୫ ଟି ର ଚମକ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍):ସକାଳୁ ସକାଳୁ ସହରରେ ଚର୍ଚ୍ଚା ଚାଲିଲା ଫାଇଭ-ଟି ସଚିବ ଜିଲ୍ଲା ପରିଦର୍ଶନରେ ଆସୁଛନ୍ତି । ଆମର ସୀମିତ ବୁଦ୍ଧିରେ ଏହାର ଗୁରୁ୍ତ୍ୱ ବୁଝିପାରିଲୁ ନାହିଁ । ସଚିବମାନେ ସାଧାରଣତଃ ଜିଲ୍ଲା ଉନ୍ନୟନ କାର୍ଯ୍ୟ ପରିଦର୍ଶନ କରିବାକୁ ଆସନ୍ତି । ସେହି ଧାରାରେ ଫାଇଭ-ଟି ସଚିବ ମଧ୍ୟ ଜିଲ୍ଲା ପରିଦର୍ଶନ କରିବାକୁ ଆସୁଥିବେ । ଘଟଣାର ଗୁରୁତ୍ୱ ବୁଝିପାରିଲୁ ଯେତେବେଳେ ସେଲୁନରେ ସେଭିଙ୍ଗ ହେଉଥିବା କର୍ମଚାରୀ ସେଲୁନ୍ ବାଲାକୁ ତରତର କରୁଥାଆନ୍ତି । ଜଲଦି ଚୁଟି କାଟ, ଆଜି ଶୀଘ୍ର ଅଫିସ ଯିବାକୁ ପଡ଼ିବ । ସେଲୁନ ବାଲା ହାଲକା ଭାବରେ କହିଲା ଆଜ୍ଞା, ଆଜି ବୋଧେ ବହୁତ କାମ ଅଛି । ନାହିଁ ହୋ, ତମେ କାହିଁ ଜାଣିବ ଆଜି ଫାଇଭ-ଟି ହାକିମ ଜିଲ୍ଲାକୁ ଆସିବେ । କେଜାଣି କାହା ବେକରେ ଆଜି ଚୋଟ ବାଜିବ ।
ଦପ୍ତରକୁ ଆସିବାବେଳେ ଦଶଟା ପୂର୍ବରୁ ସହକର୍ମୀମାନଙ୍କୁ ଦେଖି ଆମ୍ଭେ ତାଜୁବ ହୋଇଗଲୁ । ସରକାରୀ କାର୍ଯ୍ୟ ପାଇଁ ସମସ୍ତେ ଏତେ ତତ୍ପର ଏହାକୁ ବୁଝିବା ଆମ୍ଭଙ୍କୁ ବେଶୀ ସମୟ ଲାଗିଲା ନାହିଁ । ଜଣେ ସହକର୍ମୀ କହିଲେ ଆଜ୍ଞା, ସକାଳୁ ଝିଅକୁ ନେଇ ଡାକ୍ତରଖାନା ଯାଇଥିଲି । ସାରା ଡାକ୍ତରଖାନା ଆଜି ଖୁବ ସଫାସୁତର । ଡାକ୍ତରମାନେ ଖୁବ ଚଳଚଂଚଳ । ବାରମ୍ବାର ପଚାରୁ ଥାଆନ୍ତି ଆଉ କଣ କହିବାର ଅଛି କୁହ । ଡାକ୍ତରଖାନା କର୍ମଚାରୀମାନଙ୍କର ହଠାତ ଏପରି ପରିବର୍ତନ ସହକର୍ମୀଙ୍କୁ ହତବାକ କରିଥିଲା ।
ପୂର୍ବାହ୍ନରେ କର୍ମଚାରୀମାନଙ୍କ କାର୍ଯ୍ୟ ତଦାରଖ କରିବା ପାଇଁ ମାସିକ ବୈଠକ ଚାଲିଥାଏ । ଉପରିସ୍ଥ ହାକିମ ସମସ୍ତ କର୍ମଚାରୀଙ୍କୁ ତାଗିଦ୍ କରୁଥାଆନ୍ତି । ଫାଇଭ-ଟି ସଚିବ ଆସିବେ । ସମୟାନୁଯାୟୀ ଅଫିସ ଆସ । ମଧ୍ୟାହ୍ନ ଭୋଜନ ବିରତି ସମୟରୁ କେହି ଡେରି କରନାହିଁ । ଯଦି କୌଣସି କର୍ମଚାରୀ ନିଜ ସିଟରେ ନଥିବେ, ସେତେବେଳେ ଫାଇଭ-ଟି ର ଯେଉଁ ଚୋଟ ତାଙ୍କ ଉପରେ ପଡ଼ିବ ସେଥିରୁ କେହି ତାଙ୍କୁ ରକ୍ଷା କରିପାରିବେ ନାହିଁ ।
ମଧ୍ୟାହ୍ନରେ ଯିବା ସମୟରେ ଦେଖିଲୁ ଏକ ଦପ୍ତରକୁ ଭିନ୍ନଭିନ୍ନ କାର୍ଯ୍ୟ ପାଇଁ ଆସିଥିବା ଲୋକମାନେ ସେମାନଙ୍କର ବାଇକ ଗୁଡ଼ିକୁ ରାସ୍ତା ଉପରେ ରଖିଥାଆନ୍ତି । ସିକ୍ୟୁରିଟି ଗାର୍ଡ଼ ବାରମ୍ବାର ସେମାନଙ୍କୁ କହୁଥାଏ, ଗାଡ଼ି ଗୁଡ଼ିକ ଶୃଙ୍ଖଳିତ ଭାବରେ ରଖ । ଭୁବନେଶ୍ୱରରୁ ବଡ଼ ହାକିମ ଆସିବେ । ତୁମେମାନେ ଗାଡ଼ିଗୁଡ଼ିକ ଏଣେତେଣେ ରଖିଲେ ଆମ ସାହେବଙ୍କ ଚାକିରି ଚାଲିଯିବ ।
ଅପରାହ୍ନରେ କାର୍ଯ୍ୟବଶତଃ ଏକ ସରକାରୀ କାର୍ଯ୍ୟାଳୟକୁ ଯିବା ସମୟରେ ଦେଖିଲୁ ଝିପିଝିପି ବର୍ଷାରେ ିଜି ଉକ୍ତ କାର୍ଯ୍ୟାଳୟର ହାକିମ ଠୁଳ ହୋଇଯିବା ଲୋକମାନଙ୍କୁ ପଚାରୁ ଥାଆନ୍ତି କ’ଣ ପାଇଁ ଆସିଥିଲ, କାମ ହେଲା କି ନାହିଁ, କିଛି ଅସୁବିଧାର ସମ୍ମୁଖିନ ହାଇନାହିଁ ଇତ୍ୟାଦି ଇତ୍ୟାଦି । ବେଳେବେଳେ ହାକିମ ମହାଶୟ ରାସ୍ତା ଉପରକୁ ବାରମ୍ବାର ନଜର କରୁଥାଆନ୍ତି ଯଦି ଫାଇଭ-ଟି ସଚିବ ଏହି ସମୟରେ ତାଙ୍କ କାର୍ଯ୍ୟାଳୟରେ ପହଂଚି ଯାଆନ୍ତେ, ତେବେ ହାକିମଙ୍କ ଜନସେବାକୁ ନିଶ୍ଚିତ ରୂପେ ତାରିଫ ମିଳନ୍ତା ।
ସନ୍ଧ୍ୟାରେ ଅଧ୍ୟାପକ ବନ୍ଧୁ ପଚାରିଲେ ଫାଇଭ-ଟି ସଚିବ ଆସିବାର ଥିଲା କ’ଣ ହେଲା? ଦିନଯାକର ଏହିସବୁ ଘଟଣା ଆମେ ଉକ୍ତ ବନ୍ଧୁଙ୍କୁ ବ୍ୟାଖ୍ୟା କଲୁ । ବନ୍ଧୁ ଆଶ୍ଚର୍ଯ୍ୟ ପ୍ରକଟ କରି କହିଲେ, ଏହା ତ ଫାଇଭ-ଟି ର ଚମକ୍ରାରିତା ।