ବ୍ରହ୍ମପୁରରେ ୧୯ କରୋନା ପଜିଟିଭ
ବ୍ରହ୍ମପୁର, (ଅନିଲ କୁମାର): କରୋନାର ଦ୍ୱିତୀୟ ଲହରୀ ଗଞ୍ଜାମ ଜିଲ୍ଲାର ବହୁ ଅଞ୍ଚଳକୁ ବ୍ୟାପି ଆଜି ଏହାର ସଂଖ୍ୟା ୬୨ ହୋଇଥିବା ବେଳେ ଖୋଦ୍ ମହାନଗରରେ ୧୯ ଜଣ ସଂକ୍ରମିତ ହୋଇଥିବା ଗତକାଲି ରିପୋର୍ଟରୁ ଜଣାପଡ଼ିଛି । ଆଜି ଜିଲ୍ଲାରେ ସଂକ୍ରମିତ ସଂଖ୍ୟା ୬୨ ଟି ରେ ଥିବା ବେଳେ ବ୍ରହ୍ମପୁର ମହାନଗରରେ ବି ଏହାର ସଂଖ୍ୟା ୧୯ ରେ ରହିଛି । କରୋନାର ଦ୍ୱିତୀୟ ଲହରୀର ସଂକ୍ରମଣ ତୀବ୍ର ଥିବା ରିପୋର୍ଟ ପାଇବା ପରେ ପ୍ରଶାସନ ପକ୍ଷରୁ ସାଧାରଣଜନତାଙ୍କୁ ରକ୍ଷା ନିମନ୍ତେ ବ୍ୟବସାୟ ପ୍ରତିଷ୍ଠାନରେ ପଞ୍ଚସୂତ୍ରୀ ନିୟମ ଲାଗୁ କରାଯାଇଥିବା ବେଳେ ମାସ୍କ ପରିଧାନ, ସାମାଜିକ ଦୂରତ୍ୱ, ବାରମ୍ବାର ହାତ ଧୋଇବା ଓ ସାନିଟାଇଜକୁ ବେଶ୍ ଗୁରୁତ୍ୱ ଦିଆଯାଉଛି । ଏପରିକି ପୋଲିସ ପ୍ରଶାସନ ପକ୍ଷରୁ ସଂକ୍ରମଣକୁ ରୋକିବା ନିମନ୍ତେ ରାତ୍ରି କର୍ଫୁ୍ୟ ନେଇ ବ୍ରହ୍ମପୁର ସହରରେ ମିଳିତ ପେଟ୍ରୋଲିଂ କରାଯାଇ ସଚେତନତା ସୃଷ୍ଟି କରାଯାଇଛି । ଗତ କିଛି ଦିନ ଧରି ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ନେଇ ପ୍ରଶାସନ ପକ୍ଷରୁ ବିଭିନ୍ନ ମନ୍ଦିର ରେ ଭକ୍ତଙ୍କ ସଂଖ୍ୟା ହ୍ରାସ ନେଇ ଗୁରୁତ୍ୱାରୋପ କରାଯାଇଛି । ଏପରିକି ଜିଲ୍ଲାର ବିଭିନ୍ନ ମନ୍ଦିର, ପାର୍କ, ପର୍ଯ୍ୟଟନ ସ୍ଥଳି ବି ବନ୍ଦ ରହିଥିବା ଜଣାପଡ଼ିଛି । ସେହିପରି ସମ୍ପ୍ରତି ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀଙ୍କ ଠାରୁ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଯୋଗୁଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସୀମାରେ ବ୍ୟାପକ ଯାଞ୍ଚ ସହ ରେଳଷ୍ଟେସନ୍ରେ ସ୍ୱତନ୍ତ୍ର କ୍ୟାମ୍ପ୍ ଦ୍ୱାରା ପ୍ରବାସୀଙ୍କ ଆରଟି ପିସିଆର୍ ନେଗେଟିଭ ରିପୋର୍ଟ କିମ୍ବା ଦୁଇ ଥର ଟୀକା ନେଇଥିବା ଆବଶ୍ୟକ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସେହିପରି ପ୍ରତିଷେଧକ ବ୍ୟବସ୍ଥା ତଥା ମାସ୍କ ପରିଧାନ, ସାମାଜିକ ଦୂରତ୍ୱ ଓ ସାନିଟାଇଜକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ପୋଲିସ ପକ୍ଷରୁ ପ୍ରତ୍ୟକ୍ଷ ଭାବେ ବିଭିନ୍ନ ଛକରେ ମାସ୍କ ପରିଧାନରେ ଉଲଂଘନ କରୁଥିବା ବ୍ୟକ୍ତିଙ୍କୁ ସଚେତନତା କରିବା ସହ ଅମାନିଆଙ୍କ ଠାରୁ ପ୍ରଥମେ ୨୦୦ ରୁ ୫୦୦ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୦୦୦ ଟଙ୍କା ଜରିମାନା ବି ଆଦାୟ କରାଯାଇଛି । ଆଜି ଗଞ୍ଜାମ ଜିଲ୍ଲାରେ ଭଞ୍ଜନଗର-୧, ଛତ୍ରପୁର-୮, ଚିକିଟି-୧, ଧରାକୋଟ-୪, ହିଞ୍ଜିଳିକାଟୁ-୩, ଜଗନ୍ନାଥପ୍ରସାଦ-୨, କବିସୂର୍ଯ୍ୟନଗର-୨, ଖଲିକୋଟ-୧, କୁକୁଡ଼ାଖଣ୍ଡି-୨,ପୋଲସରା-୩, ରଙ୍ଗେଇଲୁଣ୍ଡା-୧, ଶେରଗଡ଼-୫, ସୋରଡ଼ା-୨ ଓ ଅନ୍ୟାନ୍ୟ ଅଞ୍ଚଳରୁ ୮ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି ।