ବିଜେପିର ୪୧ତମ ପ୍ରତିଷ୍ଠା ଦିବସ ପାଳିତ

ଓଡିଶାକୁ ଦେଶର ଏକ ନମ୍ବର ରାଜ୍ୟ ଭାବେ ଗଢିବା ପାଇଁ ସଂକଳ୍ପ ନେବା : ସମୀର ମହାନ୍ତି
ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନେତୃତ୍ୱରେ ଭାରତ ବିକାଶମୁଖୀ ହୋଇଛି: ବିଜୟ ପାଲ ସିଂ ତୋମର
ବିଜେପିର ବିଚାରଧାରାକୁ ସମଗ୍ର ଭାରତବାସୀ ଆପଣାଇଛନ୍ତି: ସମ୍ବିତ ପାତ୍ର

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ବିଜେପିର ୪୧ତମ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟ ବିଜେପି କାର୍ଯ୍ୟାଳୟ ପରିସର ଭିତରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଦଳୀୟ ପତାକା ଉତୋଳନ କରିବା ସହ ଶ୍ୟାମାପ୍ରସାଦ ମୁଖାର୍ଜୀ ଏବଂ ଦୀନଦୟାଲ ଉପାଧ୍ୟାୟଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ ।ଏହି ଅବସରରେ ସେ କହିଥିଲେ ଯେ ଦୀର୍ଘ ୪୧ ବର୍ଷର ଯାତ୍ରା ଏକ ସଂଘର୍ଷ ପୂର୍ଣ୍ଣ ଯାତ୍ରା ଥିଲା । ଏହି ସମୟ ମଧ୍ୟରେ ସଙ୍ଗଠନର ସମସ୍ତ ମହାନ ବ୍ୟକ୍ତିତ୍ୱ ଯିଏ ନିଜକୁ ଦେଶ ପାଇଁ ଓ ଦଳକୁ ଆଜି ବିଶ୍ୱର ସର୍ବବୃହତ ରାଜନୈତିକ ଦଳ ରୂପେ ଗଢି ତୋଳିଛନ୍ତି, ସେହି ମହାମନିଷୀମାନଙ୍କୁ କୋଟି କୋଟି ପ୍ରଣାମ ଜଣାଇବା ସହ ସେମାନଙ୍କ ତ୍ୟାଗ ବଳୀଦାନ ଚିର ସ୍ମରଣୀୟ ହୋଇ ରହିବ ଏବଂ ଆମ ସମସ୍ତଙ୍କୁ ପ୍ରେରଣା ଦେଉଥିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏହି ଅବସରରେ ବିଜେପିର ୩ ଜଣ ପ୍ରତିଷ୍ଠାତା ସଦସ୍ୟ ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକ, ସଜ୍ଜନ ଶର୍ମା ଓ ସୁବାଷ ଗନ୍ତାୟତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡିଶାରେ ବିଜେପିକୁ ଯେପରି ଜନ ସମର୍ଥନ ମିଳୁଛି ତାହା ଅତ୍ୟନ୍ତ ଉତ୍ସାହଜନକ । ଉତ୍କଳ ଜନନୀର ସେବା କରିବା ପାଇଁ ଆମକୁ ସୁଯୋଗ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଦେଶବାସୀଙ୍କ ପାଇଁ ଅନେକ ଜନକଲ୍ୟାଣକାରୀ ଯୋଜନା ଲାଗୁ କରିଛନ୍ତି । ବିଜେପିର ମୂଳ ବିଚାର ହେଉଛି ରାଷ୍ଟ୍ର ସର୍ବପ୍ରଥମ, ପରେ ଦଳ ଏବଂ ତାପରେ ବ୍ୟକ୍ତି । ଆଗାମୀ ଦିନରେ ଓଡିଶାବାସୀଙ୍କ ଜନସମର୍ଥନ ପାଇ ଓଡିଶାକୁ ଏକ ନମ୍ବର ରାଜ୍ୟ ଭାବେ ପରିଗଣିତ କରିବା ପାଇଁ ବିଜେପି କାର୍ଯ୍ୟକର୍ତାମାନେ ଆଜିର ଦିନରେ ସଂକଳ୍ପ ନେବାକୁ ଶ୍ରୀ ମହାନ୍ତି ଆହ୍ୱାନ ଦେଇଛନ୍ତି । ‘ସେବା ହିଁ ସଙ୍ଗଠନ’ ସଂକଳ୍ପ ନେଇ ବିଜେପିର ସମସ୍ତ କାର୍ଯ୍ୟକର୍ତା ନିରନ୍ତର କାର୍ଯ୍ୟ କରିଚାଲିଛନ୍ତି । ଯାହାକି ଅତ୍ୟନ୍ତ ପ୍ରଶଂସନୀୟ ଓ ଧନ୍ୟବାଦର ପାତ୍ର । ଦଳକୁ ଆହୁରି ଆଗକୁ ନେବା ପାଇଁ ଆମ ସମସ୍ତଙ୍କ ଉଦ୍ୟମ ଏମିତି ଜାରି ରହିଥାଉ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ରାଜ୍ୟ ସହ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂ ତୋମର କହିଛନ୍ତି ୬ ଏପ୍ରିଲ ୧୯୮୦ରେ ଦଳ ପ୍ରତିଷ୍ଠା ହେବା ସମୟରୁ ପଂଚ ନିଷ୍ଠ ଯଥା- ରାଷ୍ଟ୍ରବାଦ ରାଷ୍ଟ୍ରୀୟ ଏକତା, ଗଣତନ୍ତ୍ର, ମୂଲ୍ୟବୋଧ ଆଧାରିତ ରାଜନୀତି, ଗାନ୍ଧୀବାଦ ଦୃଷ୍ଟିକୋଣ ଉପରେ ଆଧାରିତ ସାମାଜିକ ଓ ଆର୍ôଥକ ସମତା, ସକରାତ୍ମକ ପନ୍ଥ ନିରପେକ୍ଷତାକୁ ଆଧାର କରି ଚାଲିଛି । ଦୁଇ ଜଣ ସାଂସଦଙ୍କ ଠାରୁ ଆରମ୍ଭ ହୋଇଥିବା ବିଜେପି ଦଳ ଏବେ ବିଶ୍ୱର ସର୍ବବୃହତ ଦଳ ଭାବେ ପରିଚିତ ହୋଇଛି । ଏବେ ବିଜେପିରେ ୧୮ କୋଟି ସଦସ୍ୟ,୧୪୦୦ ଏମଏଲଏ ଓ ଏମଏଲସି, ୩୯୫ ଲୋକସଭା ଓ ରାଜ୍ୟସଭା ସାଂସଦ ରହିଛନ୍ତି । ଦେଶରେ ୧୮ଟି ରାଜ୍ୟରେ ବିଜେପି ଏବଂ ଏନଡିଏର ସରକାର ଚାଲିଛି । ବିଜେପିର ବିଚାରଧାରାକୁ ସମଗ୍ର ଭାରତବାସୀ ଆପଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସର ମୂଳମନ୍ତ୍ର ନେଇ ବିଜେପି ଅଗ୍ରସର ହେଉଛି ବୋଲି ରାଷ୍ଟ୍ରୀୟ ପ୍ରବକ୍ତା ଶ୍ରୀ ସମ୍ବିତ ପାତ୍ର କହିଛନ୍ତି । ପଦାଧିକାରୀମାନେ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡାଙ୍କ ଅଭିଭାଷଣ ଶୁଣିଥିଲେ । ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ(ସଙ୍ଗଠନ) ମାନସ ମହାନ୍ତି, ରାଜ୍ୟ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ, ପିଙ୍କି ପ୍ରଧାନ, ରାଜ୍ୟ ପ୍ରବକ୍ତା ସୁଦୀପ୍ତ ରାୟ, ଠାକୁର ରଂଜିତ ଦାସ, ସୋନାଲୀ ସାହୁ, ବରିଷ୍ଠ ନେତା ମହେଶ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ସୁଷମା ବିଶ୍ୱାଳ, କାନନବାଳା ପଟ୍ଟନାୟକଙ୍କ ସମେତ ବହୁ କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ଥିଲେ । ବିଜେପି ପ୍ରତିଷ୍ଠା ଦିବସ ରାଜ୍ୟର ସମସ୍ତ ଜିଲ୍ଲା ଓ ମଣ୍ଡଳ କାର୍ଯ୍ୟାଳୟ ଠାରେ ପାଳନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ