ପୁଣି ଫେରିପାରେ ଦିନକର୍ଫ୍ୟୁ : ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର, (ୱାଇଏନ୍ଏସ୍): କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଦରକାର ପଡିଲେ ଦିନରେ କର୍ଫ୍ୟୁ କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ସୀମାବର୍ତୀ ଅଂଚଳରେ ପର୍ଯ୍ୟବେକ୍ଷକ ଗସ୍ତକରି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଏଥିସହ ଟେଷ୍ଟିଂ କେମିତି ବଢିବ, ତା’ଉପରେ ଗୁରୁତ୍ୱ ଦିଆଯାଉଛି । ସ୍କୁଲ, ବିମାନବନ୍ଦର ଓ ରେଳ ଷ୍ଟେସନରେ ସଂକ୍ରମଣ ଚିହ୍ନଟ ବଢ଼ିଲାଣି । ସେଥିପାଇଁ ଆମକୁ ଅଧିକ ଗୁରୁତ୍ୱ ଦେବାକୁ ପଡିବ । ଦରକାର ପଡିଲେ ଜିଲ୍ଲାପାଳମାନେ ନାଇଟ୍ କର୍ଫ୍ୟୁ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଗତକାଲି ବାଚସ୍ପତି ମଧ୍ୟ ଦିନରେ କର୍ଫ୍ୟୁ ସମ୍ପର୍କରେ ସୂଚନା ଦେଇଥିଲେ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଥିଲେ, ସ୍ଥିତି ଦେଖି ସରକାର ଦିନରେ କର୍ଫ୍ୟୁ ଲଗାଇ ପାରନ୍ତି । ତେବେ ଏହା ଉପରେ ପ୍ରତିକ୍ରିୟା ଦେଇ ଏସଆରସି ପ୍ରଦୀପ ଜେନା କହିଥିଲେ, ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି । ଦିନ କର୍ଫ୍ୟୁ ଲାଗିବ ନାହିଁ । କୋଭିଡ ସ୍ଥିତି ଉପରେ ରାଜ୍ୟ ସରକାର ସତର୍କ ଦୃଷ୍ଟି ରଖିଛନ୍ତି । ଏଥିସହ କୋଭିଡ ଗାଇଡଲାଇନ କଡାକଡି ଭାବେ ପାଳନ କରିବାକୁ କହିଥିଲେ ଏସଆରସି ।


