ରାହୁଲଙ୍କ ବିରୋଧରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ

ନୂଆଦିଲ୍ଲୀ(ଏଜେନ୍ସି): ବିଜେପି ପକ୍ଷରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଅଣାଯାଇଛି । ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଏହି ଅଭିଯୋଗ ରଖିଛନ୍ତି । ସେ କହିଛନ୍ତି ଯେ, ୨ଠଠ୪ ଲୋକସଭା ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ବେଳେ ସତ୍ୟପାଠରେ ରାହୁଲ ଗାନ୍ଧି ନିଜ ସମ୍ପତ୍ତି ପରିମାଣ ୫୫ ଲକ୍ଷ ଟଙ୍କା ଦର୍ଶାଇଥିଲେ । ସେହିପରି ୨ଠ୧୪ ଲୋକସଭା ନିର୍ବାଚନ ସତ୍ୟପାଠରେ ରାହୁଲ ନିଜ ସମ୍ପତ୍ତି ମୂଲ୍ୟ ୯କୋଟି ଟଙ୍କା ଉଲ୍ଲେଖ କରିଥିଲେ । ତେବେ ରାହୁଲଙ୍କ ସମ୍ପତ୍ତି ଏହି ୧ଠ୧ର୍ଷ ମଧ୍ୟରେ ୫୫ ଲକ୍ଷରୁ ୯କୋଟି ଟଙ୍କାକୁ କେମିତି ବୃଦ୍ଧି ଘଟିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ବିଜେପି କହିବାନୁସାରେ ରାହୁଲ ଜଣେ ଲୋକସଭା ସାଂସଦ ଓ ତାଙ୍କର ଏକମାତ୍ର ରୋଜଗାର ଉତ୍ସ ହେଉଛି ସାଂସଦ ହିସାବରେ ତାଙ୍କୁ ମିଳୁଥିବା ମାସିକ ଭତ୍ତା ବା ଦରମା । ରାହୁଲ ଅନ୍ୟ କୌଣସି ପେଶାଦାର ବ୍ୟକ୍ତିତ୍ୱ ନୁହଁନ୍ତି ଯେ, ତାଙ୍କର ଆୟର ଅନ୍ୟ କିଛି ଉତ୍ସ ରହିବା ସମ୍ଭବ ହୋଇଥିବ । ତେଣୁ ରାହୁଲଙ୍କ ବିରୋଧରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଜନିତ ମାମଲା ରୁଜୁ କରାଯିବା ସହ ତଦନ୍ତ ହେବା ଜରୁରି । ସେହିପରି ଦିଲ୍ଲୀର ମେହରୌଲିସ୍ଥିତ ଏକ ଫାର୍ମ ହାଉସକୁ ନେଇ ସମ୍ବିତ ପ୍ରଶ୍ନ ଉଠାଇଛନ୍ତି । ପ୍ରାୟ ୫କୋଟି ଟଙ୍କା ମୂଲ୍ୟର ଏହି ଫାର୍ମ ହାଉସର ନାମ ଇନ୍ଦିରା ଫାର୍ମ ହାଉସ ରଖାଯାଇଛି । ମାତ୍ର ଏହାର ମାଲିକ ରାହୁଲ ଏବଂ ପ୍ରୟିଙ୍କା ଗାନ୍ଧି ଭଦ୍ରା ବୋଲି ସମ୍ବିତ୍ ଦାବି କରିଛନ୍ତି । ସେ କହିଛନ୍ତି ଯେ, ଏହି ଫାର୍ମ ହାଉସ୍କୁ ୨ଠ୧୩ରେ ଫାଇନାନ୍ସିଆଲ ଟେକ୍ନୋଲୋଜି ଇଣ୍ଡିଆ ଲିମିଟେଡ ନାମକ ଏକ କମ୍ପାନୀକୁ ଭଡ଼ାସୂତ୍ରରେ ଦିଆଯାଇଥିଲା । ଏହି ବାବଦ ପ୍ରତି ମାସରେ ୭ ଲକ୍ଷ ଟଙ୍କା ଭଡ଼ା ମଧ୍ୟ ରାହୁଲ ଓ ପ୍ରିୟଙ୍କାଙ୍କୁ ମିଳୁଥିଲା । ଭଡ଼ା ପାଇଁ ପ୍ରଥମେ ୪ଠଲକ୍ଷ ଟଙ୍କା ବିନା ସୁଧରେ ଅଗ୍ରୀମ ଅଣାଯାଇଥିଲା । ଏସବୁୂ ସମ୍ପର୍କରେ ରାହୁଲ ନିଜ ଆୟକର ରିପୋର୍ଟରେ ଉଲ୍ଲେଖ କରିନଥିବା ସମ୍ବିତ ଅଭିଯୋଗ କରିଛନ୍ତି । ଏତଦ୍ବ୍ୟତୀତ ୨ଠ୧ଠରେ ଗୁରୁଗ୍ରାମରେ ଥିବା ଏକ ୭କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ମଧ୍ୟ ରାହୁଲ ଗାନ୍ଧି ହେରଫେର କରି ମାତ୍ର ୪କୋଟି ଟଙ୍କାରେ କିଣିଛନ୍ତି ବୋଲି ବିଜେପି ପକ୍ଷରୁ ସମ୍ବିତ୍ ଅଭିଯୋଗ କରିଛନ୍ତି । ଏସବୁ ପ୍ରଶ୍ନ ଓ ଅଭିଯୋଗ ଉପରେ ରାହୁଲ ଉତ୍ତର ଦେବାକୁ ବିଜେପି ପକ୍ଷରୁ ଆହ୍ୱାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ