ଚଣ୍ଡିଖୋଲରେ ହେବ ଦେଶର ବୃହତମ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭର : କେନ୍ଦ୍ର ପେଟ୍ରୋଲିୟମ୍ ସଚିବ

  • ଓଡିଶାରେ ପେଟ୍ରୋଲିୟମ ଓ ଗ୍ୟାସ ଭିତିଭୂମିର ବିକାଶ ପାଇଁ ୨ ଲକ୍ଷ ୧୩ ହଜାର କୋଟିର ପୁଞ୍ଜିନିବେଶ
    – ୯୨ ହଜାର ୫୫୬ କୋଟି ମୂଲ୍ୟର ୧୦ଟି ପ୍ରକଳ୍ପ ପ୍ରସ୍ତାବିତ ରହିଛି
    – ପାରାଦୀପରେ ନୂତନ ଏଲ୍‌ପିଜି ଆମଦାନୀ ସୁବିଧା ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ

ଭୁବନେଶ୍ୱର, (‌ୱାଇଏନ୍‌ଏସ୍): ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଠାରେ ପାରାଦ୍ୱୀପ ରିଫାଇନାରିର ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ୍ ରିଜର୍ଭୟର ପ୍ରତିଷ୍ଠା କରାଯିବ । ୪୦୦ ଏକର ଜମିରେ ପ୍ରତିଷ୍ଠା ହେବାକୁ ଥିବା ଏହି ରିଜର୍ଭରରେ ୧୦ ହଜାର କୋଟି ଟଙ୍କା ବ୍ୟୟ କରାଯିବ । ଏହା ଦେଶର ସର୍ବ ବୃହତ୍ ପେଟ୍ରୋଲିୟମ୍ ଷ୍ଟୋରେଜ୍ ହେବ । ଏହି ପ୍ରସ୍ତାବିତ ପ୍ରକଳ୍ପ ଅନୁମୋଦନ ପାଇବା ପରେ ୬ ବର୍ଷ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ ହେବ । ଏଠାରେ ଅଶୋଧିତ ତୈଳ ସଂରକ୍ଷଣ କରାଯାଇପାରିବ ବୋଲି ଭାରତ ସରକାରଙ୍କ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ସଚିବ ତରୁଣ କପୁର ସୂଚନା ଦେଇଛନ୍ତି ।
ଶ୍ରୀ କପୁର ସୋମବାର ଭୁବନେଶ୍ୱର ଗସ୍ତରେ ଆସି ଓଡିଶାରେ ତୈଳ ବିପଣନ କମ୍ପାନୀ ଏବଂ ଗ୍ୟାସ ରାଷ୍ଟ୍ରାୟତ ଉଦ୍ୟୋଗ ଯଥା ଆଇଓସିଏଲ୍‌, ଏଚ୍‌ପିସିଏଲ୍‌, ବିପିସିଏଲ୍‌, ଗେଲ, ଓଏନଜିସି, ନୟାରା, ଓଆଇଏଲ, ଆରଏମବିଏଲ୍‌ର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଗୁଡ଼ିକର ସମୀକ୍ଷା କରିଛନ୍ତି । ଏହି କ୍ରମରେ ସେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ରଙ୍କୁ ଭେଟି ତୈଳ ଏବଂ ଗ୍ୟାସ ସମ୍ପର୍କିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ଏବଂ ଏଥିରେ ସେ ରାଜ୍ୟ ସରକାରଙ୍କ ସହାୟତା ଲୋଡ଼ିଥିଲେ । ତେବେ ରାଜ୍ୟରେ ପେଟ୍ରୋଲିୟମ ଓ ଗ୍ୟାସ ପ୍ରକଳ୍ପ ନେଇ ହୋଇଥିବା ଆଲୋଚନା ସକରାତ୍ମକ ହୋଇଥିବା ଏବଂ ଏହି ସବୁ ପ୍ରକଳ୍ପ ନେଇ ରାଜ୍ୟ ସରକାର ସହଯୋଗ କରିବେ ବୋଲି ମୁଖ୍ୟ ଶାସନ ସଚିବ ପ୍ରକାଶ କରିଥିବା କହିଛନ୍ତି ।
ଏହି ଅବସରରେ ଶ୍ରୀ କପୁର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ ଓଡିଶାରେ ତୈଳ ଏବଂ ଗ୍ୟାସ ରାଷ୍ଟ୍ରାୟତ ଉଦ୍ୟୋଗ ପକ୍ଷରୁ ମୋଟ ୬୯ଟି ପ୍ରକଳ୍ପ ପାଇଁ ଓଡିଶାରେ ୨ ଲକ୍ଷ ୧୩ ହଜାର ୨୦୯ କୋଟି ଟଙ୍କାର ପୁଞ୍ଜିନିବେଶର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ତନ୍ମଧ୍ୟରୁ ୨୦୧୪ ଠାରୁ ଅର୍ଥାତ୍ ବିଗତ ୬ ବର୍ଷ ମଧ୍ୟରେ ମୋଟ ୪୩ ହଜାର ୩୨୨ କୋଟି ଟଙ୍କା ମୂଲ୍ୟର ୨୫ଟି ତୈଳ ଓ ଗ୍ୟାସ ପ୍ରକଳ୍ପର କାମ ଶେଷ ହୋଇଥିବା ବେଳେ ବର୍ତମାନ ମୋଟ ୭୭ ହଜାର ୩୩୧ କୋଟି ଟଙ୍କା ମୂଲ୍ୟର ୩୪ଟି ପ୍ରକଳ୍ପ ଗୁଡ଼ିକ କାମ ଜାରି ରହିଛି । ସେହିପରି ୧୦ଟି ପ୍ରସ୍ତାବିତ ପ୍ରକଳ୍ପ ପାଇଁ ୯୨ ହଜାର ୫୫୬ କୋଟି ଟଙ୍କାର ପୁଞ୍ଜିନିବେଶ ହେବା ନେଇ ଆକଳନ କରାଯାଇଛି ।
ଗତ ସାତ ବର୍ଷ ୨୦୧୨-୧୩ ରୁ ୨୦୧୯-୨୦ ମଧ୍ୟରେ ଓଡ଼ିଶାର ଅର୍ଥନୀତି ଜାତୀୟ ହାର ୬.୬% ଠାରୁ ବୃଦ୍ଧି ଘଟି ବାର୍ଷିକ ହାରାହାରି ୭.୧% ରେ ପହଁଚିଛି । ଓଡ଼ିଶାରେ ବୃଦ୍ଧି ଘଟୁଥିବା ଆବଶ୍ୟକ ଉର୍ଜାକ୍ଷେତ୍ର
ନିମନ୍ତେ ଇନ୍ଧନ ଯୋଗାଇବା ପାଇଁ ତୈଳ ଉଦ୍ୟୋଗଗୁଡ଼ିକ ନିରନ୍ତର ଭାବେ ସେମାନଙ୍କ ଯୋଗାଣ ଭିତିଭୂମିର ବିକାଶ କରୁଛନ୍ତି । ୪.୨ କୋଟି ଜନସଂଖ୍ୟାର ଉର୍ଜା ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ ବର୍ତମାନ ଓଡିଶାରେ ୨୦୬୮ଟି ରିଟେଲ ଆଉଟ୍‌ଲେଟ, ୯୫୨ ଏଲ୍‌ପିଜି ବିତରକ, ୧୬୧ କିରୋସିନ ଡିଲରସିପ ରହିଛନ୍ତି । ୨୧ ମଇରେ ପାରାଦୀପ ଠାରେ ଏକ ନୂତନ ଏଲ୍‌ପିଜି ଆମଦାନୀ ସୁବିଧା ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଥିବା ବେଳେ ରାୟଗଡ଼ା, ଖୋର୍ଦ୍ଧା ଠାରେ ଦୁଇଟି ଏଲ୍‌ପିଜି ପ୍ଲାଂଟ ମଧ୍ୟ ନିର୍ମାଣ କରାଯାଉଛି । ଓଡ଼ିଶାରେ ପେଟ୍ରୋଲ, ତୈଳ, ଲୁବ୍ରିକାଂଟର ଚାହିଦାକୁ ଦୃଷ୍ଟିରେ ରଖି ଇଣ୍ଡିଆନ ଅଏଲ ବ୍ରହ୍ମପୁର, ବିପିସିଏଲ ସଦାଶିବପୁର ଏବଂ ଝାରସୁଗୁଡ଼ାରେ ତିନୋଟି ପେଟ୍ରୋଲ ତୈଳ ଲୁବ୍ରିକାଂଟ(ପିଓଏଲ୍‌) ଟର୍ମିନାଲ ନିର୍ମାଣ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ