ତୁଳସୀପୁର ଆଶ୍ରମ ବିଦ୍ୟାଳୟରେ ‘ଆମେ ଜାଣିବା, ଆମେ ଜିଣିବା’ କାର୍ଯ୍ୟକ୍ରମ
କଟକ, (ଓ୍ବାଇଏନଏସ) : ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ ଗରୁଡ଼ଗାଁ ପଞ୍ଚାୟତ ଅଧୀନରେ ଥିବା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ତୁଳସୀପୁର ଆଶ୍ରମ ବିଦ୍ୟାଳୟ ପରିସରରେ ‘ଆମେ ଜାଣିବା, ଆମେ ଜିଣିବା’ କାର୍ଯ୍ୟକ୍ରମ ପିତାମାତାଙ୍କ ସହଭାଗିତାରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନସ ରଞ୍ଜନ ମାଝୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ସହକାରୀ ଶିକ୍ଷକ ଶେଷଦେବ ପ୍ରଧାନ ସଭା ସଞ୍ଚାଳନ କରିବା ସହ ବିଦ୍ୟାଳୟରେ ଚାଲିଥିବା ବିଭିନ୍ନ ଶିକ୍ଷାମୂଳକ ଓ ସହପାଠ୍ୟକ୍ରମ କାର୍ଯ୍ୟକଳାପ ସମ୍ପର୍କରେ ବିସ୍ତୃତ ବିବରଣୀ ରଖିଥିଲେ। କାର୍ଯ୍ୟକ୍ରମରେ ଗରୁଡ଼ଗାଁ ସରପଞ୍ଚ ଦୀପ୍ତିମୟୀ ବେହେରା ମୁଖ୍ୟ ଅତିଥି, ସାମ୍ବାଦିକ ହେମନ୍ତ କୁମାର ରାଉତ ମୁଖ୍ୟବକ୍ତା ଏବଂ ପ୍ରମୋଦ କୁମାର ଜଟ ଓ ସମାଜସେବୀ ସୁବୋଧ ସାମଲ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା, ଶୃଙ୍ଖଳା ଓ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ନେଇ ବହୁ ଉପାଦେୟ ପରାମର୍ଶ ଦେଇଥିଲେ। କେବଳ ଶିକ୍ଷକମାନଙ୍କ ଉପରେ ପିଲାମାନଙ୍କ ଶିକ୍ଷା ଓ ଭବିଷ୍ୟତ ଗଠନର ସମସ୍ତ ଦାୟିତ୍ୱ ଛାଡ଼ିଦେଲେ ହେବ ନାହିଁ। ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପିତାମାତାଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି। ପିତାମାତା, ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମିଳିତ ସହଯୋଗ ଓ ସହଭାଗିତା ଦ୍ୱାରା ହିଁ ଏହା ସମ୍ଭବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ପ୍ରମୋଦ କୁମାର ଜଟ ବିଦ୍ୟାଳୟ ପରିସରରେ ବିର୍ସା ମୁଣ୍ଡାଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ନୃତ୍ୟ ଓ ସଙ୍ଗୀତ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିବା ବେଳେ ଅଭିଭାବକମାନଙ୍କ ମଧ୍ୟରେ ଆୟୋଜିତ କ୍ରୀଡ଼ା ପ୍ରତିଯୋଗିତା ବେଶ୍ ଆକର୍ଷଣୀୟ ହୋଇଥିଲା। ବିଦ୍ୟାଳୟର ଉନ୍ନତ ଶିକ୍ଷା ବ୍ୟବସ୍ଥା, ନୃତ୍ୟ, ସଙ୍ଗୀତ, ଖାଦ୍ୟପେୟ, କ୍ରୀଡ଼ା ଏବଂ ଜୀବନ ଜୀଇଁବାର କଳା ସମ୍ପର୍କିତ ଶିକ୍ଷା ପାଇ ପିଲାମାନେ ଆନନ୍ଦିତ ହେଉଥିବା ପ୍ରକାଶ କରିଥିଲେ। ଏଠାକାର ପରିବେଶ ଓ ସୁବିଧାସୁଯୋଗ ଯୋଗୁଁ ଘର କଥା ମଧ୍ୟ ଭୁଲିଯାଉଥିବା ସେମାନେ କହିଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବାରେ ଆଶ୍ରମ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ସହଯୋଗ କରିଥିଲେ।


