ଦୋଳଯାତ୍ରା ଉପଲକ୍ଷେ ରାମାୟଣ ନାଟକ ମଞ୍ଚସ୍ଥ ; ନାଟକ ବନ୍ଦ କରିବାକୁ ଯାଇ ତହସିଲଦାର, ଆଇଆଇସି ହଟହଟା
ଦିଗପହଣ୍ଡି, (ୱାଇଏନ୍ଏସ୍): ପବିତ୍ର ଦୋଳପୁର୍ଣ୍ଣିମା ଯାତ୍ରା ଉପଲକ୍ଷେ ଦିଗପହଣ୍ଡି ବ୍ଳକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡି ଗାଁ ରେ ମଞ୍ଚସ୍ଥ ହେଉଥିବା ପୌରାଣିକ ରାମାୟଣ ଥିଏଟରକୁ ବନ୍ଦ କରିବାକୁ ଯାଇ ଦିଗପହଣ୍ଡି ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଅଦୈତ୍ୟ କୁମାର ସ୍ୱାଇଁ ଓ ଆଇ.ଆଇ.ସି ବସନ୍ତ କୁମାର ସେଠୀ ହଟହଟା ହୋଇଥିବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।ଗାଁର ବହୁସଂଖ୍ୟକ ମହିଳା ସଂଘବଦ୍ଧ ହୋଇ ସମ୍ପୃକ୍ତ ୨ ଅଧିକାରୀଙ୍କୁ ପ୍ରାୟ ଘଣ୍ଟାଏ କାଳ ନଜର ବନ୍ଦୀ କରି ଅଟକ ରଖିବା ପରେ ଗାଁ ମୁଖିଆ ମାନଙ୍କ ହସ୍ତକ୍ଷେପ ପରେ ସମ୍ପୃକ୍ତ ୨ ଅଧିକାରୀ ଙ୍କୁ ଉତ୍ତେଜିତ ମହିଳା ଙ୍କ କବଳରୁ କୌଶଳ କ୍ରମେ ଉଦ୍ଧାର କରାଯାଇଥିବା ଜଣାପଡିଛି। ବିଳମ୍ବରେ ପ୍ରାପ୍ତ ଖବର ରୁ ଜଣାପଡିଛି ଯେ, ବ୍ଲକ ଅଧିନ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡି ଗାଁରେ ଗତ ମଙ୍ଗଳବାର ୩୦ ତାରିଖ ରାତି ପ୍ରାୟ ସାଢେ଼ ୧୧ ଟା ରେ ଗାଁ ର ଯୁବ ଗୋଷ୍ଠୀ ଙ୍କ ସାମୁହିକ ସହଯୋଗ କ୍ରମେ ଗାଁ ଉତ୍ସାହୀ କଳାକାର ମାନଙ୍କ ଦ୍ବାରା ରାମାୟଣ ଥିଏଟର ପରିବେଷଣ ପାଇଁ ସମସ୍ତ ପ୍ରସୂତି ସରିଥିଲା। ଏପରିକି ନାଟକ ରେ ଅଭିନୟ କରିବା ନିମନ୍ତେ ସମସ୍ତ କଳାକାର ବେଶ ଭୂଷା ରେ ସଜ୍ଜିତ ହୋଇ ନାଟକ ଉଦଘାଟନ କୁ ଅପେକ୍ଷା ରେ ଥିଲେ। ଗାଁ ର ଶ୍ରୀ ରାଧାକୃଷ୍ଣ ବିଜେ ମହାପ୍ରଭୁଙ୍କ ଦୋଳଯାତ୍ରା ଉତ୍ସବ ଉପଲକ୍ଷେ ଏହି ନାଟକ ପରିବେଷଣ ପାଇଁ ବହୁପୂର୍ବରୁ ଦିନଧାର୍ଯ୍ୟ ହୋଇଥିଲା। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ନାଟକ ପରିବେଷଣ ପାଇଁ ମନ୍ଦିର ନିକଟ ରାସ୍ତା କଡ଼ରେ ମଞ୍ଚା ପଡ଼ିଥିଲା। ସମସ୍ତ ପ୍ରକାର ଆୟୋଜନ ସରିଥିଲା। ସନ୍ଧ୍ୟାରେ ନାଟକ ମଞ୍ଚ ର ଶୁଭ ଉଦଘାଟନ ପାଇଁ ଦିଗପହଣ୍ଡି ବ୍ଳକ ଉପାଧ୍ୟକ୍ଷା ଙ୍କ ପ୍ରତିନିଧି ଏମ. ନିରଞ୍ଜନ ରେଡ୍ଡୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମଞ୍ଚ ର ଆନୁଷ୍ଠାନିକ ଭାବେ ଉଦଘାଟନ କରି ଫେରିଥିଲେ।ନାଟକର ସମସ୍ତ କଳାକାର ଡ୍ରାମା ପେଣ୍ଡାଲ ର ଗ୍ରୀନ ରୁମ ରେ ବେଶଭୂଷା ରେ ସାଜ ସଜ୍ଜା ହୋଇ ଅପେକ୍ଷା କରିଥିଲେ । ସରକାରଙ୍କ କୋଭିଡ ନୀତି ନିୟମ କୁ ଖୁଲମ ଖୁଲା ଉଲଘଂନ କରି ଗ୍ରାମରେ ରାମାୟଣ ଥିଏଟର ପରିବେଷଣ ହେଉଥିବା ସମ୍ପର୍କରେ ଗ୍ରାମର କୌଣସି ଜଣେ ବ୍ୟକ୍ତିଙ୍କ ଠାରୁ ଦିଗପହଣ୍ଡି ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଏବଂ ଆଇଆଇସି ଙ୍କ ପାଖରେ ସୂଚନା ପହଞ୍ଚିଥିଲା। ଗଞ୍ଜାମ ଜିଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ତହସିଲଦାର ଏବଂ ବ୍ରହ୍ମପୁର ଏସ.ପି ଙ୍କ ଅନୁମତି କ୍ରମେ ଆଇ.ଆଇ.ସି ରାତି ପ୍ରାୟ ସାଢେ଼ ୧୧ ଟା ରେ ସଦଳବଳେ ଗାଁ ରେ ପହଞ୍ଚିଲା ବେଳକୁ ଗାଁ ମୁଖ୍ୟରାସ୍ତା ରେ ବାଉଁଶ ବାଡ଼ ବାନ୍ଧି କିଛି ବ୍ୟକ୍ତି ଗାଡି ମୋଟର ଛାଡ଼ୁନଥିଲେ। ବାଉଁଶ ବାଡ଼ ଭାଙ୍ଗି ପୋଲିସ ଟିମ୍ ଗାଁ ମଧ୍ୟରେ ପ୍ରବେଶ କରିଥିଲେ। ନାଟକ ପରିବେଷଣ ପାଇଁ ସମସ୍ତ କାର୍ଯ୍ୟକ୍ରମ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଥିଲା।ଗାଁରେ ପୋଲିସ ଫୋର୍ସକୁ ଦେଖି ବେଶଭୂଷାରେ ସଜ୍ଜିତ ହୋଇଥିବା ରାବଣ, ଦଶରଥ ଙ୍କ ସମେତ ବାଳୀ, ସୁଗ୍ରୀବ, ପ୍ରଭୁ ରାମଚନ୍ଦ୍ର ଙ୍କ ସମେତ ମାତା ସୀତା ଙ୍କ ସମେତ ଅନେକ କଳକାର ଗ୍ରୀନ ରୁମ ରୁ ବାହାରି ଯାଇ ଯିଏ ଯୁଆଡେ ପାରିଲେ ଗିରଫ ଭୟରେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ। ତୁରନ୍ତ ନାଟକ ବନ୍ଦ ପାଇଁ ପୋଲିସ ଟିମ୍ ଆୟୋଜକ ମାନଙ୍କୁ ତାଗିଦ୍ କରୁଥିବା ବେଳେ ଗାଁର ବହୁ ସଂଖ୍ୟକ ମହିଳା ଏକତ୍ରିତ ହୋଇ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ଦୀର୍ଘ ସମୟ ଧରି ଘେରାଉ କରିବା ସହ କରୋନା ନୀତି ନିୟମ ର ଅନୁପାଳନ ଅନ୍ୟାନ୍ୟ ଅଞ୍ଚଳରେ କିଭଳି ଭାବରେ କରାଯାଉଛି ସେ ସମ୍ପର୍କୀତ ବିଭିନ୍ନ ପ୍ରଶ୍ନ ଉପସ୍ଥାପିତ କରିଥିଲେ। ଉଭୟ ପୋଲିସ ଓ ପ୍ରଶାସନିକ ଅଧିକାରୀ ଦ୍ୱୟ ଉତ୍ତେଜିତ ଗ୍ରାମବାସୀଙ୍କ ପ୍ରଶ୍ନ ବାଣ ରେ ଜର୍ଜରିତ ହୋଇ ଚୁପ୍ ହୋଇ ବସି ରହିଥିଲେ। ପରେ ଉଭୟେ ସେଠାରୁ କୌଶଳକ୍ରମେ ଦିଗପହଣ୍ଡି ଫେରିଆସିଥିଲେ। ରାତି ପ୍ରାୟ ୧୨ ଟା ରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ରାମାୟଣ ନାଟକ ବୁଧବାର ଭୋର ଯାଏଁ ପରିବେଷଣ କରାଯାଇଥିଲା। ଆଖପାଖ ୧୦ ରୁ ଉର୍ଦ୍ଧ୍ବ ଗ୍ରାମର ସହସ୍ରାଧିକ ଜନତା ନାଟକ ଟିକୁ ବେଶ ଉପଭୋଗ କରିବା ସହ କଳାକାର ମାନଙ୍କ ନିଖୁଣ ଅଭିନୟକୁ ବେଶ୍ ପ୍ରସଂଶା କରିଥିଲେ। ଏ ସମ୍ପର୍କରେ ଦିଗପହଣ୍ଡି ତହସିଲଦାର ଅଦୈତ୍ୟ କୁମାର ସ୍ୱାଇଁଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପ୍ରକାରେ ସେ ରାତିରେ ପେଣ୍ଡୁରାବାଡୀ ଗ୍ରାମକୁ ଯାଇଥିଲୁ ସେତେବେଳକୁ ନାଟକ ପରିବେଷଣ ଆରମ୍ଭ ହୋଇନଥିଲା। କରୋନା ଭୂତାଣୁ ପୁଣି ଥରେ ତାର କାୟା ବିସ୍ତାର କରୁଥିବା କାରଣରୁ ନାଟକ ପରିବେଷଣ ବନ୍ଦ କରିବାପାଇଁ ଆୟୋଜକ ମାନଙ୍କୁ ଆମେ ଟିମ୍ ସଦସ୍ୟବୃନ୍ଦ ତାଗିଦ କରିଥିଲୁ।ତଥାପି ସେମାନେ ମାନିନଥିଲେ।ଫଳରେ ଘଟଣା ସ୍ଥଳରେ ପୋଲିସ ମୃତୟନ କରି ଗାଁରୁ ସେ ଫେରି ଆସି ଥିଲେ ବୋଲି ସେ କହିଛନ୍ତି। ତାଙ୍କୁ କିମ୍ବା ପୋଲିସ ଅଧିକାରୀଙ୍କୁ ଗାଁ ର ମହିଳା ମାନେ ନଜର ବନ୍ଦୀ କରି ଘଣ୍ଟାଏ କାଳ ଅଟକ ରଖାଯିବା ଖବର ନିରା ଧାର ଓ ସମ୍ପୂର୍ଣ୍ଣ ଅସତ୍ୟ ବୋଲି ସେ ତାଙ୍କ ପ୍ରତିକ୍ରିୟା ରେ ଜଣାଇଛନ୍ତି। ସେହିପରି ଆଇ ଆଇ ସି ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି ଯେ, ଏଭଳି ଖବର କେବଳ ମନଗଢ଼ା । ଘଟଣା ଟିକୁ ଅଧିକ ରୋଚକ କରାଯିବାକୁ ଏଭଳି ଖବର ଗାଁ ଲୋକେ ପ୍ରଦାନ କରିଥିବା କହିଛନ୍ତି।


