୁରେ ଅନ୍ୟାନ୍ୟ ବ୍ୟବସାୟ ଅଛି । ଚାଷୀଙ୍କ ପଇସା ବ୍ୟାଙ୍କରେ ଗଚ୍ଛିତ ରଖି ଓ ଅନ୍ୟ କ୍ଷେତ୍ରରେ ବିନିଯୋଗ କରି କମ୍ପାନୀ ବିପୁଳ ଲାଭବାନ ହେଉଥିବାବେଳେ ଚାଷୀମାନେ ବ୍ୟାଙ୍କକୁ ତଣ୍ଡ ଗଣୁଛନ୍ତି । ଅନ୍ୟ ଅର୍ଥରେ ଶକ୍ତି ସୁଗାର ଗୋଟିଏ କମ୍ପାନୀ ହୋଇଥିବାରୁ ସେ ଏକଚାଟିଆ କାରବାର ଆରମ୍ଭ କରିଛି । କମ୍ପାନୀ କର୍ତ୍ତୃପକ୍ଷ ତୁରନ୍ତ ସମସ୍ତ ଆଖୁଚାଷୀଙ୍କ ବକେୟା ଅର୍ଥ ମାର୍ଚ୍ଚ ମାସ ଶେଷ ସୁଦ୍ଧା ଚାଷୀମାନଙ୍କୁ ପ୍ରଦାନ ନକଲେ କମ୍ପାନୀର ଏହି ମନମାନୀ ନୀତି ବିରୁଦ୍ଧରେ ଆନ୍ଦୋଳନ କରାଯିବ ସହ ଚାଷୀଙ୍କ ସୁଧ ପଇସା ଆଦାୟ କରାଯିବ ବୋଲି ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ