ପ୍ରବଳ ବର୍ଷା ଯୋଗୁଁ ପୂର୍ବତଟ ରେଳ ସେବା ପ୍ରଭାବିତ
ଭୁବନେଶ୍ୱର: ଅତି ପ୍ରବଳ ବର୍ଷା ଯୋଗୁଁ ପୂର୍ବତଟ ରେଳବାଇ ସେବା ଖୁବ୍ ପ୍ରଭାବିତ ହୋଇଛି । ଗତକାଲି ଠାରୁ ବର୍ଷା ଲାଗି ରହିଥିବା କାରଣରୁ ପଲାସା ଏବଂ ବିଜୟାନଗରମ ମଧ୍ୟରେ ଥିବା ବିଭିନ୍ନ ଷ୍ଟେସନରେ ପାଣି ଜମି ରହିଥିବାରୁ ଅନେକ ଟ୍ରେନ୍ ବିଳମ୍ବରେ ଯାତ୍ରା କରୁଛି । ବିଜୟନଗରମ୍ ଠାରେ ସହର ମଧ୍ୟରେ ଥିବା ପୌରପାଳିକା ନାଳ ଓ ନିକଟବର୍ତ୍ତୀ ଅଞ୍ଚଳରୁ ଷ୍ଟେସନ୍ ପରିଧି ମଧ୍ୟକୁ ପାଣି ପଶିଯିବାରୁ କିଛି ସମୟ ପାଇଁ ଧାରଣା ବୁଡ଼ି ଯାଇଥିଲା । ରାତି ସାରା ବହୁ ପରିମାଣର ଜଳ ପ୍ରବାହ କାରଣରୁ ଅନେକ ଷ୍ଟେସନର ସିଗନାଲ୍ ଖୁଣ୍ଟିଗୁଡ଼ିକ ମଧ୍ୟ ଅକାମି ହୋଇଯାଇଛି । କ୍ରମେ ପରିସ୍ଥିତି ସୁଧୁରୁ ଥିବାରୁ ରେଳ ସେବା ସ୍ୱାଭାବିକ ହେବାକୁ ଯାଉଛି । କେତେକ ଟ୍ରେନର ସମୟ ନିର୍ଘଣ୍ଟ ପୁଣି ଥରେ ଧାର୍ଯ୍ୟ କରାଯାଉଥିବା ବେଳେ ସ୍ୱଳ୍ପ ଦୂରକୁ ଯାତ୍ରା କରିବାକୁ ଥିବା ଟ୍ରେନ ଗୁଡ଼ିକର ଯାତ୍ରା ବାତିଲ କରାଯିବ ।


